ଅନାଥ କରି ଦେଲା ବାଦଲ ଫଟା ବର୍ଷା, ୧୦ ମାସର ଛୁଆକୁ ‘ରାଜ୍ୟର ପିଲା’ ଘୋଷଣା କଲେ ସରକାର

ସରକାର ନୀତିକାକୁ ଚାଇଲ୍ଡ ଅଫ ଷ୍ଟେଟ ବା ରାଜ୍ୟର ପିଲା ଭାବେ ଘୋଷଣା କରିଛନ୍ତି। ଏଣିକି ସରକାର ନୀତିକାର ପାଠପଢ଼ା ଠାରୁ ଆରମ୍ଭ କରି ସବୁ କଥା ବୁଝିବେ।

ଅନାଥ କରି ଦେଲା ବାଦଲ ଫଟା ବର୍ଷା, ୧୦ ମାସର ଛୁଆକୁ ‘ରାଜ୍ୟର ପିଲା’ ଘୋଷଣା କଲେ ସରକାର

ବାଦଲ ଫଟା ବର୍ଷା ଯୋଗୁ ଦେଖା ଦେଇଥିଲା ଅଚାନକ ବନ୍ୟା। ଆଉ ଏହି ବନ୍ୟା ୧୦ ମାସର ଗୋଟିଏ ପିଲାକୁ କରି ଦେଇଥିଲା ଅନାଥ। ବାପା ମା’ଙ୍କ ସମେତ ପରିବାର ସମସ୍ତଙ୍କୁ ଭସାଇ ନେଇଥିଲା ବନ୍ୟା ପାଣି। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ୧୦ ମାସର ଛୁଆ ଏତେ ବଡ଼ ଦୁନିଆରେ ପୂରା ଏକା ହୋଇ ଯାଇଥିଲା।

ଏବେ ୧୦ ମାସର ନୀତିକା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ହିମାଚଳ ପ୍ରଦେଶର କଂଗ୍ରେସ ସରକାର। ସରକାର ନୀତିକାକୁ ଚାଇଲ୍ଡ ଅଫ ଷ୍ଟେଟ ବା ରାଜ୍ୟର ପିଲା ଭାବେ ଘୋଷଣା କରିଛନ୍ତି। ଏଣିକି ସରକାର ନୀତିକାର ପାଠପଢ଼ା ଠାରୁ ଆରମ୍ଭ କରି ସବୁ କଥା ବୁଝିବେ।

ଜୁନ ୩୦ ତାରତଖ ରାତିରେ ବାଦଲ ଫଟା ବର୍ଷା ଯୋଗୁ ତଲୱାରା ଗାଁରେ ଆସିଥିଲା ଅଚାନକ ବନ୍ୟା। ଆଉ ଏହି ବନ୍ୟାରେ ଭାସି ଯାଇଥିଲେ ନୀତିକାର ବାପା ମା’ ଓ ଜେଜେ ମା’। ଝିଅର ବାପା ୩୧ ବର୍ଷୀୟ ରମେଶଙ୍କ ମୃତଦେହକୁ ଉଦ୍ଧାରକାରୀ ଦଳ ଠାବ କରିଥିଲେ। କିନ୍ତୁ ମା’ ରାଧିକା ଓ ଜେଜେ ମା’ ପୁରନୁ ଦେବୀ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କ ପତ୍ତା ମିଳୁ ନଥିବାରୁ ନୀତିକା ଅନାଥ ହୋଇ ଯାଇଥିଲେ।

ଘଟଣା ଦିନ ବନ୍ୟା ପାଣି ଘରେ ପଶୁଥିବାରୁ ରମେଶ ଏହାକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ପଛେପଛେ ପତ୍ନୀ ରାଧିକା ଓ ମା’ ମଧ୍ୟ ବାହାରକୁ ଆସିଥିଲେ। କିନ୍ତୁ ପାଣିର ସ୍ରୋତ ଅଧିକ ଥିବାରୁ ସେମାନେ ସମସ୍ତେ ଭାସି ଯାଇଥିଲେ। ଏବେ ସରକାର ନୀତିକାଙ୍କୁ ମୁଖ୍ୟମନ୍ତ୍ରୀ ସୁଖ ଆଶ୍ରୟ ଯୋଜନାରେ ରାଜ୍ୟର ପିଲା ଭାବେ ଘୋଷଣା କରିଛନ୍ତି।

ହିମାଚଳ ପ୍ରଦେଶର ରାଜସ୍ୱ ମନ୍ତ୍ରୀ ଜଗତ ସିଂହ ନେଗି କହିଛନ୍ତି, “ରାଜ୍ୟ ସରକାର ଛୋଟ ଝିଅର ସବୁ ଦାୟିତ୍ୱ ବହନ କରିବେ। ପିଲାଟିର ଶିକ୍ଷା ଠାରୁ ଆରମ୍ଭ କରି ଭବିଷ୍ୟତିକୁ ଗଢ଼ିବେ। ଭବିଷ୍ୟତରେ ପିଲାଟି ଡାକ୍ତର, ଇଞ୍ଜିନିୟର କିମ୍ବା ଅଫିସର ହେବାକୁ ଚାହିଁଲେ, ସରକାର ସମସ୍ତ ଖର୍ଚ୍ଚ ବହନ କରିବେ।”

୨୦୨୩ରେ ହିମାଚଳର କଂଗ୍ରେସ ସରକାର ମୁଖ୍ୟମନ୍ତ୍ରୀ ସୁଖ ଆଶ୍ରୟ ଯୋଜନା ଲଞ୍ଚ କରିଥିଲେ। ଏହି ଯୋଜନା ଅଧୀନରେ ଅନାଥ ପିଲାମାନଙ୍କୁ ଖାଦ୍ୟ ଠାରୁ ଆରମ୍ଭ କରି ସବୁଠାରୁ ସବୁଧା ଯୋଗାଇ ଦିଆଯାଉଛି। ପିଲାମାନଙ୍କୁ ପାର୍ବଣ ଭତ୍ତା ମଧ୍ୟ ମିଳୁଛି। ଏବେ ଏହି ତାଲିକାରେ ନୀତିକା ଯୋଡ଼ି ହୋଇ ଯାଉଛନ୍ତି।

ଘଟଣା ଦିନ ନୀତିକା ଘର ଭିତରେ ଏକାକୀ କାନ୍ଦୁ ଥିବା ବେଳେ ପଡ଼ୋଶୀ ପ୍ରେମ ସିଂହ ଏହାକୁ ଦେଖିଥିଲେ। ଏହାପରେ ତା’ ସମ୍ପର୍କୀୟ ବଲୱନଙ୍କୁ ଖବର ଦେଇଥିଲେ। ବଲୱନ୍ତ ହେଉଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଜୟ ରାମ ଠାକୁରଙ୍କ ଜଣେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ।

ପଡ଼ୋଶୀଙ୍କ ଠାରୁ ଖବର ପାଇ ବଲୱନ୍ତ ଘଟଣା ସ୍ଥଳରେ ପହଞ୍ଚି ନୀତିକାକୁ ନିଜ ପାଖକୁ ନେଇଥିଲେ। ଏବେ ସେ ରମେଶଙ୍କ ସାନ ଭଉଣୀ କିରଣ ଦେବୀଙ୍କ ପାଖରେ ରହୁଛନ୍ତି।