ଏବେ ବି କାରଣ ଅସ୍ପଷ୍ଟ ! କାହିଁକି ଘଟିଲା ମଦମୃତ୍ୟୁ..? କ’ଣ ଏହି ‘ସମୂଦି ମୂଳ’ ?
‘ସମୂଦି ମୂଳ’ ମିଶାଇଥିବା ଅଭିଯୁକ୍ତର ସ୍ୱୀକାରୋକ୍ତି ନେଇ SPଙ୍କ ସୂଚନା । ପରୀକ୍ଷା ପାଇଁ ଯାଇଛି ଲ୍ୟାବ୍, ଭିସେରା ରିପୋର୍ଟକୁ ବି ଅପେକ୍ଷା ।
ପାଞ୍ଚ ପାଞ୍ଚଟି ଜୀବନ ଗଲା । ୧୨ ଦିନ ହେଲା ଘନ ଘନ ଚଢାଉ ହେଉଛି । ଅନେକ ପରୀକ୍ଷା, ତଦନ୍ତ ଚାଲିଛି । ହେଲେ ଏଯାଏଁ ଜଣାପଡିଲାନି ଚିକିଟି ମଦମୃତ୍ୟୁ ପଛର ପ୍ରକୃତ କାରଣ କଣ ? ମଦ ବିଷାକ୍ତ ହେଲା କାହିଁକି ? ଦେଶୀ ମଦରେ କିଛି ଅପମିଶ୍ରଣ ହୋଇଥିଲା କି?
MKCG ମେଡିକାଲ୍ ଅଧୀକ୍ଷକ ଏବଂ ଶବ ବ୍ୟବଚ୍ଛେଦ ବିଭାଗ ମୁଖ୍ୟ ଇସାରା କରିଛନ୍ତି ମଦରେ ଅପମିଶ୍ରଣ ଆଡକୁ। କହିଛନ୍ତି, ସାଧାରଣତଃ ମିଥାଇଲ ଆଲକହଲ ଯୋଗୁଁ ମଦ ମୃତ୍ୟୁ ହୋଇଥାଏ। ରୋଗୀର ଆଖି ଉପରେ ପ୍ରଭାବ ପଡିଥାଏ । ହେଲେ ଚିକିଟି ମଦମୃତ୍ୟୁ ପୁରା ଭିନ୍ନ। ରୋଗୀ ଲକ୍ଷଣରୁ ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇଥିବା ସନ୍ଦେହ କରିଛନ୍ତି ସୁପରିଟେଣ୍ଡେଣ୍ଟ। FMT ମୁଖ୍ୟ ବି କହିଛନ୍ତି, ଅପମିଶ୍ରଣ ବା ବିଷକ୍ରିୟାରୁ ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ତଥ୍ୟ ପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା ରହିଛି।
ଏହାରି ଭିତରେ ସାମ୍ନାକୁ ଆସିଛି ଜଙ୍ଗଲୀ ଚେର ସମୂଦି ମୂଳର ନାଁ। ଖୋଦ୍ ମଦ ପ୍ରସ୍ତୁତକାରୀ ତଥା ଚିକିଟି ମଦ ମୃତ୍ୟୁ ଘଟଣାରେ ଗିରଫ ସୁରେନ୍ଦ୍ର ମଲ୍ଲିକ ବ୍ରହ୍ମପୁର ଏସପିଙ୍କ ଆଗରେ କହିଛି ଯେ, ଅଧିକ ନିଶା ପାଇଁ ସେଦିନ ମଦରେ ସେ ଜଙ୍ଗଲୀ ଚେର ସମୂଦି ମୂଳକୁ ମିଶାଇଥିଲା। ଅଧିକ ପରିମାଣରେ ମିଶା ଯାଇଥିବା ଯୋଗୁଁ ଏବଂ ପାର୍ଶ୍ୱପ୍ରତିକ୍ରିୟା ଘଟି ମଦ ବିଷାକ୍ତ ହୋଇଥାଇପାରେ ବୋଲି ଆଶଙ୍କା କରିଛନ୍ତି ଏସପି।
ତେବେ ଏହି ଜଙ୍ଗଲୀ ଚେରର ବଟାନିକାଲ ନାଁ ଖୋଜାଯାଉଥିଲେ ବି ଜଣାପଡିନି। ଫଳରେ ଚେର ସିଜ୍ କରାଯାଇ ପରୀକ୍ଷା ପାଇଁ ଫରେନସିକ୍ ଲ୍ୟାବକୁ ପଠାଯାଇଥିବା କହିଛନ୍ତି ଏସପି।
ଗତ ୨୦ ତାରିଖରେ ଚିକିଟି ଅଂଚଳରେ ଘଟିଥିବା ମଦମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ। ରାଜ୍ୟ ସାରା ଦେଶୀ ମଦ ଭାଟିରେ ଚାଲିଛି ମାରାଥନ୍ ଚଢାଉ। ସେପଟେ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହେଲେ ଏବେବି ରହସ୍ୟରେ ରହିଛି ମଦମୃତ୍ୟୁ ପଛର କାରଣ।