କଂଗ୍ରେସ ଦେଲା ଚେତାବନୀ: ବିଦ୍ୟୁତ୍‌ ଦର ୧ ପଇସା ବଢ଼ିଲେ ହେବ ରାଜ୍ୟବ୍ୟାପୀ ଆନ୍ଦୋଳନ 

ଭୁବନେଶ୍ୱର, ୨୭ା୨(ସୁନିତ୍‌ ମିଶ୍ର): ବିଦ୍ୟୁତ୍‌ ଦେୟ ୧ ପଇସା ବୃଦ୍ଧି କରାଗଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ। ସାଧାରଣ ବିଦ୍ୟୁତ୍‌ ଖାଉଟିଙ୍କ ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ଭାଜପା କ୍ଷମତାକୁ ଆସିଲେ ତୁରନ୍ତ ୩୦୦ ୟୁନିଟ୍‌ ବିଜୁଳି ମାଗଣା ଯୋଗାଇଦେବ ବୋଲି ନିର୍ବାଚନୀ ଘୋଷଣା କରିଥିଲା। ପୁଣି ଥରେ ଭାଜପା ପକ୍ଷରୁ  କୁହାଗଲା ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୋଫତ ବିଜୁଳି ଯୋଜନା’ ମାଧ୍ୟମରେ ଖାଉଟିଙ୍କୁ ବିଜୁଳି ଯୋଗାଇ ଦିଆଯିବ। ୮ ମାସର ଶାସନ ପରେ ବି କ୍ଷମତାସୀନ […] The post କଂଗ୍ରେସ ଦେଲା ଚେତାବନୀ: ବିଦ୍ୟୁତ୍‌ ଦର ୧ ପଇସା ବଢ଼ିଲେ ହେବ ରାଜ୍ୟବ୍ୟାପୀ ଆନ୍ଦୋଳନ  appeared first on Dharitri Odia News.

