ଏସ୍‌ଏଚ୍‌ଜି ନେତୃତ୍ୱ ପରିବର୍ତ୍ତନ : ଗାଁ ଗାଁରେ ବିବାଦ, ଘରେ ଘରେ କଳି ପୂରାଇଲେ ସରକାର

ଯାଜପୁର : ରାଜ୍ୟରେ ସରକାର ବଦଳିବା ପରେ ଶକ୍ତି ହରାଉଛି ମିଶନ ଶକ୍ତି। ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିିଭିନ୍ନ ଜିଲ୍ଲାରେ ସୁଧମୁକ୍ତ ଋଣ ଲଗାଣ ଲକ୍ଷ ୫୦% ପୂରର ହୋଇ ପାରିଲା ନାହିଁ। ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅବସ୍ଥା ମଧ୍ୟ ଅନୁରୂପ। ବିଡ଼ମ୍ବନା ହେଉଛି ଚଳିତ ମାସରେ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱ ପରିବର୍ତ୍ତନ ନିମନ୍ତେ ଜାରି କରିଥିବା ନିର୍ଦ୍ଦେଶନାମା ଘରେ ଘରେ କଳି ପୂରାଇଛି । ଚଳିତ ମାସରେ ସରକାର ମହିଳା […]

ଏସ୍‌ଏଚ୍‌ଜି ନେତୃତ୍ୱ ପରିବର୍ତ୍ତନ : ଗାଁ ଗାଁରେ ବିବାଦ, ଘରେ ଘରେ କଳି ପୂରାଇଲେ ସରକାର
SHG leadership change in odisha

ଯାଜପୁର : ରାଜ୍ୟରେ ସରକାର ବଦଳିବା ପରେ ଶକ୍ତି ହରାଉଛି ମିଶନ ଶକ୍ତି। ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିିଭିନ୍ନ ଜିଲ୍ଲାରେ ସୁଧମୁକ୍ତ ଋଣ ଲଗାଣ ଲକ୍ଷ ୫୦% ପୂରର ହୋଇ ପାରିଲା ନାହିଁ। ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅବସ୍ଥା ମଧ୍ୟ ଅନୁରୂପ। ବିଡ଼ମ୍ବନା ହେଉଛି ଚଳିତ ମାସରେ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱ ପରିବର୍ତ୍ତନ ନିମନ୍ତେ ଜାରି କରିଥିବା ନିର୍ଦ୍ଦେଶନାମା ଘରେ ଘରେ କଳି ପୂରାଇଛି ।

ଚଳିତ ମାସରେ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ନେତୃତ୍ୱ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯାହାକୁ ନେଇ ଯାଜପୁର ଜିଲ୍ଲାର ଗାଁ ଗାଁରେ ବିବାଦ ସୃଷ୍ଟି ହୋଇଛି। ଜିଲ୍ଲାର ୫୦ ହଜାର ପଦରେ ନିଜ ମନଲାଖି ମହିଳାଙ୍କୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ସଭାପତି, ସମ୍ପାଦିକା ପଦରେ ବସାଇବା ପାଇଁ ଶାସକ ଦଳ ମସୁଧା ଆରମ୍ଭ କରିଛି। ଦକ୍ଷ ନେତୃତ୍ୱଙ୍କୁ ଅପସାରଣ କରି ନିଜ କର୍ମୀଙ୍କୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ନେତୃତ୍ୱ ଦେବା ପାଇଁ ଶାସକ ଦଳର ଷଡ଼ଯନ୍ତ୍ରରେ ଜିଲ୍ଲାର ୩ ଲକ୍ଷରୁ ଅଧିକ ମହିଳା ଘାଣ୍ଟି ହେଉଛନ୍ତି। ସରକାରଙ୍କ ମନ୍ଦ ବିଚାରଧାରା ପାଇଁ ଏସ୍‌ଏଚ୍‌ଜିର ଧନବଳ ଉଜୁଡ଼ି ଯାଇଛି, ମହିଳା ସଶକ୍ତିକରଣ ପାଇଁ ଏସ୍‌ଏଚ୍‌ଜିର ମନୋବଳ ବି ଭାଙ୍ଗିବାକୁ ବସିଲାଣି। ଏପରିକି ଜିଲ୍ଲାରେ ଗଢ଼ା ଯାଇଥିବା ୨୪ ହଜାରରୁ ଅଧିକ ଏସ୍‌ଏଚ୍‌ଜିର ରୋଜଗାର ପୂର୍ବ ବର୍ଷ ତୁଳନାରେ ୭୦% ହ୍ରାସ ପାଇଥିବା ସରକାରୀ ରିପୋର୍ଟ କହୁଛି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀ, ଆଂଚଳିକ ମଂଚ, ମହାସଂଘର ପୁନର୍ଗଠନ ପ୍ରକ୍ରିୟାକୁ ଚଳିତ ମାସରେ ସମ୍ପୂର୍ଣ୍ଣ କରାଯିବ। ଏସ୍‌ଏଚ୍‌ଜି ପୁନର୍ଗଠନ ପ୍ରକ୍ରିୟାରେ ନେତୃତ୍ୱ ପରିବର୍ତ୍ତନକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ଯେଉଁମାନେ ଲଗାତର ୨ ଥର ସଭାପତି ଓ ସମ୍ପାଦିକା ରହିଥିବେ ସେମାନେ ଏସ୍‌ଏଚ୍‌ଜିରେ ପଦାଧିକାରୀ ହୋଇ ପାରିବେ ନାହିଁ ବୋଲି ସରକାରଙ୍କ ସର୍ତ୍ତରେ ଉଲ୍ଲେଖ ଅଛି। ଫଳରେ ଜିଲ୍ଲାର ୫୦ ହଜାର ପଦରେ ନୂତନ ନେତୃତ୍ୱ ଚୟନ କରାଯିବ।

