ଓଡ଼ିଶାରେ ବୌଦ୍ଧଧର୍ମ: ଭୌମକର ଓ ଯାଜପୁର

ଓଡ଼ିଶାରେ ଭୌମକରମାନେ କାମରୂପ (ଆସାମ)ର ଭୌମବଂଶର ଏକ ଅଂଶ ଭାବେ ଖ୍ରୀ ୭୩୬ରେ ଯାଜପୁରଠାରେ ସେମାନଙ୍କର ଶାସନ କାର୍ଯ୍ୟ ଆରମ୍ଭ କଲେ। ଓଡ଼ିଶାରେ ଏହି ବଂଶର ପ୍ରଥମ ରାଜା ଥିଲେ କ୍ଷେମେଙ୍କରଦେବ। ତାଙ୍କର ରାଜଧାନୀ ଥିଲା ଗୂହଦେବପାଟନି / ଗୂହେଶ୍ୱରପାଟକ, ଯାହା ବିରଜାକ୍ଷେତ୍ର ଅଞ୍ଚଳ ଥିଲା ଏବଂ ଏବେ ଯାଜପୁର କୁହାଯାଉଛି। ଅଷ୍ଟମ ଶତାବ୍ଦୀରେ ଭୌମକର ରାଜବଂଶର ଅଭ୍ୟୁଦୟ ଓଡ଼ିଶାରେ ମହାଯାନ ବୌଦ୍ଧଧର୍ମ ଇତିହାସରେ ଏକ ଉଲ୍ଲେଖନୀୟ ଘଟଣାକ୍ରମ। ଏହି ରାଜବଂଶ କାଳରେ ମହାଯାନରୁ ବଜ୍ରଯାନ ଉଦ୍ଭବ […]

ଓଡ଼ିଶାରେ ବୌଦ୍ଧଧର୍ମ: ଭୌମକର ଓ ଯାଜପୁର
sakala article

ଓଡ଼ିଶାରେ ଭୌମକରମାନେ କାମରୂପ (ଆସାମ)ର ଭୌମବଂଶର ଏକ ଅଂଶ ଭାବେ ଖ୍ରୀ ୭୩୬ରେ ଯାଜପୁରଠାରେ ସେମାନଙ୍କର ଶାସନ କାର୍ଯ୍ୟ ଆରମ୍ଭ କଲେ। ଓଡ଼ିଶାରେ ଏହି ବଂଶର ପ୍ରଥମ ରାଜା ଥିଲେ କ୍ଷେମେଙ୍କରଦେବ। ତାଙ୍କର ରାଜଧାନୀ ଥିଲା ଗୂହଦେବପାଟନି / ଗୂହେଶ୍ୱରପାଟକ, ଯାହା ବିରଜାକ୍ଷେତ୍ର ଅଞ୍ଚଳ ଥିଲା ଏବଂ ଏବେ ଯାଜପୁର କୁହାଯାଉଛି। ଅଷ୍ଟମ ଶତାବ୍ଦୀରେ ଭୌମକର ରାଜବଂଶର ଅଭ୍ୟୁଦୟ ଓଡ଼ିଶାରେ ମହାଯାନ ବୌଦ୍ଧଧର୍ମ ଇତିହାସରେ ଏକ ଉଲ୍ଲେଖନୀୟ ଘଟଣାକ୍ରମ।

ଏହି ରାଜବଂଶ କାଳରେ ମହାଯାନରୁ ବଜ୍ରଯାନ ଉଦ୍ଭବ ହେଲା। ବିରଜାକ୍ଷେତ୍ର ବା ଯାଜପୁର ଚାରିପାଖ ଅଞ୍ଚଳରେ ଲୋକଲୋଚନକୁ ଆସିଥିବା ବୌଦ୍ଧ କୀର୍ତ୍ତିରାଜି ଓ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ଅବଶେଷସବୁ ଏହି କାଳରେ ବଜ୍ରଯାନର ଅଭ୍ୟୁଦୟ ଓ ତାହାର ବିକାଶ ତଥା ପ୍ରଗତିର ବାର୍ତ୍ତା ଦେଇଥାଏ। ହୁଏନସାଂଙ୍କ ବିବରଣୀ (୭ମ ଶତାବ୍ଦୀ)ରୁ ଓଡ଼ିଶାରେ ମହାଯାନୀ ବୌଦ୍ଧ ଅନୁଷ୍ଠାନ ତଥା ଭିକ୍ଷୁ ବହୁସଂଖ୍ୟାରେ ଥିବାର ସୂଚନା ମଧ୍ୟ ମିଳିଥାଏ। ଭୌମରାଜା ଶିବକରଦେବ ୨ୟ ଉନ୍ମତ୍ତ ସିଂହ ନିଜ ସ୍ୱାକ୍ଷର ସହ ମହାଯାନ ବୌଦ୍ଧଶାସ୍ତ୍ର ‘ଗଣ୍ଡବ୍ୟୂହ’ରୁ ଖଣ୍ଡିଏ ଚୀନ୍‌‌ ସମ୍ରାଟଙ୍କ ନିକଟକୁ ଭିକ୍ଷୁ ପ୍ରଜ୍ଞାଙ୍କ ହାତରେ ପଠାଇଥିଲେ ଏବଂ ଏହି ଗ୍ରନ୍ଥଟି ସେଠାରେ ସେ ଚୀନ୍‌‌ ଭାଷାରେ ଖ୍ରୀ ୭୯୫ / ୭୯୮ରେ ଅନୁବାଦ କରିଥିବା ମଧ୍ୟ ଉଲ୍ଲେଖ ରହିଛି।

ପ୍ରାରମ୍ଭିକ କାଳର ଭୌମକରମାନେ ବୌଦ୍ଧଧର୍ମାବଲମ୍ବୀ ଥିଲେ ଏବଂ ମହାଯାନର ପ୍ରଚାର ପ୍ରସାର ନିମନ୍ତେ ଅକୁଣ୍ଠ ରାଜକୀୟ ସହଯୋଗର ହାତ ବଢ଼଼ାଇଥିଲେ। ଯାଜପୁର ଅଞ୍ଚଳର ରତ୍ନଗିରି, ଉଦୟଗିରି ଓ ଲଳିତଗିରି ଓ ପାଖାପାଖି ଅଞ୍ଚଳରେ ସେହି କାଳର (୮ମ-୧୦ମ ଶତାବ୍ଦୀ) ଯେଭଳି ଅସଂଖ୍ୟ ମହାଯାନୀ ଓ ବଜ୍ରଯାନୀ ବୌଦ୍ଧ ମୂର୍ତ୍ତି ସବୁ ଦେଖାଯାଉଛି, ଏହା ହିଁ ଭୌମମାନଙ୍କର ଧର୍ମୀୟ କାର୍ଯ୍ୟର ପ୍ରମାଣ।

ପ୍ରାୟ ପନ୍ଦରଶହ ବର୍ଷ ଧରି ଯାଜପୁର ଓଡ଼ିଶାର ଶାସନତାନ୍ତ୍ରିକ ତଥା ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ରହିଥିଲା। ପ୍ରାଚୀନ କାଳରେ ଏହା କଳିଙ୍ଗର ରାଜଧାନୀ ଦନ୍ତପୁର ଥିଲା ଓ ଏଠାରେ ଏକ ମନୋରମ ସ୍ତୂପରେ ବୁଦ୍ଧଙ୍କ ଦନ୍ତ ଧାତୁ ପୂଜା ପାଉଥିଲା। ଏହି ଦନ୍ତ ବୌଦ୍ଧଭିକ୍ଷୁ କ୍ଷେମ ଆଣି କଳିଙ୍ଗର ରାଜା ବ୍ରହ୍ମଦତ୍ତଙ୍କୁ ଦେଇଥିଲେ। ପରବର୍ତ୍ତୀ କାଳରେ ରାଜା ଗୂହଶିବଙ୍କ ସମୟରେ ଏହି ଦନ୍ତଧାତୁ ସିଂହଳ ସ୍ଥାନାନ୍ତର କରାଗଲା। ଏହା ପରଠାରୁ ଦନ୍ତପୁରର ପ୍ରସିଦ୍ଧି କ୍ଷୁଣ୍ଣ ହେବାରେ ଲାଗିଲା।

