ଏକା ସାଙ୍ଗରେ ସ୍ୱାଧୀନ ହେଲୁ, ଭାରତ ସୁପର ଶକ୍ତି, ଆମେ ଭିକ ମାଗୁଛୁ: ମୌଲାନା ଫଜଲୁର୍‌ ରେହମାନ୍‌

ଭାରତ ସହ ନିଜ ଦେଶକୁ ତୁଳନା କରି ସଂସଦରେ କ୍ଷୋଭବ୍ୟକ୍ତ କରିଛନ୍ତି ପାକିସ୍ତାନର ଜଣେ ମୌଳବାଦୀ ନେତା।

ଏକା ସାଙ୍ଗରେ ସ୍ୱାଧୀନ ହେଲୁ, ଭାରତ ସୁପର ଶକ୍ତି, ଆମେ ଭିକ ମାଗୁଛୁ: ମୌଲାନା ଫଜଲୁର୍‌ ରେହମାନ୍‌

ଭାରତ ସହ ନିଜ ଦେଶକୁ ତୁଳନା କରି ସଂସଦରେ କ୍ଷୋଭବ୍ୟକ୍ତ କରିଛନ୍ତି ପାକିସ୍ତାନର ଜଣେ ମୌଳବାଦୀ ନେତା। ଦୁଇ ଦେଶ ଏକା ସାଙ୍ଗରେ ସ୍ୱାଧୀନତା ପାଇଥିଲା, ତାଙ୍କୁ(ଭାରତ) ଦେଖ ଆଉ ଆମକୁ ଦେଖ ବୋଲି କହିଛନ୍ତି ପାକିସ୍ତାନର ଅଗ୍ରଣୀ ଦକ୍ଷିଣପନ୍ଥୀ ଇସଲାମୀ ନେତା ମୌଲାନା ଫଜଲୁର ରେହମାନ।

ସୋମବାର ସଂସଦ ଅଧିବେଶନରେ ରେହମାନ ତାଙ୍କ ପୂର୍ବ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ତେହେରିକ-ଇ-ଇନସାଫ ସମର୍ଥନରେ ବାହାରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳର ରାଲି କରିବାର ଏବଂ ସରକାର ଗଠନ କରିବାର ଅଧିକାର ରହିଛି।

ବାସ୍ତବରେ ସଂସଦରେ ପିଟିଆଇ ନେତା ଅସଦ କ୍ୱାସେର ରାଲି ପାଇଁ ଦାବି କରିଥିଲେ। ଏହାର ପ୍ରତିକ୍ରିୟାରେ ରେହମାନ କହିଥିଲେ, ଅସଦଙ୍କ ଦାବି ଯଥାର୍ଥ। ପିଟିଆଇର ରାଲି କରିବାର ଅଧିକାର ରହିଛି। ସେମାନେ ଯଦି ସଂଖ୍ୟା ଗରିଷ୍ଠତା ହାସଲ କରିଥାନ୍ତି, ତେବେ ତାଙ୍କୁ ସରକାର ଗଢିବାକୁ ଅନୁମତି ଦିଆଯାଉ ବୋଲି ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ରେହମାନ।

ସେ ଆହୁରି କହିଛନ୍ତି "ଆମେ ୨୦୧୮ ନିର୍ବାଚନକୁ ବିରୋଧ କରିଥିଲୁ ଏବଂ ଆମେ ମଧ୍ୟ (ଫେବୃଆରୀ ୮ରେ ହୋଇଥିବା ମତଦାନ) ଉପରେ ଆପତ୍ତି ଉଠାଉଛୁ। ଯଦି ୨୦୧୮ ମତଦାନକୁ କଡ଼ାକଡ଼ି କରାଯାଇଥିଲା, ତେବେ ବର୍ତ୍ତମାନର ନିର୍ବାଚନ କାହିଁକି କଠୋର ହୋଇନାହିଁ?"

ପାକିସ୍ତାନ ମୁସଲିମ ଲିଗ (ନୱାଜ) ଏବଂ ପାକିସ୍ତାନୀ ପିପୁଲ୍ସ ପାର୍ଟିର ଶାସକ ମିଳିତ ମଞ୍ଚ ଏବେ ସରକାରରେ। ଯଦି ପିଟିଆଇ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିଛି ତେବେ ତାଙ୍କୁ ସରକାର ଗଠନ କରିବାକୁ ଅନୁମତି ଦିଆଯାଉ ବୋଲି ରେହମାନ କହିଛନ୍ତି।

ଏହି ସମୟରେ ରେହମାନ ଦେଶର ଦେବାଳିଆ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରି ପଡ଼ୋଶୀ ଭାରତର ବିକାଶକୁ ଉଦାହରଣ ଦେଇଥିଲେ। ସେ କହିଛନ୍ତି, "ଭାରତ ସହ ନିଜକୁ ତୁଳନା କରନ୍ତୁ। ଗୋଟିଏ ଦିନରେ ଦୁଇ ଦେଶ ସ୍ୱାଧୀନତା ପାଇଥିଲେ। କିନ୍ତୁ ଆଜି ସେମାନେ (ଭାରତ) ମହାଶକ୍ତି ହେବାକୁ ସ୍ୱପ୍ନ ଦେଖୁଛନ୍ତି, ଆମେ ଦେବାଳିଆ ପରିସ୍ଥିତିକୁ ଏଡ଼ାଇବା ପାଇଁ ଅନୁରୋଧ କରୁଛୁ।"