ଏଏସ୍ଇଆର ରିପୋର୍ଟ : ୨ୟ ଶ୍ରେଣୀ ପାଠ ପଢ଼ିପାରୁନାହାନ୍ତି ଏକ ଚତୁର୍ଥାଂଶ ଯୁବବର୍ଗ
ନୂଆଦିଲ୍ଲୀ : ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ଏହା ସମସ୍ତଙ୍କ ଚିନ୍ତା ବୃଦ୍ଧି କରିଦେଇଛି। ସାକ୍ଷରତା ହାର ବଢ଼ି ଚାଲିଥିଲେ ମଧ୍ୟ ଶିକ୍ଷାର ମାନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏବେ ୧୪ରୁ ୧୮ ବର୍ଷ ବୟସର ୮୬ ପ୍ରତିଶତ ପିଲା ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ପାଠ ପଢୁଛନ୍ତି। ମାତ୍ର ଏମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ (୨୫ ପ୍ରତିଶତ) ଯୁବ ଗୋଷ୍ଠୀ ନିଜ ଆଞ୍ଚଳିକ ଭାଷାରେ ଥିବା ଦ୍ବିତୀୟ ଶ୍ରେଣୀର ପାଠ […]

ନୂଆଦିଲ୍ଲୀ : ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ଏହା ସମସ୍ତଙ୍କ ଚିନ୍ତା ବୃଦ୍ଧି କରିଦେଇଛି। ସାକ୍ଷରତା ହାର ବଢ଼ି ଚାଲିଥିଲେ ମଧ୍ୟ ଶିକ୍ଷାର ମାନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏବେ ୧୪ରୁ ୧୮ ବର୍ଷ ବୟସର ୮୬ ପ୍ରତିଶତ ପିଲା ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ପାଠ ପଢୁଛନ୍ତି। ମାତ୍ର ଏମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ (୨୫ ପ୍ରତିଶତ) ଯୁବ ଗୋଷ୍ଠୀ ନିଜ ଆଞ୍ଚଳିକ ଭାଷାରେ ଥିବା ଦ୍ବିତୀୟ ଶ୍ରେଣୀର ପାଠ ପଢ଼ି ପାରୁନାହାନ୍ତି। ସେହିପରି ଅତିକମ୍ରେ ୪୨.୭ ପ୍ରତିଶତ ଯୁବ ଗୋଷ୍ଠୀ ଇଂରାଜୀ ବାକ୍ୟ ପଢ଼ି ପାରୁନାହାନ୍ତି। ବୁଧବାର ଜାରି ‘ଆନୁଆଲ ଷ୍ଟାଟସ ଅଫ୍ ଏଜୁକେଶନ ରିପୋର୍ଟ (ଏଏସ୍ଇଆର)’ରେ ଏହି ଦାବି କରାଯାଇଛି।
ରିପୋର୍ଟ ଅନୁଯାୟୀ ୨୦୧୭ରେ ୭୬.୬ ପ୍ରତିଶତ ପିଲା ଦ୍ବିତୀୟ ଶ୍ରେଣୀର ପାଠ ପଢ଼ି ପାରୁଥିଲେ। ୨୦୨୩ରେ ଏହି ସଂଖ୍ୟା ହ୍ରାସ ପାଇ ୭୩.