ଭୌମକର କାଳରେ ରାଜଧାନୀ ଗୂହେଶ୍ୱରପାଟକ ବା ଗୂହଶିବପାଟକ ନାମରେ ନାମିତ ହୋଇଥିଲା ଓ ବିରଜାକ୍ଷେତ୍ର ଅଞ୍ଚଳ ହିଁ ଥିଲା। ଭୌମକରମାନେ ଧ୍ୱଂସପ୍ରାପ୍ତ ପ୍ରାଚୀନ ଦନ୍ତପୁର ଅଞ୍ଚଳକୁ ସେକାଳର ରାଜା ଗୂହଶିବଙ୍କ ନାମରେ ନାମିତ କରିଥିବା ଅନୁମିତ ହେଉଛି। ଏହା ବିଶ୍ୱର ପ୍ରଥମ ବୌଦ୍ଧ ତପସୁ ଓ ଭଲ୍ଲିକ ନାମକ ଦୁଇ ବଣିକ ଭାଇଙ୍କ ନିବାସ ଅଞ୍ଚଳ ଓ ଏହି ଅଞ୍ଚଳରେ ହିଁ ବିଶ୍ୱର ପ୍ରଥମ ବୌଦ୍ଧସ୍ତୂପ ‘କେଶସ୍ତୂପ’ ଓ ‘ନଖସ୍ତୂପ’ ପ୍ରତିଷ୍ଠିତ। ଏବେ ମଧ୍ୟ ତାହାର ଧ୍ୱଂସାବଶେଷ ରହିଛି। କାଳକ୍ରମେ ଏହା ଶାକ୍ତଧର୍ମର କେନ୍ଦ୍ର ତଥା ଏକ ପ୍ରଧାନପୀଠ ଓ କ୍ରମେ ତାନ୍ତ୍ରିକ ବୌଦ୍ଧଧର୍ମର କେନ୍ଦ୍ରଭାବେ ପ୍ରତିଷ୍ଠା ଲାଭ କଲା। ଦନ୍ତପୁର ନାମ ତା’ର ମୂଳ ସ୍ଥାନରେ ଲୁପ୍ତ ହୋଇଥିଲେ ମଧ୍ୟ ଭୌମକାଳକୁ କଳିଙ୍ଗର ଏକ ଅଂଶରେ ଦନ୍ତପୁର ନାମରେ ଅନ୍ୟ ଏକ ନଗର ଗଙ୍ଗବଂଶ ଶାସନ କାଳରେ ହାତୀଦାନ୍ତର ବ୍ୟବସାୟ କେନ୍ଦ୍ର ଭାବେ ଖ୍ୟାତିଲାଭ କରିଥିଲା।

