ଓଡ଼ିଶାର ଦ୍ୱିତୀୟ ଘଟଣା: ଲାପ୍ରୋସ୍କୋପିରେ ଥାଇରଡ୍‌ ଟ୍ୟୁମର ସର୍ଜରି

ଭୁବନେଶ୍ୱର,୪ା୫(ବନ୍ଦନା ସେଠୀ): ଏକ୍ସଇଲୋ ବ୍ରେଷ୍ଟ ଆପ୍ରୋଚ୍‌ (ଏବିଏ) ପଦ୍ଧତିରେ ଥାଇରଡ୍‌ ଟ୍ୟୁମର ସର୍ଜରି କ୍ଷେତ୍ରରେ ଭୁବନେଶ୍ୱର ପିଜିଆଇଏମ୍‌ଇଆର୍‌ ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲ ଆଉ ଏକ ସଫଳତା ହାସଲ କରିଛି। ଥାଇରଡ୍‌ରେ ହୋଇଥିବା ଟ୍ୟୁମରକୁ ଲାପ୍ରୋସ୍କୋପି ମାଧ୍ୟମରେ ସର୍ଜରି କରାଯାଇ ବାହାର କରାଯାଇଛି। କ୍ୟାପିଟାଲ ହସ୍ପିଟାଲ୍‌ ସର୍ଜରି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ଶ୍ରୀକାନ୍ତ ପାତ୍ର ଓ ତାଙ୍କ ଟିମ୍‌ ଶନିବାର ଏହି ସର୍ଜରିକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ୨ଘଣ୍ଟା ୧୫ ମିନିଟ୍‌ ଧରି ଏହି ଅପରେଶନ୍‌ […] The post ଓଡ଼ିଶାର ଦ୍ୱିତୀୟ ଘଟଣା: ଲାପ୍ରୋସ୍କୋପିରେ ଥାଇରଡ୍‌ ଟ୍ୟୁମର ସର୍ଜରି appeared first on Dharitri Odia News.

ଓଡ଼ିଶାର ଦ୍ୱିତୀୟ ଘଟଣା: ଲାପ୍ରୋସ୍କୋପିରେ ଥାଇରଡ୍‌ ଟ୍ୟୁମର ସର୍ଜରି

ଭୁବନେଶ୍ୱର,୪ା୫(ବନ୍ଦନା ସେଠୀ): ଏକ୍ସଇଲୋ ବ୍ରେଷ୍ଟ ଆପ୍ରୋଚ୍‌ (ଏବିଏ) ପଦ୍ଧତିରେ ଥାଇରଡ୍‌ ଟ୍ୟୁମର ସର୍ଜରି କ୍ଷେତ୍ରରେ ଭୁବନେଶ୍ୱର ପିଜିଆଇଏମ୍‌ଇଆର୍‌ ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲ ଆଉ ଏକ ସଫଳତା ହାସଲ କରିଛି। ଥାଇରଡ୍‌ରେ ହୋଇଥିବା ଟ୍ୟୁମରକୁ ଲାପ୍ରୋସ୍କୋପି ମାଧ୍ୟମରେ ସର୍ଜରି କରାଯାଇ ବାହାର କରାଯାଇଛି। କ୍ୟାପିଟାଲ ହସ୍ପିଟାଲ୍‌ ସର୍ଜରି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ଶ୍ରୀକାନ୍ତ ପାତ୍ର ଓ ତାଙ୍କ ଟିମ୍‌ ଶନିବାର ଏହି ସର୍ଜରିକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି।

୨ଘଣ୍ଟା ୧୫ ମିନିଟ୍‌ ଧରି ଏହି ଅପରେଶନ୍‌ କରାଯାଇଥିଲା। ବର୍ତ୍ତମାନ ସମ୍ପୃକ୍ତ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ କଥାବାର୍ତ୍ତା କରିପାରୁଛନ୍ତି। ୨ଦିନରେ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ। ସେହିପରି ଥାଇରଡ୍‌ ଟ୍ୟୁମରକୁ ଲାପ୍ରୋସ୍କାପି ମାଧ୍ୟମରେ ସଫଳତାର ସହ ସର୍ଜରି କରିବାରେ ଏହା ଓଡ଼ିଶାର ଦ୍ୱିତୀୟ ଘଟଣା।