ବିଗତ ବର୍ଷରେ ଜିଲ୍ଲାର ୨୪୮୬୭ ଗୋଟି ଏସ୍‌ଏଚ୍‌ଜିରେ ସଭାପତି ଓ ସମ୍ପାଦିକା ପଦ ସମ୍ଭାଳିଥିବା ମହିଳାଗଣ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ବିଭିନ୍ନ ଗୋଷ୍ଠୀ ଭିତ୍ତିକ ଅନୁଷ୍ଠାନରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ସରକାରଙ୍କ ଏସ୍‌ଏଚ୍‌ଜି ନେତୃତ୍ୱ ପରିବର୍ତ୍ତନ ଅଭିଯାନରେ ଗାଁ ଗାଁରେ କାର୍ଯ୍ୟରତ ଦକ୍ଷ ମହିଳା ନେତୃତ୍ୱକୁ ଚାପି ଦିଆଯାଉଥିବା ଅଭିଯୋଗ ହୋଇଛି । ଏସ୍‌ଏଚ୍‌ଜି ସଭ୍ୟାଙ୍କ ସମ୍ମତି ଓ ସହଯୋଗରେ କାର୍ଯ୍ୟରତ ସଭାପତି ଓ ସମ୍ପାଦିକାଙ୍କୁ ବଦଳା ଯାଉଥିବାରୁ ଜିଲ୍ଲାର ୩ ଲକ୍ଷ ୨୭ ହଜାର୮୫୨ ମହିଳା ସ୍ୱୟଂ ସହାୟକ ସଭ୍ୟା ପ୍ରଭାବିତ ହେବେ ବୋଲି କୁହାଯାଉଛି।

ପ୍ରତ୍ୟେକ ରାଜସ୍ୱ ଗ୍ରାମରେ କାର୍ଯ୍ୟରତ ଆଞ୍ଚଳିକ ମଞ୍ଚ(ସିଏଲଏଫ୍‌)ର ନେତୃତ୍ୱ ଓ କାର୍ଯ୍ୟକାରୀ କମିଟି ସଭ୍ୟାଙ୍କୁ ବଦଳାଇବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଞ୍ଚଳିକ ମଞ୍ଚରେ ନେତୃତ୍ୱର ଆମୂଳଚୁଳ ପରିବର୍ତ୍ତନ ଗ୍ରାମୀଣ ଜୀବିକା ମିଶନକୁ ଗ୍ରାମ୍ୟସ୍ତରରେ ଦୁର୍ବଳ କରିବାକୁ ଯାଉଛି। ସରକାର ଏସ୍‌ଏଚ୍‌ଜି, ଆଞ୍ଚଳିକ ମଞ୍ଚ,ମହାସଂଘ ଗୁଡ଼ିକୁ ଏକ ଧାରାକୁ ଆଣିବା ପାଇଁ ଓ ବିଭିନ୍ନ ସ୍ତରରେ ସେମାନଙ୍କ ଯୋଗଦାନ, ନେତୃତ୍ୱ ଓ ନିଷ୍ପତ୍ତି ନେବା ଦକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଆଗ୍ରହ ରହି ନାହିଁ। ଏହି କ୍ରମରେ ଦଳୀୟ ଭିତ୍ତିରେ ଏସ୍‌ଏଚ୍‌ଜିଗୁଡ଼ିକୁ ବ୍ୟବହାର କରିବା ପାଇଁ ଶାସକ ଦଳ ଗୋଟି ଚଳାଉଥିବା ଅଭିଯୋଗ ହୋଇଛି ଏବଂ ଜିଲ୍ଲାର ମହିଳାମାନେ ଏହି ରାଜନୀତିର ଶିକାର ହୋଇଛନ୍ତି ।