କଟକର ପ୍ରାଚୀନ ଗଣେଶ ମନ୍ଦିର, ସ୍ମରଣ ମାତ୍ରେ ହୋଇଯାଏ ରୋଗବ୍ୟାଧି ଦୂର

କଟକ: ଗଣେଶ ଚତୁର୍ଥୀକୁ ଆଉ ମାତ୍ର କିଛି ଦିନ। ଗାଁଠାରୁ ସହର ସବୁଠାରେ ହେବ ବିଘ୍ନରାଜଙ୍କ ଆବାହନ । ଏମିତିରେ ଅଗ୍ରପୂଜ୍ୟଙ୍କ ପୂଜାରୁ କେମିତି ବାଦ୍‌ ପଡ଼ିବ ଭାଇଚାରାର ସହର । ସବୁବର୍ଷ ପରି ଏଥର ମଧ୍ୟ କଟକବାସୀ ଗଣେଶ ପୂଜା ପାଳନ ପାଇଁ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ପୂଜା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ସହରରେ ପ୍ରାୟ ୧୨ଶହ ମଣ୍ଡପରେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କର ପୂଜା ବେଶ୍ ଶ୍ରଦ୍ଧା ଓ ଭକ୍ତିର ସହ କରାଯାଇଥାଏ। ହେଲେ ବିଭିନ୍ନ ମଣ୍ଡପକୁ ବାଦ ଦେଲେ କଟକ ସହରରେ ବିଘ୍ନ ବିନାଶକଙ୍କ ଏମିତି କିଛି ପ୍ରାଚୀନ ପୀଠ ରହିଛି, ଯାହା କଟକରେ ଗଣେଶ ପୂଜା ପରମ୍ପରା ସହ କଟକ ସହର ଓ ବାରବାଟୀ ଦୁର୍ଗର ଇତିହାସର ସାକ୍ଷୀ ହୋଇ ରହିଛି। ଏମିତି ଏକ ପ୍ରାଚୀନ ଶ୍ରୀଗଣେଶଙ୍କର ପୀଠ ହେଉଛି ବକ୍ସି ବଜାର ବଢ଼େଇ ସାହିରେ ଥିବା ଶ୍ରୀ ଶ୍ରୀ ଗଣେଶ ଜୀଉ ମନ୍ଦିର, ଯେଉଁଠାରେ ଆଜିକୁ ପ୍ରାୟ ଆଠ ଶହ ବର୍ଷ ହେବ ପୂଜା ପାଉଛନ୍ତି ବିଘ୍ନ ବିନାଶକ ଶ୍ରୀଗଣେଶ।କିମ୍ବଦନ୍ତୀ ଅନୁସାରେ ଗଙ୍ଗବଂଶର ଶାସନ କାଳରେ ମରାଠାମାନେ ଏହି ପାଞ୍ଚ ଫୁଟ୍ ଉଚ୍ଚ କଳା ମୁଗୁନି ପଥରରେ ତିଆରି ଗଣେଶଙ୍କ ମୂର୍ତ୍ତି ବାରବାଟୀ ଦୂର୍ଗ ଭିତରେ ସ୍ଥାପନା କରିଥିଲେ। କୁହାଯାଏ ବାରବାଟୀ ଦୁର୍ଗ ଭିତରେ ଗଡଚଣ୍ଡୀ ଆରାଧ୍ୟ ଦେବୀ ହୋଇଥିବା ବେଳେ ଗଡ଼ ବାହାରେ ଗଡ଼ଗଡ଼େଶ୍ବର ମହାଦେବ ଥିଲେ ଗଡ଼ର ରକ୍ଷକ ଓ ଗଡ଼ର ଦ୍ବାର ଦେଶରେ ଥିବା ଶ୍ରୀଗଣେଶ ଥିଲେ ଗଡ଼ର ବିଘ୍

