କଂଗ୍ରେସ ଛାଡ଼ିବାକୁ ବଜରଙ୍ଗ ପୁନିଆଙ୍କୁ ‘ହତ୍ୟା’ ଧମକ

‘ଏହା ଆମର ଶେଷ ବାର୍ତ୍ତା। ନିର୍ବାଚନ ପୂର୍ବରୁ ଆମେ ଦେଖାଇଦେବୁ ଯେ ଆମେ କେତେ ଶକ୍ତିଶାଳୀ।’

କଂଗ୍ରେସ ଛାଡ଼ିବାକୁ ବଜରଙ୍ଗ ପୁନିଆଙ୍କୁ ‘ହତ୍ୟା’ ଧମକ

‘କଂଗ୍ରେସ ଛାଡ଼, ନହେଲେ ତୁମକୁ ହତ୍ୟା କରାଯିବ।’ ଦୁଇ ଦିନ ତଳେ କଂଗ୍ରେସରେ ଯୋଗ ଦେଇଥିବା ବଜରଙ୍ଗ ପୁନିଆଙ୍କୁ ଦଳ ଛାଡ଼ିବା ପାଇଁ ଆଜି ଆସିଛି ଏମିତି ଧମକ। ହ୍ୱାଟ୍‌ସଆପ୍‌ରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଏହି ମେସେଜ ପଠାଇଥିବା ଅଭିଯୋଗ କରିଛନ୍ତି ବଜରଙ୍ଗ ପୁନିଆ। 

ପୁଲିସ୍‌ କହିଛି, ଏକ ବିଦେଶୀ ନମ୍ବରରୁ ଏହି ମେସେଜ ଆସିଛି। ଏନେଇ ବରଜରଙ୍ଗ ପୁନିଆ ଏକ ଏଫଆଇଆର ଦେଇଛନ୍ତି। ଘଟଣାର ତଦନ୍ତ କରାଯାଉଛି।

ବଜରଙ୍ଗ ପୁନିଆ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କୁ ପଠାଯାଇଥିବା ହ୍ୱାଟ୍‌ସଆପ୍ ମେସେଜରେ କଂଗ୍ରେସ ଛାଡ଼ିବାକୁ କୁହାଯାଇଛି। ଯଦି ସେ ଏହା ସ୍ପଷ୍ଟ ନ କରନ୍ତି, ତା’ହେଲେ ସେ ଓ ତାଙ୍କ ପରିବାର ଅସୁବିଧାରେ ପଡ଼ିବେ।

ସେହିପରି ସେହି ମେସେଜରେ ଦୁର୍ବୃତ୍ତ ଲେଖିଛନ୍ତି, ଏହା ଆମର ଶେଷ ବାର୍ତ୍ତା। ନିର୍ବାଚନ ପୂର୍ବରୁ ଆମେ ଦେଖାଇଦେବୁ ଯେ ଆମେ କେତେ ଶକ୍ତିଶାଳୀ। ତୁମେ ଯେଉଁଠି ଚାହିଁ ଅଭିଯୋଗ କରିପାର। କିନ୍ତୁ ଏହା ହେଉଛି ଆମର ପ୍ରଥମ ଓ ଅନ୍ତିମ ଚେତାବନୀ। 

ଦୁଇ ଦିନ ତଳେ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ଭିନେଶ ଫୋଗାଟଙ୍କୁ ଚଳିତ ହରିୟାଣା ବିଧାନସଭା ନିର୍ବାଚନରେ ଜୁଲାନା ଆସନରୁ ପ୍ରାର୍ଥୀ କରିଛି। ସେହିପରି ଦଳ ବଜରଙ୍ଗ ପୁନିଆଙ୍କୁ ସର୍ବଭାରତୀୟ କୃଷକ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି।