ଋତୁସ୍ରାବ ଛୁଟି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
ନନ୍ଦିଘୋଷ ବ୍ୟୁରୋ: ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ଦେବା ପ୍ରସଙ୍ଗ କୋର୍ଟଙ୍କ ଅଧୀନରେ ନୁହେଁ। ଏହା ହେଉଛି କେନ୍ଦ୍ର ଓ... The post ଋତୁସ୍ରାବ ଛୁଟି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ appeared first on .
ନନ୍ଦିଘୋଷ ବ୍ୟୁରୋ: ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ଦେବା ପ୍ରସଙ୍ଗ କୋର୍ଟଙ୍କ ଅଧୀନରେ ନୁହେଁ। ଏହା ହେଉଛି କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ନୀତି ନିୟମର କଥା। ଏଥିରେ କୋର୍ଟ କିଛି କରିବାର ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ମାସିକ ଋତୁସ୍ରାବ ସମୟରେ ମହିଳାମାନେ ଅନେକ ସମସ୍ଯାର ସମ୍ମୁଖୀନ ହୋଇଥିବା ଦର୍ଶାଇ ସବୈତନିକ ଛୁଟି ଦେବା ପାଇଁ ରାଜ୍ଯ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ପିଆଇଏଲ୍ ଦାଖଲ ହୋଇଥିଲା। ଏହାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି, ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ଦିଆଯିବ କି ନାହିଁ, ଏହା କୋର୍ଟ ହସ୍ତକ୍ଷେପ କରିବାର ବିଷୟବସ୍ତୁ ନୁହେଁ। ଆବେଦନକାରୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସଚିବ ଓ ଅତିରିକ୍ତ ସଲିସିଟର ଜେନେରାଲଙ୍କ ନିକଟରେ ନିଜ ଦାବି ଉଠାଇ ପାରିବେ। ସମସ୍ତଙ୍କ ସହିତ ସବୁଆଡୁ ବିଚାର କରି ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଆମେ ସଂପୃକ୍ତ ବିଭାଗର ସଚିବଙ୍କୁ ଅନୁରୋଧ କରୁଛୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହା ସହିତ କୋର୍ଟ ଆଉ ଏକ କଥା କହିଛନ୍ତି- ଯଦି ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ଦେବା ପାଇଁ ସଂସ୍ଥାଗୁଡ଼ିକ ବାଧ୍ଯ କରାଯିବ, ତେବେ ହୁଏତ ମହିଳାଙ୍କୁ ଚାକିରି ଦିଆଯାଇନପାରେ। ମହିଳାଙ୍କୁ ଚାକିରି ଦେବାକୁ କୁଣ୍ଠାବୋଧ କରିବେ ସଂସ୍ଥାମାନେ। ଏହା ଦ୍ଵାରା ମହିଳାଙ୍କ ଭଲ ହେବା ବଦଳରେ ମନ୍ଦ ହେବ। ସେମାନେ ଚାକିରିରୁ ବଞ୍ଚିତ ହେବେ ବୋଲି ଆଶଙ୍କା କରିଛନ୍ତି ସୁପ୍ରିମକୋର୍ଟ। ଏବେ କେବଳ ବିହାର ଓ କେରଳରେ ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ମିଳୁଛି। ବିହାରରେ ୨ ଦିନ ଛୁଟି ଦିଆଯାଉଥିବା ବେଳେ କେରଳରେ ୩ ଦିନ ଛୁଟି ଦେଉଛନ୍ତି ।
The post ଋତୁସ୍ରାବ ଛୁଟି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ appeared first on .