୬ ପ୍ରତିଶତରେ ପହଞ୍ଚି ଯାଇଛି। ‘ଏଏସ୍ଇଆର ବାୟଣ୍ଡ ବେସିକ୍ସ’ ରିପୋର୍ଟ ଦ୍ବାରା କରୋନା ସମୟରେ କରାଯାଇଥିବା ଦାବି ଭୁଲ୍ ସାବ୍ୟସ୍ତ ହୋଇଯାଇଛି। ସେତେବେେଳ ଜୀବିକା ଉପରେ ସଙ୍କଟ ଦେଖାଦେଇଥିବାରୁ ଅନେକ ଶିଶୁ ପାଠପଢ଼ା ଛାଡ଼ିଥିଲେ ବୋଲି କୁହାଯାଇଥିଲା। ଏଏସ୍ଇଆର ରିପୋର୍ଟ ଅନୁଯାୟୀ ପଢୁ ନ ଥିବା ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଅଧିକ ବୟସ୍କ ସାମିଲ ଅଛନ୍ତି। ୧୮ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ୩୨ ପ୍ରତିଶତରୁ ଅଧିକ ଯୁବ ବର୍ଗ ପାଠ ପଢୁ ନାହାନ୍ତି।
ସେହିପରି ୧୪ ବର୍ଷରୁ କମ୍ ବୟସର ୩.୯ ପ୍ରତିଶତ, ୧୬ ବର୍ଷରୁ କମ୍ ୧୦.୯ ପ୍ରତିଶତ ଏବଂ ୧୮ ବର୍ଷରୁ କମ୍ ବୟସର ୩୨.୬ ପ୍ରତିଶତ ଯୁବଗୋଷ୍ଠୀ ପାଠ ଛାଡ଼ି ସାରିଛନ୍ତି। ୨୦୧୦ରେ ୬ରୁ ୧୪ ବର୍ଷ ବୟସର ୯୬.୬ ପ୍ରତିଶତ ପିଲା ବିଦ୍ୟାଳୟ ଯାଉଥିଲେ। ଏହା ୨୦୧୪ରେ ୯୬.୭, ୨୦୧୮ରେ ୯୭.୨ ଏବଂ ୨୦୨୨ରେ ୯୮.୪ ପ୍ରତିଶତ ଥିଲା। ଝିଅଙ୍କ ତୁଳନାରେ ଅଧିକ ପୁଅ ସାଇନ୍ସ, ଟେକ୍ନଲୋଜି, ଇଞ୍ଜିନିୟରିଂ, ମାଥ୍ (ଏସ୍ଟିଇଏମ୍)ରେ ନାମ ଲେଖାଉଛନ୍ତି। ଏବେ ଦେଶର ମାତ୍ର ୫.୬ ପ୍ରତିଶତ ଯୁବ ବର୍ଗ ଧନ୍ଦାମୂଳକ ଶିକ୍ଷା କିମ୍ବା ଅନ୍ୟ ସମ୍ବନ୍ଧିତ ପାଠ୍ୟକ୍ରମରେ ପ୍ରଶିକ୍ଷଣ ନେଉଛନ୍ତି।
୨୦୧୭ରେ ୩୯.୫ ପ୍ରତିଶତ ଯୁବ ବର୍ଗ ତୃତୀୟ-ଚତୁର୍ଥ ଶ୍ରେଣୀର ସରଳ ଗଣିତର ଉତ୍ତର ଦେଇପାରୁ ଥିଲେ। ଏହା ୨୦୨୩ରେ ୪୩.୩ ପ୍ରତିଶତରେ ପହଞ୍ଚିଛି। ମାତ୍ର ଅଧାରୁ ଅଧିକ ଲୋକ ହରଣ (ଭାଗ) ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି। ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ୨୬ ରାଜ୍ୟର ୨୮ ଜିଲ୍ଲାରେ ସର୍ଭେ କରାଯାଇଥିଲା। ୧,୬୬୪ ଗାଁକୁ ମଧ୍ୟ ସାମିଲ କରାଯାଇଥିଲା। ୧୪ରୁ ୧୮ ବର୍ଷର ମୋଟ ୩୪, ୭୪୫ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ ହୋଇଥିଲା। ସର୍ଭେରେ ସାମିଲ ଯୁବ ବର୍ଗଙ୍କୁ ୫ ପ୍ରକାରର କାର୍ଯ୍ୟ ଦିଆଯାଇଥିଲା। ଏଥିରେ ପଢ଼ିବା, ଗଣିତ, ଇଂରାଜୀ, ଦକ୍ଷତା ପରୀକ୍ଷା, ଗଣନା ପାଇଁ ସାଧାରଣ ଜ୍ଞାନ ବ୍ୟବହାର କରିବାକୁ କୁହାଯାଇଥିଲା।