କଂଗ୍ରେସ ଦେଲା ଚେତାବନୀ: ବିଦ୍ୟୁତ୍‌ ଦର ୧ ପଇସା ବଢ଼ିଲେ ହେବ ରାଜ୍ୟବ୍ୟାପୀ ଆନ୍ଦୋଳନ 
ଭୁବନେଶ୍ୱର, ୨୭ା୨(ସୁନିତ୍‌ ମିଶ୍ର): ବିଦ୍ୟୁତ୍‌ ଦେୟ ୧ ପଇସା ବୃଦ୍ଧି କରାଗଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ। ସାଧାରଣ ବିଦ୍ୟୁତ୍‌ ଖାଉଟିଙ୍କ ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ଭାଜପା କ୍ଷମତାକୁ ଆସିଲେ ତୁରନ୍ତ ୩୦୦ ୟୁନିଟ୍‌ ବିଜୁଳି ମାଗଣା ଯୋଗାଇଦେବ ବୋଲି ନିର୍ବାଚନୀ ଘୋଷଣା କରିଥିଲା। ପୁଣି ଥରେ ଭାଜପା ପକ୍ଷରୁ  କୁହାଗଲା ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୋଫତ ବିଜୁଳି ଯୋଜନା’ ମାଧ୍ୟମରେ ଖାଉଟିଙ୍କୁ ବିଜୁଳି ଯୋଗାଇ ଦିଆଯିବ। ୮ ମାସର ଶାସନ ପରେ ବି କ୍ଷମତାସୀନ ଭାଜପା ସରକାର ନିଜ ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛନ୍ତି। ୩୦୦ ୟୁନିଟ୍‌ ମାଗଣା ବିଜୁଳି ଦେବା ପରିବର୍ତ୍ତେ ଏବେ ବିଜୁଳି ଦେୟ ୟୁନିଟ୍‌ ପିଛା ୧୨.୪୨ ପଇସା ବୃଦ୍ଧି ପାଇଁ ଓଇଆର୍‌ସିଙ୍କ ପାଖରେ ଟିପିସିଓଡିଏଲ୍‌ର ପ୍ରସ୍ତାବ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି।
କଂଗ୍ରେସ ଭବନଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପଞ୍ଚାନନ କହିଛନ୍ତି, ଟିପିସିଓଡିଏଲ୍‌ର ପକ୍ଷରୁ ଦର୍ଶାଯାଇଛି ଆସନ୍ତା ବର୍ଷ ପାଇଁ ଗ୍ରୀଡ୍‌କୋଠାରୁ ଅଧିକ ୧୩୧୦ ନିୟୁତ ୟୁନିଟ୍‌ ବିଜୁଳି ଅଧିକ କ୍ରୟ ହେବ। ସମୁଦାୟ ୧୩୮୨୩ ନିୟୁତ ୟୁନିଟ୍‌ ବିଜୁଳି କ୍ରୟ କରିବାକୁ ୪୬୮୮.୩୬ କୋଟି ଟଙ୍କା ପୈଠ ହେବ। ଟାଟା ପାୱାର ପକ୍ଷରୁ ଆହୁରି ମଧ୍ୟ ଦର୍ଶାଯାଇଛି, ବିତରଣ କ୍ଷତି ୨୩୭୪ ୟୁନିଟ୍‌ ହେବ ଯାହା ୧୭.୧୭ ପ୍ରତିଶତ । ଅବଶିଷ୍ଟ ୧୧୪୪୯ ନିୟୁତ ୟୁନିଟ୍‌ ଉପଭୋକ୍ତାଙ୍କୁ ବିକ୍ରୟ କରାଯିବ। ରାଜସ୍ବ ଆବଶ୍ୟକତା ସମୁଦାୟ ୬୮୬୨.୫୪୨୦ କୋଟି ଟଙ୍କା ଆକଳନ ହୋଇଥିବା ବେଳେ ୬୭୨୦.୩୯ କୋଟି ଟଙ୍କା ଆଦାୟ ହେବ। ସୁତରାଂ ୧୪୨.୧୫ କୋଟି ଟଙ୍କା ରାଜସ୍ବ ନିଅଣ୍ଟ ରହିବ ବୋଲି ଦର୍ଶାଇ କ୍ଷତି ଭରଣା ପାଇଁ ୟୁନିଟ୍‌ ପିଛା ୧୨.୪୨ ପଇସା ବଢ଼ାଇବାକୁ ଟିପିସିଓଡିଏଲ୍‌ ପ୍ରସ୍ତାବ ଦେଇଛି। କାନୁନ୍‌ଗୋ ଅଭିଯୋଗ କରିଛନ୍ତି, ୨୦୨୩-୨୪ ପାଇଁ ଆୟୋଗ ନିର୍ଦ୍ଧାରିତ କରିଥିବା ଶୁଳ୍କଠାରୁ ଟାଟା ୟୁନିଟ୍‌ ପିଛା ପ୍ରାୟ ୨୮ ପଇସା ଅଧିକ ଆଦାୟ କରିଛି ଯାହା ଫଳରେ ୨୪୬.୪୭ ଲକ୍ଷ ଟଙ୍କା ଅଧିକ ପାଇଛି। ତେଣୁ ବିଦ୍ୟୁତ୍‌ ଆଇନ ୨୦୦୩ ଧାରା ୬୨ (୬) ଅନୁସାରେ ଟାଟା ଉପଭୋକ୍ତାଙ୍କୁ ସୁଧ ସହ ଅର୍ଥ ଫେରସ୍ତ କରୁ। ଏଭଳି ପରିସ୍ଥିତି ସ୍ଥଳେ ଟିପିସିଓଡିଏଲ୍‌ର ବିଦ୍ୟୁତ୍‌ ଦେୟ ପ୍ରସ୍ତାବ ଏକ କ୍ଷୋଭର ପ୍ରସଙ୍ଗ। ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ୩୦୦ ୟୁନିଟ୍‌ ମାଗଣା ବିଜୁଳିର ବ୍ୟବସ୍ଥା କରନ୍ତୁ ଏବଂ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ ମନୋବୃତ୍ତିରୁ ସରକାର ନିବୃତ ରୁହନ୍ତୁ ବୋଲି ସେ କହିଛନ୍ତି।

The post କଂଗ୍ରେସ ଦେଲା ଚେତାବନୀ: ବିଦ୍ୟୁତ୍‌ ଦର ୧ ପଇସା ବଢ଼ିଲେ ହେବ ରାଜ୍ୟବ୍ୟାପୀ ଆନ୍ଦୋଳନ  appeared first on Dharitri Odia News.