କଟକର ପ୍ରାଚୀନ ଗଣେଶ ମନ୍ଦିର, ସ୍ମରଣ ମାତ୍ରେ ହୋଇଯାଏ ରୋଗବ୍ୟାଧି ଦୂର

କଟକ: ଗଣେଶ ଚତୁର୍ଥୀକୁ ଆଉ ମାତ୍ର କିଛି ଦିନ। ଗାଁଠାରୁ ସହର ସବୁଠାରେ ହେବ ବିଘ୍ନରାଜଙ୍କ ଆବାହନ । ଏମିତିରେ ଅଗ୍ରପୂଜ୍ୟଙ୍କ ପୂଜାରୁ କେମିତି ବାଦ୍‌ ପଡ଼ିବ ଭାଇଚାରାର ସହର । ସବୁବର୍ଷ ପରି ଏଥର ମଧ୍ୟ କଟକବାସୀ ଗଣେଶ ପୂଜା ପାଳନ ପାଇଁ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ପୂଜା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ସହରରେ ପ୍ରାୟ ୧୨ଶହ ମଣ୍ଡପରେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କର ପୂଜା ବେଶ୍ ଶ୍ରଦ୍ଧା ଓ ଭକ୍ତିର ସହ କରାଯାଇଥାଏ। 

ହେଲେ ବିଭିନ୍ନ ମଣ୍ଡପକୁ ବାଦ ଦେଲେ କଟକ ସହରରେ ବିଘ୍ନ ବିନାଶକଙ୍କ ଏମିତି କିଛି ପ୍ରାଚୀନ ପୀଠ ରହିଛି, ଯାହା କଟକରେ ଗଣେଶ ପୂଜା ପରମ୍ପରା ସହ କଟକ ସହର ଓ ବାରବାଟୀ ଦୁର୍ଗର ଇତିହାସର ସାକ୍ଷୀ ହୋଇ ରହିଛି। ଏମିତି ଏକ ପ୍ରାଚୀନ ଶ୍ରୀଗଣେଶଙ୍କର ପୀଠ ହେଉଛି ବକ୍ସି ବଜାର ବଢ଼େଇ ସାହିରେ ଥିବା ଶ୍ରୀ ଶ୍ରୀ ଗଣେଶ ଜୀଉ ମନ୍ଦିର, ଯେଉଁଠାରେ ଆଜିକୁ ପ୍ରାୟ ଆଠ ଶହ ବର୍ଷ ହେବ ପୂଜା ପାଉଛନ୍ତି ବିଘ୍ନ ବିନାଶକ ଶ୍ରୀଗଣେଶ।

କିମ୍ବଦନ୍ତୀ ଅନୁସାରେ ଗଙ୍ଗବଂଶର ଶାସନ କାଳରେ ମରାଠାମାନେ ଏହି ପାଞ୍ଚ ଫୁଟ୍ ଉଚ୍ଚ କଳା ମୁଗୁନି ପଥରରେ ତିଆରି ଗଣେଶଙ୍କ ମୂର୍ତ୍ତି ବାରବାଟୀ ଦୂର୍ଗ ଭିତରେ ସ୍ଥାପନା କରିଥିଲେ। କୁହାଯାଏ ବାରବାଟୀ ଦୁର୍ଗ ଭିତରେ ଗଡଚଣ୍ଡୀ ଆରାଧ୍ୟ ଦେବୀ ହୋଇଥିବା ବେଳେ ଗଡ଼ ବାହାରେ ଗଡ଼ଗଡ଼େଶ୍ବର ମହାଦେବ ଥିଲେ ଗଡ଼ର ରକ୍ଷକ ଓ ଗଡ଼ର ଦ୍ବାର ଦେଶରେ ଥିବା ଶ୍ରୀଗଣେଶ ଥିଲେ ଗଡ଼ର ବିଘ୍ନ ବିନାଶକ। ମାତ୍ର କଳାପାହାଡ଼ ଆକ୍ରମଣ ସମୟରେ ଏହି ଗଣେଶ ମୂର୍ତ୍ତିକୁ ସୁରକ୍ଷିତ ରଖିବା ପାଇଁ ତତ୍କାଳୀନ ରାଜା ମୂର୍ତ୍ତିଟିକୁ ରାଣୀ ପୋଖରୀରେ ବୁଡ଼ାଇ ରଖିଥିଲେ। 