ପ୍ରାଚୀନ କଳିଙ୍ଗ ତଥା ଉତ୍କଳରେ ବୌଦ୍ଧବସତି ତଥା ପ୍ରତିଷ୍ଠାନସବୁ ମୁଖ୍ୟତଃ ବଂଶଧାରା, ଋଷିକୂଲ୍ୟା, ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀକୂଳ ତଥା ଅବବାହିକା ଅଞ୍ଚଳରେ ଗଢ଼ି ଉଠିଥିଲା। ସେଥିମଧ୍ୟରୁ କେତେକ ପ୍ରତ୍ନତାତ୍ତ୍ୱିକ ଖନନ ଓ ସର୍ବେକ୍ଷଣ ଫଳରେ ଲୋକଲୋଚନକୁ ଆସିପାରିଛି। ତା’ ମଧ୍ୟରେ ବୃହତ୍‌‌ ବୌଦ୍ଧସ୍ଥଳଗୁଡ଼ିକ ହେଲା- ରତ୍ନଗିରି (୧୯୫୯-୬୧), ଲଳିତଗିରି (୧୯୮୫-୯୨), ଉଦୟଗିରି (୧୯୯୨-୯୭ ଓ ୨୦୦୪-୦୭)। ସେହିଭଳି ଯାଜପୁରର ଧର୍ମଶାଳା ଅଞ୍ଚଳରେ ପାଖାପାଖି ହୋଇ ରହିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧସ୍ଥଳ ଯଥା ଲାଙ୍ଗୁଡ଼ି, କାୟମା, ବଜ୍ରଗିରି, ତାରାପୁର, ଦେଉଳି, କଙ୍କିଆ- ରାଧାନଗର ଆଦି ବ୍ରାହ୍ମଣୀ ଅବବାହିକାରେ ରହିଥିବା ସ୍ଥାନଗୁଡ଼ିକର ସର୍ବେକ୍ଷଣ ଓ ଖନନ ରାଜ୍ୟ ସଂସ୍ଥା ଦ୍ୱାରା କରାଯାଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିଥିବା ବୌଦ୍ଧସ୍ଥଳଗୁଡ଼ିକ ଖ୍ରୀ.ପୂ ୩ୟ-୨ୟରୁ ଖ୍ରୀ ୧୩ଶ-୧୪ଶ ଶତାବ୍ଦୀ ମଧ୍ୟରେ ହୋଇଥିବା ଜଣାଯାଇଛି। ବୃହତ୍‌‌ ବୌଦ୍ଧସ୍ଥଳ ଲଳିତଗିରି, ଉଦୟଗିରି ଓ ରତ୍ନଗିରି (ହୀରକତ୍ରିଭୁଜ) ଯାଜପୁରର ଆସିଆ ପାହାଡ଼ ଅଞ୍ଚଳରେ ମହାନଦୀର ଶାଖାନଦୀ ବିରୂପା ଅବବାହିକାରେ ଅବସ୍ଥିତ।

ରତ୍ନଗିରି: ନାଳନ୍ଦା ଓ ତକ୍ଷଶିଳା ସମତୁଲ୍ୟ ରତ୍ନଗିରି ହେଉଛି ଆମ ଦେଶର ଅନ୍ୟତମ ବୃହତ୍‌‌ ବୌଦ୍ଧସ୍ଥଳ। ଏହା ଗୁପ୍ତକାଳରୁ (୪ର୍ଥ / ୫ମ ଶତାବ୍ଦୀ) ଆରମ୍ଭ ହୋଇ ୧୩ଶ / ୧୪ଶ ଶତାବ୍ଦୀ ପର୍ଯ୍ୟନ୍ତ ସକ୍ରିୟ ଥିଲା। ଏଠାରୁ ମିଳିଥିବା ବହୁସଂଖ୍ୟକ ବୌଦ୍ଧମୂର୍ତ୍ତିସବୁରୁ ଏଠାରେ ପରବର୍ତ୍ତୀ କାଳରେ ବଜ୍ରଯାନର ଅଧିକ ପ୍ରଭାବ ରହିଥିବା ଜଣାଯାଏ। ରତ୍ନଗିରି ମହାବିହାର ଯୋଗଶିକ୍ଷା ନିମିତ୍ତ ସେ କାଳର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଥିଲା। ଗୁରୁ ପଦ୍ମସମ୍ଭବ ମଧ୍ୟ ଏଠାରେ ଯୋଗଶିକ୍ଷା କରିଥିଲେ। ଏହା ବଜ୍ରଯାନର କେନ୍ଦ୍ର ଥିବା ବେଳେ ବୌଦ୍ଧତନ୍ତ୍ରର ଅନ୍ୟ ଶାଖା କାଳଚକ୍ରଯାନ ମଧ୍ୟ ଏଠାରେ ଆଚାର୍ଯ୍ୟ ପୀତୋପାଦଙ୍କ ଦ୍ୱାରା ପ୍ରବର୍ତ୍ତନ କରାଯାଇଥିଲା। ଏଠାରୁ ଦୁଇଟି ବୌଦ୍ଧବିହାର ଖନନ କରାଯାଇଛି।

