କଏଦୀ ବରକୁ, କଏଦୀ ବରଯାତ୍ରୀ : ଝାରପଡ଼ା ଜେଲ୍ରେ ପ୍ରେମୀଯୁଗଳଙ୍କର ହେଲା ନିଆରା ବିବାହ
ଭୁବନେଶ୍ବର : କଏଦୀ ବରକୁ କଏଦୀ ବରଯାତ୍ରୀ, ଧୁମ୍ଧାମ୍ରେ ମଣ୍ଡପ ନିକଟରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ବାହାଘର। ବ୍ରାହ୍ମଣର ନିରନ୍ତର ମନ୍ତ୍ରଧ୍ବନି ସାଙ୍ଗକୁ ରହିରହି ମହିଳାଙ୍କ ହୁଳହୁଳି ଓ ଶଙ୍ଖୁଆର ଶଙ୍ଖ ଫୁଙ୍କାରେ କମ୍ପୁଥିଲା ଜେଲ୍ ପରିସର। ଏକକୁ ବଳି ଆରେକ ସୁସ୍ବାଦୁ ଖାଦ୍ୟର ପସରା ବି ମେଲିଥିଲା ଜେଲ୍ ଭିତରେ। ଶେଷରେ ଶୁଭବେଳା ଦେଖି ବର-କନ୍ୟାଙ୍କ ହାତଗଣ୍ଠି ପକାଇ ବିବାହ ସଂପନ୍ନ କରିଥିଲେ ବ୍ରାହ୍ମଣ। ଏହା କୌଣସି ସିନେମାର ଦୃଶ୍ୟ ନଥିଲା ବଂର ଝାରପଡ଼ା […]

ଭୁବନେଶ୍ବର : କଏଦୀ ବରକୁ କଏଦୀ ବରଯାତ୍ରୀ, ଧୁମ୍ଧାମ୍ରେ ମଣ୍ଡପ ନିକଟରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ବାହାଘର। ବ୍ରାହ୍ମଣର ନିରନ୍ତର ମନ୍ତ୍ରଧ୍ବନି ସାଙ୍ଗକୁ ରହିରହି ମହିଳାଙ୍କ ହୁଳହୁଳି ଓ ଶଙ୍ଖୁଆର ଶଙ୍ଖ ଫୁଙ୍କାରେ କମ୍ପୁଥିଲା ଜେଲ୍ ପରିସର। ଏକକୁ ବଳି ଆରେକ ସୁସ୍ବାଦୁ ଖାଦ୍ୟର ପସରା ବି ମେଲିଥିଲା ଜେଲ୍ ଭିତରେ। ଶେଷରେ ଶୁଭବେଳା ଦେଖି ବର-କନ୍ୟାଙ୍କ ହାତଗଣ୍ଠି ପକାଇ ବିବାହ ସଂପନ୍ନ କରିଥିଲେ ବ୍ରାହ୍ମଣ। ଏହା କୌଣସି ସିନେମାର ଦୃଶ୍ୟ ନଥିଲା ବଂର ଝାରପଡ଼ା ଜେଲ୍ରେ ଶହଶହ ଅନ୍ତେବାସୀ ଏମିତି ଏକ ସତସତିକା ତଥା ନିଆରା ବିବାହର ସାକ୍ଷୀ ପାଲଟିଛନ୍ତି। ମନୋମାଳିନ୍ୟ ଯୋଗୁଁ ଭଟ୍ଟା ପଡ଼ିଥିବା ପ୍ରେମୀଯୁଗଳଙ୍କ ସମ୍ପର୍କ ସୋମବାର ପୁଣିଥରେ ଜେଲ୍ ଭିତରେ ସ୍ବାମୀ-ସ୍ତ୍ରୀ ରୂପରେ ଯୋଡ଼ି ହୋଇଛି। ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ଜନ୍ମଜନ୍ମାନ୍ତର ବନ୍ଧନରେ ବାନ୍ଧି ହୋଇଛନ୍ତି।
