ଏନ୍ଆଇଏନ୍ଏଲ୍ କାରଖାନାରେ ଶ୍ରମିକ ନିଖୋଜ ମାମଲା: ମାଟି ତଳୁ ମିଳିଲା ମୃତଦେହ
ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୨ା୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା ଷ୍ଟିଲ୍ ଦ୍ୱାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍(ଏନ୍ଆଇଏନ୍ଏଲ୍)ର ବ୍ୟାଚିଂ ପ୍ଲାଣ୍ଟ ନିକଟ ମାଟି ତଳୁ ନିଖୋଜ ଶ୍ରମିକ ସିଲୁ ପ୍ରଧାନ(୨୨)ଙ୍କ ମୃତଦେହକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଶନିବାର କଢ଼ାଯାଇଛି। ସିଲୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଠିକାସଂସ୍ଥା ସତ୍ୟମ ଏଣ୍ଟରପ୍ରାଇଜେସ୍ ଅଧୀନରେ କାର୍ଯ୍ୟରତ ଅପରେଟର ସନସାଇଲୋ ଗ୍ରାମର ଜଗଦୀଶ ମହନ୍ତ, ଯୋରନ୍ଦା ଗ୍ରାମର ସୁପରଭାଇଜର ତାରିଣୀପ୍ରସାଦ […] The post ଏନ୍ଆଇଏନ୍ଏଲ୍ କାରଖାନାରେ ଶ୍ରମିକ ନିଖୋଜ ମାମଲା: ମାଟି ତଳୁ ମିଳିଲା ମୃତଦେହ appeared first on Dharitri Odia News.
ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୨ା୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା ଷ୍ଟିଲ୍ ଦ୍ୱାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍(ଏନ୍ଆଇଏନ୍ଏଲ୍)ର ବ୍ୟାଚିଂ ପ୍ଲାଣ୍ଟ ନିକଟ ମାଟି ତଳୁ ନିଖୋଜ ଶ୍ରମିକ ସିଲୁ ପ୍ରଧାନ(୨୨)ଙ୍କ ମୃତଦେହକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଶନିବାର କଢ଼ାଯାଇଛି। ସିଲୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଠିକାସଂସ୍ଥା ସତ୍ୟମ ଏଣ୍ଟରପ୍ରାଇଜେସ୍ ଅଧୀନରେ କାର୍ଯ୍ୟରତ ଅପରେଟର ସନସାଇଲୋ ଗ୍ରାମର ଜଗଦୀଶ ମହନ୍ତ, ଯୋରନ୍ଦା ଗ୍ରାମର ସୁପରଭାଇଜର ତାରିଣୀପ୍ରସାଦ ମହନ୍ତ, ହରିଚନ୍ଦନପୁର ଅଞ୍ଚଳର ମିଲର ଡ୍ରାଇଭର ପଦ୍ମଲୋଚନ ମହନ୍ତ ଓ ଆକାଉଣ୍ଟାଣ୍ଟ ଆଲୋକ ପାତ୍ରଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଏନେଇ କଳିଙ୍ଗନଗର ଥାନାରେ ଏନେଇ ଏକ ମାମଲା(ନଂ.