ଓପିନିୟନ୍ ପୋଲ୍ ୱାର୍ ! ଛାନିଆ ହେଉଛନ୍ତି ଦଳ, ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ଜନତା

ଏତେ ମାତ୍ରାର ଫରକକୁ ନେଇ ଦ୍ୱନ୍ଦ୍ୱରେ ମତଦାତା । ରାଜନୈତିକ ସମୀକ୍ଷକ କହିଲେ, ଭୋଟ୍ ପୂର୍ବରୁ ହଟଚମଟ ଚାଲ୍ ।

ଓପିନିୟନ୍ ପୋଲ୍ ୱାର୍ ! ଛାନିଆ ହେଉଛନ୍ତି ଦଳ, ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ଜନତା

ଭୋଟ୍ ପୂର୍ବରୁ ଓପିନିୟନ୍ ପୋଲ୍ ୱାର୍ । ବିଭିନ୍ନ ସଂସ୍ଥାଙ୍କ ପ୍ରାକ୍ ନିର୍ବାଚନୀ ସର୍ଭେକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ । କାହା ସର୍ଭେରେ ବିଜେପି ଆଗରେ ତ କିଏ ପୂର୍ବାପେକ୍ଷା ବିଜେଡିକୁ ଦେଉଛି ଅଧିକ ସିଟ୍ । ନିକଟରେ ଦ ଫେଡେରାଲ୍ ସଂସ୍ଥା ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଲୋକସଭା ନିର୍ବାଚନରେ ବିପୁଳ ସଫଳତା ସହ ରାଜ୍ୟରେ ବିଜେପି ୨୦ ଓ ବିଜେଡି ମାତ୍ର ଗୋଟିଏ ଏବଂ କଂଗ୍ରେସ ଶୂନ୍ୟ ସିଟ୍ ପାଇବ ବୋଲି ଆକଳନ କରାଯାଇଛି।

ପ୍ରତିଶତ ଦୃଷ୍ଟିରୁ ବି ବିଜେପିର ଭୋଟ୍ ହାର ୧୬ ପ୍ରତିଶତ ବଢ଼ି ୫୪.୯୦ ପ୍ରତିଶତରେ ପହଞ୍ଚିବା ସହ ବିଜେଡିର ଭୋଟ୍ ହାର ୨୩.୪୫ ପ୍ରତିଶତ ହ୍ରାସ ପାଇ ୧୯.୪୫ ପ୍ରତିଶତକୁ ଖସି ଆସିବା ଆକଳନ କରାଯାଇଛି। କେବଳ ସେତିକି ନୁହେଁ କଂଗ୍ରେସ ଭୋଟର ହାରରେ ବି ୯.୭୪ ପ୍ରତିଶତକୁ ଖସିଥିବା କୁହାଯାଇଛି। 

ପୂର୍ବରୁ ଟାଇମ୍ସ ନାଓ ଏହାର ସର୍ଭେ ରିପୋର୍ଟରେ ବିଜେପି ଖାତାକୁ ୧୧, ବିଜେଡିକୁ ୧୦ ଏବଂ କଂଗ୍ରେସକୁ ଶୂନ୍ୟ ସିଟ୍ ଦେଥିଲା ବେଳେ ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ ଠିକ୍ ଏହାର ବିପରୀତ ଭାବେ ବିଜେପିକୁ ୧୦ ଓ ବିଜେଡି ୧୧ଟି ସିଟ୍ ପାଇବ ବୋଲି ଆକଳନ କରିଥିଲା । ତେବେ ଗତକାଲି ଜନହିତ ଟାଇମସ୍ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟ କିନ୍ତୁ ରାଜ୍ୟରେ ବିଜେଡିର ଲୋକପ୍ରିୟତା ବଢୁଥିବା ଦର୍ଶାଇଛି। ସଂସ୍ଥା ଏଥିରେ ଲୋକସଭାରେ ବିଜେଡିକୁ ୧୮ ସିଟ୍ ଦେଇଥିଲା ବେଳେ ବିଜେପିକୁ ୨ଟି ଏବଂ କଂଗ୍ରେସ ଖାତାକୁ ଗୋଟିଏ ସିଟ୍ ଯିବାର ଆକଳନ କରିଛି।

ତେବେ ଓପିନିୟନ୍ ପୋଲର ଆକଳନରେ ଏତେ ଫରକକୁ ନେଇ ହଟଚମଟ ଲାଗି ରହିଥିବା ବେଳେ, ରାଜନୈତିକ ଦଳ ଗୁଡ଼ିକ ଯିଏ ଯାହା ବାଗରେ ସର୍ଭେ ପରିଣାମର ତର୍ଜମା କରୁଛନ୍ତି।

ରାଜନୈତିକ ସମୀକ୍ଷକଙ୍କ ମତରେ ନିର୍ବାଚନର ଯଥେଷ୍ଟ ପୂର୍ବରୁ ନିଜ ସପକ୍ଷରେ ମାହୋଲ ଓ ରାଜନୈତିକ ହଟଚମଟ୍ ସୃଷ୍ଟି କରିବା ପାଇଁ ଏହାଏକ ଚାଲ। ଯାହା ଜନମତକୁ ପ୍ରଭାବିତ କରିପାରିବ ନାହିଁ। କେବଳ ରାଜନୈତିକ ଦଳକୁ ଖୁସି କରିବାପାଇଁ ସର୍ଭେ ସଂସ୍ଥା ଏଭଳି ରିପୋର୍ଟ ପ୍ରକାଶ କରିଛନ୍ତି।