ଏକଜିଟ ପୋଲ ବିତର୍କରେ ଭାଗ ନେବ ନାହିଁ କଂଗ୍ରେସ

ଆସନ୍ତାକାଲି ଦେଶ ତଥା ଓଡ଼ିଶାରେ ଶେଷ ପର୍ଯ୍ୟାୟ ମତଦାନ ହେବ। ଅନ୍ତିମ ଲଢ଼େଇରେ ଦେଶର ୫୭ଟି ଲୋକସଭା ଆସନରେ ମତଦାନ ହେବ।

ଏକଜିଟ ପୋଲ ବିତର୍କରେ ଭାଗ ନେବ ନାହିଁ କଂଗ୍ରେସ

ଆସନ୍ତାକାଲି ଦେଶ ତଥା ଓଡ଼ିଶାରେ ଶେଷ ପର୍ଯ୍ୟାୟ ମତଦାନ ହେବ। ଅନ୍ତିମ ଲଢ଼େଇରେ ଦେଶର ୫୭ଟି ଲୋକସଭା ଆସନରେ ମତଦାନ ହେବ। ଏହାପରେ ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ମତଦାନ ଶେଷ ହେବା ମାତ୍ରେ ବିଭିନ୍ନ ଗଣାମଧ୍ୟମ ପ୍ରକାଶ କରିବେ ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ।

ଏକଜିଟ ପୋଲରୁ ପରବର୍ତ୍ତୀ ସରକାରକୁ ନେଇ ଗୋଟିଏ ସମକ୍ୟ ଧାରଣା ସୃଷ୍ଟି ହେବ। ଅନେକ ସମୟରେ ଏକଜିଟ ପୁଲ ରିପୋର୍ଟ ମଧ୍ୟ ଭୁଲ ପ୍ରମାଣିତ ହେବାର ନଜିର ରହିଛି।

ତଥାପି ଟିଭି ଚ୍ୟାନେଲଗୁଡ଼ିକ ଏକଜିଟ ପୋଲ ରିପୋର୍ଟ ପ୍ରକାଶ କରିବେ।  କିନ୍ତୁ ଏହି ଏକଜିଟ ପୋଲକୁ ନେଇ ଟିଭି ଚ୍ୟାନେଲରେ ଆୟୋଜିତ ହେବାକୁ ଥିବା କୌଣସି ବିତର୍କରେ ଭାଗ ନେବ ନାହିଁ କଂଗ୍ରେସ। ଟିଆରପି ପାଇଁ କରାଯାଉଥିବା ଆକଳନ ଓ ଲଢ଼େଇରେ କଂଗ୍ରେସ ଭାଗ ନେବାକୁ ଚାହୁଁ ନଥିବା ଆଜି ସ୍ପଷ୍ଟ କରିଛି।

କଂଗ୍ରେସ ମୁଖ୍ୟପାତ୍ର ପବନ ଖେଡା କହିଛନ୍ତି ଯେ “ଭୋଟରମାନେ ସେମାନଙ୍କ ମତଦାନ କରିଛନ୍ତି ଓ ଏହା ସଂରକ୍ଷିତ ହୋଇ ରହିଛି। ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏହାପୂର୍ବ ଆମେ ଟିଆରପି ପାଇଁ ହେଉଥିବା ଆକଳନ ଓ ଲଢ଼େଇରେ ସାମିଲ ହେବାକୁ ଚାହୁଁନାହୁଁ।

ଭାରତୀୟ ଜାତୀୟ କଂଗ୍ରେସ ଏକଜିଟ ପୋଲକୁ ନେଇ ହେବାକୁ ଥିବା କୌଣସି ବିତର୍କରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଛି। ଲୋକଙ୍କୁ ସୂଚନା ଦେବା ହିଁ ଯେକୌଣସି ବିତର୍କର ମୂଳ ଲକ୍ଷ୍ୟ ହେବା ଦରକାର। ଆମେ ୪ ଜୁନ ଠାରୁ ବେଶ ଖୁସିର ସହ ସବୁ ବିତର୍କରେ ଭାଗ ନେବୁ।”

ବିଭିନ୍ନ ଗଣମାଧ୍ୟମ କରିବାକୁ ଥିବା ଏକଜିଟ ପୋଲ ରେଜଲ୍ଟ ମୋଦି ସରକାରଙ୍କ ସପକ୍ଷରେ ଯିବ ବୋଲି କଂଗ୍ରେସ ଆଶଙ୍କା କରିଛି। ଏଥିପାଇଁ ଦଳ ବିତର୍କରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ଦଳ ମଧ୍ୟରେ ଏହାକୁ ନେଇ ଆଲୋଚନା ହୋଇଥିଲା। ଏହାପରେ ଏକଜିଟ ପୋଲ ବିତର୍କରୁ ଦଳ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି।