ଓ୍ୱାଇନାଡରେ ଭୟଙ୍କର ଭୂସ୍ଖଳନ, ୫ ମୃତ
ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ଆବର୍ଜନା ତଳେ ଫଶି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି।
କେରଳର ଓ୍ୱାଇନାଡରେ ପ୍ରବଳ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ଅତିକମ୍ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଭୂସ୍ଖଳନ ଯୋଗୁ ୧୦୦ରୁ ଅଧିକ ଲୋକ ଫଶି ରହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଆଜି ଭୋରୁ ଦୁଇ ଦୁିଟି ଭୂସ୍ଖଳନ ଘଟିଛି। ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟା ୧୦ରେ ଆଉ ଏକ ଭୂସ୍ଖଳନ ଘଟିଥିଲା। ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ଆବର୍ଜନା ତଳେ ଫଶି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ସେନାର ଦୁଇଟି ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି।
ସେପଟେ ମୃତକଙ୍କ ମଧ୍ୟରେ ୨ ଛୋଟ ପିଲାଙ୍କ ସମେତ ୫ ଜଣ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଭୂସ୍ଖଳନ ଯୋଗୁ ୧୬ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଓ୍ୱାଇନାଡର ମେପ୍ପାଡିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଏହି ପ୍ରସଙ୍ଗରେ ନଜର ରଖିଛନ୍ତି। ସେ କହିଛନ୍ତି ଯେ ୱାଇନାଡରେ ଭୂସ୍ଖଳନ ପରେ ସମସ୍ତ ସମ୍ଭାବ୍ୟ ଉଦ୍ଧାର କାର୍ଯ୍ୟ ଯୋଗାଇ ଦିଆଯିବ। ଉଦ୍ଧାର କାର୍ଯ୍ୟରେ ରାଜ୍ୟର ସମସ୍ତ ସରକାରୀ ଏଜେନ୍ସି ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି।