ଓଡ଼ିଆ ଅସ୍ମିତାର ବିପରୀତ ଗତି : ଅଧା କରିଦେଲେ ଶ୍ରୀବଳଦେବ ଜୀଉଙ୍କ ଅନୁଦାନ
ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହେବ ଦେବାଳୟ ଯୋଜନା। ମଠ ମନ୍ଦିରର ଉନ୍ନତି କରାଯିବ। ଭଲ ସୁରକ୍ଷା ବ୍ୟବସ୍ଥା ହେବ, ରକ୍ଷଣାବେକ୍ଷଣ କରାଯିବ। ଶ୍ରୀମନ୍ଦିର ସମେତ ରାଜ୍ୟରେ ଥିବା ଦେବାଳୟଗୁଡିକ ନୂଆ ରୂପ ପାଇବ। ରାଜ୍ୟ ସରକାର ଗୋଟିଏ ପଟେ ଏପରି ଘୋଷଣା କରୁଛନ୍ତି । ମାତ୍ର କାର୍ଯ୍ୟରେ ଠିକ୍ ଏହାର ବିପରୀତ ଆଚରଣ କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ତୁଳସୀକ୍ଷେତ୍ର କୁହାଯାଉଥିବା କେନ୍ଦ୍ରାପଡ଼ାର ଶ୍ରୀ ବଳଦେବ ଜୀଉ ମନ୍ଦିରକୁ ଯେତିକି ଅନୁଦାନ ମିଳୁଥିଲା, […]

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହେବ ଦେବାଳୟ ଯୋଜନା। ମଠ ମନ୍ଦିରର ଉନ୍ନତି କରାଯିବ। ଭଲ ସୁରକ୍ଷା ବ୍ୟବସ୍ଥା ହେବ, ରକ୍ଷଣାବେକ୍ଷଣ କରାଯିବ। ଶ୍ରୀମନ୍ଦିର ସମେତ ରାଜ୍ୟରେ ଥିବା ଦେବାଳୟଗୁଡିକ ନୂଆ ରୂପ ପାଇବ। ରାଜ୍ୟ ସରକାର ଗୋଟିଏ ପଟେ ଏପରି ଘୋଷଣା କରୁଛନ୍ତି । ମାତ୍ର କାର୍ଯ୍ୟରେ ଠିକ୍ ଏହାର ବିପରୀତ ଆଚରଣ କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ତୁଳସୀକ୍ଷେତ୍ର କୁହାଯାଉଥିବା କେନ୍ଦ୍ରାପଡ଼ାର ଶ୍ରୀ ବଳଦେବ ଜୀଉ ମନ୍ଦିରକୁ ଯେତିକି ଅନୁଦାନ ମିଳୁଥିଲା, ବିଜେପି ସରକାର ତାହାକୁ କାଟି ଅଧା କରି ଦେଇଛନ୍ତି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଶ୍ରୀ ମନ୍ଦିର ସହ କେନ୍ଦ୍ରାପଡ଼ାର ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିରର ନୀତିକାନ୍ତିର ଅନେକ ସାମଞ୍ଜସ୍ୟ ରହିଛି । ଧାର୍ମିକ ଦୃଷ୍ଟିରୁ ମଧ୍ୟ କେନ୍ଦ୍ରପଡ଼ାର ଏହି ମନ୍ଦିର ଅନେକ ଗୁରୁତ୍ୱବହନ କରେ। ମନ୍ଦିରର ଗୁରୁତ୍ୱ, ଲୋକଙ୍କ ଧର୍ମୀୟ ଆସ୍ଥାକୁ ଦୃଷ୍ଟିରେ ରଖି ବିଜେଡି ସରକାର ଆର୍ଥିକ ଅନୁଦାନ ବ୍ୟବସ୍ଥା କରିଥିଲେ। ପ୍ରତି ବର୍ଷ ରଥଯାତ୍ରାରେ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାଜ୍ୟ ସରକାର ଆଇନ୍ ବିଭାଗ ଜରିଆରେ ୧୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ ବ୍ୟବସ୍ଥା କରିଥିଲେ। ମାତ୍ର ରାଜ୍ୟରେ ବିଜେପି ସରକାର ଅନୁଦାନ ତ ବଢ଼ାଇଲେ ନାହିଁ, ଓଲଟି ତାହାକୁ କମାଇ ଅଧା କରି ଦେଇଥିବା ଅଭିଯୋଗ ହୋଇଛି ।
ଚଳିତ ବର୍ଷ ନୂଆ ସରକାର ଗଠନ ପରେ ରଥଯାତ୍ରା ପଡିଥିଲା। ସେତେବେଳେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକ ବେଳେ ଅଧିକ ଅର୍ଥ ଆବଶ୍ୟକ ହେଉଥିବାରୁ ଅନୁଦାନ ବୃଦ୍ଧି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଜେଡି ସରକାର ଅମଳରେ ମନ୍ଦିର ପ୍ରଶାସନ ପକ୍ଷରୁ ୧୫ରୁ ୨୦ ଲକ୍ଷ ଟଙ୍କା ଅନୁଦାନ ପାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିଲା; କିନ୍ତୁ ସରକାର ୧୦ ଲକ୍ଷ ଟଙ୍କା ଦେଇଥିଲେ। ଏପରିକି କୋଭିଡ୍ ମହାମାରୀ ସମୟରେ ବି ନବୀନ ସରକାର ଅନୁଦାନ କାଟ କରିନଥିଲେ। ଓଡିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତିର ଦ୍ୱାହିଦେଇ ବିଜେପି କ୍ଷମତାକୁ ଆସିବା ପରେ ଏଥର ରଥଯାତ୍ରାରେ ଅଧିକ ଅନୁଦାନ ମିଳିବ ବୋଲି କେନ୍ଦ୍ରାପଡ଼ାବାସୀ ଆଶା ରଖିଥିଲେ। ତେଣୁ ଏଥର ଅଧିକ ଅନୁଦାନ ଦିଆଯାଉ ବୋଲି ନୂଆ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଅଧିକ ଅନୁଦାନ ଦେବେ କଣ ଯାହା ମିଳୁଥିଲା ତାକୁ ବି କାଟି ଅଧା କରିଦେଲେ। ଏହାକୁ ନେଇ ଜଗନ୍ନାଥ ପ୍ରେମୀ ନିନ୍ଦା କରିବା ସହିତ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛନ୍ତି ।