ଏପ୍ରିଲ ୧୬ରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା
ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ଚଳିତ ବର୍ଷ ଅଶୋକାଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଚଳିତ ବର୍ଷ ଶୃଙ୍ଖଳିତ ଭାବରେ ଜାଗରଯାତ୍ରା ଅନୁଷ୍ଠିତ ହୋଇଥିବାରୁ ସେବାୟତ ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଜିଲାପାଳ ଧନ୍ୟବାଦ ଦେଇଥିଲେ। ଜିଲାପାଳ ଶ୍ରୀ ରାଣା ଚଳିତ ବର୍ଷ ଅଶୋକାଷ୍ଟମୀ ରଥଯାତ୍ରା ନିମନ୍ତେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଆସନ୍ତା ମାସ ତଥା ଏପ୍ରିଲ […]

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ଚଳିତ ବର୍ଷ ଅଶୋକାଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଚଳିତ ବର୍ଷ ଶୃଙ୍ଖଳିତ ଭାବରେ ଜାଗରଯାତ୍ରା ଅନୁଷ୍ଠିତ ହୋଇଥିବାରୁ ସେବାୟତ ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଜିଲାପାଳ ଧନ୍ୟବାଦ ଦେଇଥିଲେ। ଜିଲାପାଳ ଶ୍ରୀ ରାଣା ଚଳିତ ବର୍ଷ ଅଶୋକାଷ୍ଟମୀ ରଥଯାତ୍ରା ନିମନ୍ତେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଆସନ୍ତା ମାସ ତଥା ଏପ୍ରିଲ ୧୬ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କର ଅଶୋକାଷ୍ଟମୀ ରଥଯାତ୍ରା ଅନୁଷ୍ଠିତ ହେବ।ଏହି ଦିନ ଭୋର ୫ ଘଟିକା ସମୟରେ ମଙ୍ଗଳ ଆଳତି ଓ ଅବକାଶ, ସମୟାନୁଯାୟୀ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇ ଅପରାହ୍ନ ୩.୩୦ ସମୟରେ ରଥଟଣା ହେବ ।
ସେହିପରି ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଉକ୍ତ ରଥଯାତ୍ରା ସମୟରେ ସଂପୃକ୍ତ ବିଭାଗଗୁଡ଼ିକ ନିଜ ନିଜର ଦାୟିତ୍ୱ ସଂପନ୍ନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିର ଆଲୋକ ସଜ୍ଜା, ପରିଷ୍କାର ପରିଚ୍ଛନ୍ନତା, ଆଲୋକୀକରଣ, ଜଳଯୋଗାଣ, ଅଗ୍ନିଶମ ବାହିନୀ ମୁତୟନ, ଆଶୁ ଆରୋଗ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ସେବା, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲିବା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ। ଏଥି ସହ ପାନୀୟ ଜଳଯୋଗାଣ ଓ ଜଳସିଂଚନ ନିମନ୍ତେ ବିଭିନ୍ନ ବେସରକାରୀ ସଂଗଠନଗୁଡ଼ିକର ମଧ୍ୟ ସହଯୋଗ ଲୋଡ଼ା ଯାଇଛି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି, ଉପଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟ, ଦେବୋତ୍ତର ବିଭାଗର ଆସିଷ୍ଟାଣ୍ଟ କମିଶନର, ଭୁବନେଶ୍ୱର ତହସିଲଦାର, ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ, ସେବାୟତ, ବିଭିନ୍ନ ନିଯୋଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।