ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି ଫକୀର ମୋହନ ସେନାପତି
ପ୍ରଖ୍ୟାତ ଔପନ୍ୟାସିକ, ଓଡ଼ିଆ କଥା ସାହିତ୍ୟର ଜନକ, ଭାଷା ଆନ୍ଦୋଳନର ଜାଗ୍ରତ ପ୍ରହରୀ ବ୍ୟାସକବି ଫକୀରମୋହନଙ୍କ ଆବିର୍ଭାବ ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ଗୌରବମୟ ଅଧ୍ୟାୟ। ଜୀବନବ୍ୟାପି ବହୁ ଅଭିଜ୍ଞତା, ଅନୁଭୂତି ଓ ଲୋକ ଚରିତ୍ରର ନିଚ୍ଛକ ଚିତ୍ର ତାଙ୍କ ସାରସ୍ବତ ସୃଷ୍ଟିକୁ ସମୃଦ୍ଧ କରିପାରିଛି। ଆଜି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ। ଓଡ଼ିଆ ଭାଷା ସାହିତ୍ୟକୁ ସୁରକ୍ଷା ଦେବାରେ ହେଉ କିମ୍ୱା ସମାଜ ସଂସ୍କାର ଦିଗରେ ହେଉ, ତାଙ୍କର ଅବଦାନ ଅତୁଳନୀୟ। […]

ପ୍ରଖ୍ୟାତ ଔପନ୍ୟାସିକ, ଓଡ଼ିଆ କଥା ସାହିତ୍ୟର ଜନକ, ଭାଷା ଆନ୍ଦୋଳନର ଜାଗ୍ରତ ପ୍ରହରୀ ବ୍ୟାସକବି ଫକୀରମୋହନଙ୍କ ଆବିର୍ଭାବ ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ଗୌରବମୟ ଅଧ୍ୟାୟ। ଜୀବନବ୍ୟାପି ବହୁ ଅଭିଜ୍ଞତା, ଅନୁଭୂତି ଓ ଲୋକ ଚରିତ୍ରର ନିଚ୍ଛକ ଚିତ୍ର ତାଙ୍କ ସାରସ୍ବତ ସୃଷ୍ଟିକୁ ସମୃଦ୍ଧ କରିପାରିଛି। ଆଜି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ। ଓଡ଼ିଆ ଭାଷା ସାହିତ୍ୟକୁ ସୁରକ୍ଷା ଦେବାରେ ହେଉ କିମ୍ୱା ସମାଜ ସଂସ୍କାର ଦିଗରେ ହେଉ, ତାଙ୍କର ଅବଦାନ ଅତୁଳନୀୟ।
ତାଙ୍କର ଲେଖନୀ ଶୈଳୀ ହାସ୍ୟରସପୂର୍ଣ୍ଣ କଟାକ୍ଷ ଓ ସାମାଜିକ ଦୃଶ୍ୟ ପାଇଁ ପ୍ରସିଦ୍ଧ। ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରୁ ‘ଛମାଣ ଆଠଗୁଣ୍ଠ’ ସର୍ବଶ୍ରେଷ୍ଠ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହ ଭାଷା ଆନ୍ଦୋଳନର ଜଣେ କର୍ଣ୍ଣଧାର ଭାବେ ତାଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ସାମାଜିକ ବ୍ୟବସ୍ଥାର ଆଲୋଚନା ସହିତ କୁସଂସ୍କାର ଦୂର କରିବା ଦିଗରେ କଥାସମ୍ରାଟଙ୍କ ଲେଖାଗୁଡ଼ିକ ମାଇଲ୍ଖୁଣ୍ଟ ସଦୃଶ।
ଦେଢ଼ ଶହ ବର୍ଷ ଆଗରୁ ସେ ଯେଉଁ ଚରିତ୍ରମାନଙ୍କୁ ଗଢ଼ି ଦେଇ ଯାଇଛନ୍ତି, ସେମାନେ ଆଜି ମଧ୍ୟ ଭିନ୍ନ ରୂପରେ ଆମ ସମାଜରେ ଅଛନ୍ତି। ‘ଛ’ମାଣ ଆଠଗୁଣ୍ଠ’, ‘ମାମୁଁ’ ପରି ଉପନ୍ୟାସ ସହିତ ‘ରେବତୀ’, ‘ରାଣ୍ଡିପୁଅ ଅନନ୍ତା’, ‘ପେଟେଣ୍ଟ ମେଡିସିନ୍’ ଆଦି ତାଙ୍କର ବହୁ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ। ତାଙ୍କ ରଚନାରେ ତତ୍କାଳୀନ ସମାଜର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଚିତ୍ର ପ୍ରତିଫଳିତ ହୋଇଛି। ଉପନ୍ୟାସ ଓ କ୍ଷୁଦ୍ରଗଳ୍ପରେ ପ୍ରବୀଣ ଫକୀର ମୋହନ କାବ୍ୟ ରଚନାରେ ମଧ୍ୟ ସମାନ ପରିମାଣର ପାଣ୍ଡିତ୍ୟ ଦେଖାଇଛନ୍ତି। ତାଙ୍କର ପ୍ରଥମ କବିତା ସଂଗ୍ରହ ‘ଉତ୍କଳ ଭ୍ରମଣ’ ୧୮୯୨ ମସିହାରେ ପ୍ରକାଶିତ ହୋଇଥିଲା। ପରେ ପରେ ସେ ‘ପୁଷ୍ପମାଳା’, ‘ଉପହାର’, ‘ପୂଜାଫୁଲ’, ‘ପ୍ରାର୍ଥନା’, ‘ଧୂଳି’ ଆଦି ଅନେକ କାବ୍ୟ ରଚନା କରିଛନ୍ତି।
୧୮୪୩ ମସିହା ଜାନୁଆରୀ ମାସ ୧୩ ତାରିଖ ମକର ସଂକ୍ରାନ୍ତି ଦିନ ସେ ଜନ୍ମ ଲାଭ କରିଥିବାବେଳେ ୧୯୧୮ ମସିହାରେ ଜୁନ୍ ୧୪ ତାରିଖ ରଜ ସଂକ୍ରାନ୍ତିରେ ତାଙ୍କର ପରଲୋକ ଘଟିଥିଲା। ଏହି କାରଣରୁ ତାଙ୍କୁ ‘ସଂକ୍ରାନ୍ତି ପୁରୁଷ’ ମଧ୍ୟ କୁହାଯାଏ। ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାତା ତୁଳସୀ ଦେବୀ ଥିଲେ। ମାତ୍ର ଦେଢ଼ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ପିତାଙ୍କ ମୃତ୍ୟୁର ୧୪ ମାସ ପରେ ତାଙ୍କ ମା’ ମଧ୍ୟ ଆରପାରିକୁ ଚାଲିଗଲେ। ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ପଡ଼ିଥିଲା ଜେଜେମା’ଙ୍କ କାନ୍ଧରେ। ପରିବାର ପ୍ରତିପୋଷଣ ନିମନ୍ତେ ଫକୀରମୋହନ ଶିଶୁ ଶ୍ରମିକଭାବେ କାମ କଲେ ସୁଦ୍ଧା ସେ ପାଠପଢ଼ାକୁ ଜାରି ରଖିଥିଲେ। ଫକୀରମୋହନ ୧୩ ବର୍ଷ ବୟସରେ ଲୀଲାବତୀ ଦେବୀଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁପରେ ସେ ୧୮୭୧ରେ କୃଷ୍ଣା କୁମାରୀ ଦେଈଙ୍କୁ ପୁନଃବିବାହ କରିଥିଲେ। ତାଙ୍କର ଦ୍ବିତୀୟ ପତ୍ନୀଙ୍କର ୧୮୯୪ରେ ହଇଜାରେ ମୃତ୍ୟୁ ହୋଇଥିଲା। ଏତେ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ସମଗ୍ର ଓଡ଼ିଆ ଜାତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ମାୟାଧର ମାନସିଂହ ତାଙ୍କୁ ଓଡ଼ିଶାର ଥୋମାସ୍ ହାର୍ଡି କହୁଥିଲେ। ଓଡ଼ିଆ ସାହିତ୍ୟ ଜଗତରେ ଫକୀର ମୋହନ ହେଉଛନ୍ତି ପ୍ରଥମ ଲେଖକ, ଯିଏ ନିଜ ଆମିଜୀବନୀ ଲେଖିଥିଲେ।