ସୂଚନାନୁଯାୟୀ, ଖୋର୍ଦ୍ଧା ଚାନ୍ଦପୁରର ସୁବାସ ସେଇ ଗାଁର ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ। ତେବେ କୌଣସି କାରଣରୁ ଦୀର୍ଘଦିନ ଧରି ଗଢ଼ି ଉଠିଥିବା ସମ୍ପର୍କରେ ସୃଷ୍ଟି ହୋଇଥିଲା ମନୋମାଳିନ୍ୟ। ସୁବାସ ଉକ୍ତ ନାବାଳିକାଙ୍କ ସହ ସବୁ ସମ୍ପର୍କ ଚ୍ଛିନ୍ନ କରି ଅଲଗା ହେବାକୁ ଉଦ୍ୟମ କରିଥିଲେ। ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୁବାସ ଦୂରେଇ ଯିବାରୁ ମାମଲା ଯାଇ ଥାନାରେ ପହଞ୍ଚିଥିଲା। ନାବାଳିକାଙ୍କ ଅଭିଯୋଗକ୍ରମେ ସୁବାସକୁ ଗିରଫ କରାଯାଇଥିଲା। ସେ ଝାରପଡ଼ା ଜେଲ୍ରେ ବିଚାରାଧୀନ କଏଦୀ ଭାବେ ରହିଥିଲା। ଦୁଇ ମାସ ଜେଲ୍ରେ ରହିବା ପରେ ସମ୍ପୃକ୍ତ ନାବାଳିକାଙ୍କୁ ବିବାହ କରିବେ ବୋଲି ମନସ୍ଥ କରି କୋର୍ଟଙ୍କୁ ଅବଗତ କରିଥିଲେ। ଉଭୟ ଗୋଟିଏ ଜାତି ହୋଇଥିବାରୁ ଦୁଇ ପରିବାର ଏଥିରେ ହଁ ଭରିଥିଲେ। ସେଇ ସମୟରେ କିନ୍ତୁ ସମ୍ପୃକ୍ତ ଯୁବତୀଜଣଙ୍କ ନାବାଳିକା ଥିବାରୁ ବିବାହ ହୋଇନଥିଲା। ତାଙ୍କୁ ୧୮ ବର୍ଷ ହେବା ପରେ କୋର୍ଟଙ୍କ ଅନୁମତିକ୍ରମେ ଗତକାଲି ଝାରପଡ଼ା ଜେଲ୍ରେ ଏହି ନିଆରା ବିବାହ ଆଡ଼ମ୍ବରରେ ହୋଇଥିଲା।
ଫୁଲରେ ସୁସଜ୍ଜିତ ବ୍ୟାଟେରୀ ଗାଡ଼ିରେ ବର ବେଶରେ ବାହାରିଥିଲେ ସୁବାସ। ବରଯାତ୍ରୀ ସାଜିଥିଲେ ଜେଲର ଅନ୍ତେବାସୀ। ନାଚଗୀତ କରି ଜେଲ ପରିସରରେ ଥିବା ଅସ୍ଥାୟୀ ମଣ୍ଡପରେ ବରଯାତ୍ରୀଙ୍କୁ ଧରି ପହଞ୍ଚିଥିଲେ। ସେମିତି କନ୍ୟା ଘର ଲୋକ ବି ଖୋର୍ଦ୍ଧାରୁ ଆସି ଜେଲ ପରିସରରେ ପହଞ୍ଚିଥିଲେ। ବିବାହ ଭୋଜିର ଆୟୋଜନ ହୋଇଥିଲା। ଏହି ବିବାହରେ ମାଜିଷ୍ଟ୍ରେଟ୍, ଭୁବନେଶ୍ୱର ଉପ-ଜିଲ୍ଲାପାଳ, ଖୋର୍ଦ୍ଧାର ସିଡିପିଓ, ଜେଲ୍ ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁ, ଜେଲ୍ର ପ୍ରସନ୍ନ କୁମାର ସାହୁଙ୍କ ସମେତ ସାମାଜିକ କର୍ମୀ, ଜେଲ୍ ଡାକ୍ତର, ମାନସ୍ତତ୍ତ୍ୱବିତ୍, ଜେଲ୍ କର୍ମଚାରୀ, ଉଭୟ ବର ଏବଂ କନ୍ୟାଙ୍କ ଘରଲୋକ ଉପସ୍ଥିତ ରହି ନବବିବାହିତ ଦମ୍ପତିଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।