୨୮୬/୨୦୨୪) ରୁଜୁ ହୋଇଛି। ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି। ବ୍ୟାଚିଂ ପ୍ଳାଣ୍ଟରେ ଦୁର୍ନୀତି ଟଙ୍କା ଭାଗବଣ୍ଟାରେ ବିବାଦ ହୋଇଥିବା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଠିକାସଂସ୍ଥା ଜରିଆରେ ଏନ୍ଆଇଏନ୍ଏଲ୍ର ବ୍ୟାଚିଂ ପ୍ଲାଣ୍ଟ ପରିଚାଳିତ ହେଉଥିଲା। ବ୍ୟାଚିଂ ପ୍ଲାଣ୍ଟରେ ବ୍ୟବହୃତ ତେଲ, ଚିପ୍ସ, ସିମେଣ୍ଟ ଇତ୍ୟାଦି ସାମଗ୍ରୀ ବାହାରେ ବିକ୍ରି କରି ଠିକାସଂସ୍ଥାର କେତେଜଣ କର୍ମଚାରୀ ବେଶ୍ ମୁନାଫା ଅର୍ଜନ କରୁଥିଲେ। କିନ୍ତୁ ଘଟଣା ଘଟିବାର ୨/୩ ଦିନ ପୂର୍ବରୁ ଏହି କର୍ମଚାରୀମାନଙ୍କ ମଧ୍ୟରେ ଟଙ୍କା ଭାଗବଣ୍ଟାକୁ ନେଇ ବଚସା ହୋଇଥିଲା। ଏହାପରେ ଉପରୋକ୍ତ ୪ ଜଣ ଅଭିଯୁକ୍ତ ମିଳିମିଶି ହେଲପର ସିଲୁଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ।
ଯୋଜନା ଅନୁସାରେ, ୩୦ ତାରିଖ ସନ୍ଧ୍ୟାରେ ସିଲୁ ବ୍ୟାଚିଂ ପ୍ଲାଣ୍ଟର ମେଶିନ ଯାଞ୍ଚ କରୁଥିବା ସମୟରେ ଅନ୍ୟ ୪ ଜଣ ତାହାର ସୁଇଚ୍କୁ ଅନ୍ କରି ଦେଇଥିଲେ। ଫଳରେ ସେଥିରେ ସିଲୁ ଚାପି ହୋଇ ପ୍ରାଣ ହରାଇଥିଲେ। ଏହାପରେ ୪ ଅଭିଯୁକ୍ତ ପ୍ଲାଣ୍ଟ ନିକଟରେ ଜେସିବି ମେଶିନରେ ପ୍ରାୟ ୧୫ ଫୁଟ ଗାତ ଖୋଳି ସିଲୁଙ୍କୁ ଏକ ପଲିଥିନରେ ବାନ୍ଧି କୌଣସି ଏକ କେମିକାଲ ମିଶାଇ ପୋତି ଦେଇଥିଲେ। ଏପରିକି ପୋଲିସକୁ ଭୁଆଁ ବୁଲାଇବାକୁ ସିଲୁଙ୍କ ମୋବାଇଲ ଫୋନ୍କୁ ପାଣିକୋଇଲି ପର୍ଯ୍ୟନ୍ତ ନେଇ ଯାଇଥିଲେ। ସେହି ମୋବାଇଲ ଫୋନ୍ ଏଯାଏ ମିଳିପାରିନାହିଁ। ଏହାପରେ ୪ ଅଭିଯୁକ୍ତ ସେହିଦିନ ରାତି ୧୧ଟାରେ ଏକାସାଙ୍ଗେ ବାହାରକୁ ବାହାରିଥିଲେ। କିନ୍ତୁ ସିଲୁ ସେମାନଙ୍କ ସହିତ ନ ଥିଲେ। କଳିଙ୍ଗନଗର ଥାନା ପୋଲିସ ଏହାକୁ ଗୁରୁତ୍ୱର ଭାବେ ଗ୍ରହଣ କରି ୪ ଜଣଙ୍କୁ ଅଟକାଇ ଜେରା କରିଥିଲା। ଏହାପରେ ହତ୍ୟାକାଣ୍ଡର ସତ୍ୟ ସେମାନଙ୍କ ମୁହଁରୁ ଜଣାପଡ଼ିଥିଲା।
The post ଏନ୍ଆଇଏନ୍ଏଲ୍ କାରଖାନାରେ ଶ୍ରମିକ ନିଖୋଜ ମାମଲା: ମାଟି ତଳୁ ମିଳିଲା ମୃତଦେହ appeared first on Dharitri Odia News.