କ୍ୟାପିଟାଲ ହସ୍ପିଟାଲରେ ଓଡ଼ିଆ ଡାକ୍ତରୀ ଟିମ୍‌ ଦ୍ୱାରା ପ୍ରଥମ କରି ଏହି ଅତ୍ୟାଧୁନିକ ପଦ୍ଧତିରେ ଥାଇରଡ୍‌ ଟ୍ୟୁମର ଅପରେଶନ କରାଯାଇଥିବାବେଳେ ୮/୧୦ବର୍ଷ ତଳେ ରାଜ୍ୟ ବାହାରୁ ଆସିଥିବା ଜଣେ ଡାକ୍ତର ଏଭଳି ଅପରେଶନ୍‌ କରିଥିଲେ ବୋଲି ଡା. ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଣପୁରର ୨୮ ବର୍ଷିୟା ରଶ୍ମିତା ବିଶ୍ୱାଳଙ୍କ ଥାଇରଡ୍‌ରେ ଏକ ଟ୍ୟୁମର ହୋଇଥିଲା। ଟ୍ୟୁମରକୁ କାଢିବା ପାଇଁ ବେକରେ ସର୍ଜରି ଆବଶ୍ୟକ ଥିଲା। ତେବେ ରଶ୍ମିତା ଏହାକୁ ଲାପ୍ରୋସ୍କୋପି ମାଧ୍ୟମରେ ସର୍ଜରି କରିବାକୁ ଚାହୁଁଥିଲେ। କାରଣ ସାଧାରଣ ସର୍ଜରିରେ ୮-୧୦ ସେଣ୍ଟିମିଟର କାଟିବାକୁ ପଡିଥାଏ, ଯାହାକି ଯନ୍ତ୍ରଣାଦାୟକ ହେବା ସହିତ ବେକ ବୁଲାଇବା ସମ୍ଭବପର ହୋଇ ନ ଥାଏ। ତେଣୁ ଏହି ସମସ୍ୟା ଦୂର କରିବାକୁ ଲାପ୍ରୋସ୍କୋପି ମାଧ୍ୟମରେ ଥାଇରଡ୍‌ ଟ୍ୟୁମର ଅପରେଶନ କରାଯାଇଥିଲା।

ଏଥିରେ ସମ୍ପୃକ୍ତ ରୋଗୀଙ୍କ କାଖ ପାଖରୁ ଅପରେଶନ କରି ବେକରୁ ଥାଇରଡ୍‌ ଗ୍ଲାଣ୍ଡ୍‌ ସେହିବାଟେ ବାହାର କରାଯାଇଥିଲା। ଏଥିପାଇଁ ୫ ମିଲିମିଟର ଓ ୧୦ ମିଲି ମିଟରର ହୋଲ୍‌ କରି ଏହି ଅପରେଶନ୍‌ କରାଯାଇଥିଲା। ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ସୁଶୀଲ ପଟ୍ଟନାୟକ, ନିଶ୍ଚେତକ ବିଭାଗ ମୁଖ୍ୟ ପ୍ରଫେସର ନିବେଦିତା ପାଣି ଏବଂ ପ୍ରଫେସର ନିହାର ନଳିନୀ ସେନାପତିଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ଅପରରେଶନ୍‌ରେ ଡା. ପାତ୍ରଙ୍କ ସମେତ ଡା. ପ୍ରିୟମ୍ବଦ ସାହୁ, ଡା. ରାମପଦ ମହାପାତ୍ର ସହଯୋଗ କରିଥିଲେ। ନିଶ୍ଚେତକ ବିଭାଗର ଡା. ଡି.ଭି. ରବି କୁମାର, ଡା. ଶ୍ରୀରାମ ଦାସ ସାମିଲ୍‌ ଥିଲେ।

The post ଓଡ଼ିଶାର ଦ୍ୱିତୀୟ ଘଟଣା: ଲାପ୍ରୋସ୍କୋପିରେ ଥାଇରଡ୍‌ ଟ୍ୟୁମର ସର୍ଜରି appeared first on Dharitri Odia News.