ତେବେ ରାଜା ଘରକୁ ମହାରଣା ଓ ପଥର କାମ କରିବାକୁ ଯାଉଥିବା ବଢ଼େଇ ଏବଂ ପଥୁରିଆମାନେ ପୋଖରୀ ଭିତରେ ଏହି ମୂର୍ତ୍ତିକୁ ଆବିଷ୍କାର କରିବା ପରେ ରାଜାଙ୍କ ଅନୁମତିରେ ଏହାକୁ ପ୍ରଥମେ ରାମଗଡ଼ରେ ସ୍ଥାପନା କରି ପୂଜା କରାଯାଇଥିଲା। ପରେ ବିଘ୍ନ ବିନାଶକଙ୍କର ଏହି ଶ୍ରୀବିଗ୍ରହଙ୍କୁ ଆଜିର ବଢ଼େଇ ସାହିରେ ଥିବା ଏହି ମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ସେବେଠାରୁ ପ୍ରାୟ ଆଠ ଶହ ବର୍ଷ ହେବ ଏଠାରେ ବିଘ୍ନରାଜଙ୍କୁ ପୂଜାର୍ଚ୍ଚନା କରାଯାଉଛି।

ବିଶ୍ବାସ ରହିଛି ବଢ଼େଇ ସାହିର ଏହି ଆରାଧ୍ୟ ଦେବତାଙ୍କୁ ସ୍ମରଣ ମାତ୍ରେ ରୋଗବ୍ୟାଧି ଦୂର ହୋଇଯାଏ। ବଢ଼େଇ ସାହି ଶ୍ରୀଗଣେଶଙ୍କର ମହିମା କେବଳ କଟକ ସହର ନୁହେଁ, ସାରା ରାଜ୍ୟରେ ପରିଚିତ। ରାଜ୍ୟର କୋଣ ଅନୁକୋଣ ଏଠାକୁ ଛୁଟି ଆସନ୍ତି ଭକ୍ତ। ଏହି ଶ୍ରୀଗଣେଶଙ୍କ ମନ୍ଦିରରେ ଦୈନିକ ଅନ୍ନ ପ୍ରସାଦ ଭୋଗ ସହ ପ୍ରତି ବୁଧବାର ଶ୍ରଦ୍ଧାଳୁ ମାନଙ୍କୁ ଭୋଗ ଲାଗିଥିବା ଲଡୁ ବଣ୍ଟନ କରାଯାଇଥାଏ। ଏହା ବାଦ ବ୍ୟତୀତ ଅନନ୍ତବ୍ରତ ଓ ଗଣେଶ ପୂଜାରେ ଏହି ମନ୍ଦିରରେ ସ୍ବତନ୍ତ୍ର ରୀତି-ନୀତିରେ ବଡ଼ ଆଡମ୍ବର ସହକାରେ ପୂଜା କରାଯାଇଥାଏ। ଗଣେଶ ପୂଜାରେ ପ୍ରାୟ ଦୁଇ କ୍ଵିଣ୍ଟାଲ ଲଡ଼ୁ ଭୋଗ କରି ଶ୍ରଦ୍ଧାଳୁ ମାନଙ୍କୁ ଦିଆଯାଉଥିବାବେଳେ ଗଣେଶ ପୂଜା ପରଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥାଏ।

କିମ୍ବଦନ୍ତୀ କହେ ବଙ୍ଗୀୟ ଜମିଦାରମାନେ କଟକ ଆସିବା ପରେ କଟକରେ ଶାରଦୀୟ ଦୁର୍ଗାପୂଜାରେ ହର ପାର୍ବତୀ ପୂଜା ଧୀରେ ଧୀରେ ମା'ଙ୍କ ମୃଣ୍ମୟ ମୂର୍ତ୍ତି ପୂଜାରେ ପରିବର୍ତ୍ତନ ହୋଇଥିଲା। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ମରହଟ୍ଟାମାନେ କଟକରେ କିଛି ଗଣେଶଙ୍କର ମନ୍ଦିର ପ୍ରତିଷ୍ଠା କରି ଗଣପତି ପୂଜା ପରମ୍ପରା ଆରମ୍ଭ କରିଥିଲେ।