ଉଦୟଗିରି: ଏଠାରେ ଦୁଇଟି ବିଶାଳ ମହାବିହାର- ମାଧବପୁର ଓ ସିଂହପ୍ରସ୍ଥର ଅବଶେଷ ରହିଛି। ଏହି ସ୍ଥଳ ଖ୍ରୀ.ପୂ ୧ମ ରୁ ଖ୍ରୀ ୧ମ ଶତାବ୍ଦୀ ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ୧୨ଶ ଶତାବ୍ଦୀ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା। ଏହା ମୁଖ୍ୟତଃ ମହାଯାନ ଓ ବଜ୍ରଯାନ ସଂପ୍ରଦାୟଙ୍କର ପୀଠସ୍ଥଳ। ଉଦୟଗିରିରେ ଗୁରୁ ପଦ୍ମସମ୍ଭବଙ୍କ ଦେହାବଶେଷ ଥିବାର ଶିଳାଲେଖ ମିଳିଛି।

ଲଳିତଗିରି: ଏହି ବୌଦ୍ଧସ୍ଥଳ ଖ୍ରୀ.ପୂ ୩ୟ / ୨ୟ ଶତାବ୍ଦୀରୁ ଆରମ୍ଭ ହୋଇ ଖ୍ରୀ ୧୪ଶ / ୧୫ଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ ଥିବାର ଜଣାଯାଇଛି। ଏହା ହୀନଯାନରୁ ମହାଯାନ ଓ ପରେ ବଜ୍ରଯାନ ପର୍ଯ୍ୟନ୍ତ ସମସ୍ତ ପନ୍ଥାର ସକ୍ରିୟ କାର୍ଯ୍ୟସ୍ଥଳ ଥିଲା। ଏହି ପ୍ରାଚୀନତମ ମହାବିହାରରୁ ବୌଦ୍ଧଧର୍ମର ଜଣେ ମୁଖ୍ୟ ଆଚାର୍ଯ୍ୟ (ସମ୍ଭବତଃ ସାରୀପୁତ୍ତ)ଙ୍କ ଦେହାବଶେଷ ଥିବା ପେଡ଼ି ଉଦ୍ଧାର କରାଯାଇଛି। ଏଠାରେ ଚାରିଗୋଟି ବୌଦ୍ଧବିହାର ଖନନ କରାଯାଇଛି।

ଲାଂଗୁଡ଼ି: ଏହି ବୌଦ୍ଧସ୍ଥଳର ପ୍ରତ୍ନତାତ୍ତ୍ୱିକ ଖନନ ୧୯୯୬ ରୁ ୨୦୦୨ ମଧ୍ୟରେ କରାଯାଇଛି। ଏହା ହେଉଛି ପ୍ରାଚୀନ ପୃଥିବୀ ପ୍ରସିଦ୍ଧ ପୁଷ୍ପଗିରି ମହାବିହାର। ହୁଏନ୍‌‌ସାଂ ତାଙ୍କ ଭ୍ରମଣ ବିବରଣୀ (୭ମ ଶତାବ୍ଦୀ)ରେ ପୁଷ୍ପଗିରି ବିଷୟ ଲିପିବଦ୍ଧ କରିଛନ୍ତି। ଏହାକୁ ଏକ ବିଶାଳ ତଥା ଚମତ୍କାରୀ ବୌଦ୍ଧସ୍ଥଳ ବୋଲି ସେ ଦର୍ଶାଇଛନ୍ତି।

ନିଃସନ୍ଦେହରେ କୁହାଯାଇପାରିବ ଯେ ଯାଜପୁର ଅଞ୍ଚଳ ବିଶ୍ୱସ୍ତରରେ ବୌଦ୍ଧଧର୍ମର ଏକ ପବିତ୍ର ତଥା ମୁଖ୍ୟ କେନ୍ଦ୍ରସ୍ଥଳ ରହିଥିଲା।

ପ୍ରବୀର କୁମାର ପଟ୍ଟନାୟକ
ଭୁବନେଶ୍ୱର, ମୋ: ୭୨୦୫୦୨୨୭୯୦