କଣ୍ଟେନରରେ ଥିଲା ୧୯୬୦୦ ଟାବଲେଟ୍‌, ଲୋକେ ଧରି ପୁଲିସକୁ ଦେଲେ

ଭୁବନେଶ୍ୱରରୁ ଟାବଲେଟ୍‌ ବୋଝେଇ କରି ଏକ କଣ୍ଟେନର ରାୟଗଡା ରେଳ ଷ୍ଟେସନ ରୋଡ୍‌ରେ ଛିଡ଼ା ହୋଇଛି। ଯେଉଁଠି ଯିବାଆସିବା ନାହିଁ। ସେଠାରେ ପେଟି ପେଟି ଟାବଲେଟ୍‌ ଗୁଡ଼ିକ ବୋଲେରୋରେ ଲୋଡ୍‌ ହେଉଥିଲା।

କଣ୍ଟେନରରେ ଥିଲା ୧୯୬୦୦ ଟାବଲେଟ୍‌, ଲୋକେ ଧରି ପୁଲିସକୁ ଦେଲେ

ନିର୍ବାଚନ ପୂର୍ବରୁ ରାୟଗଡ଼ାକୁ ଏକ କଣ୍ଟେନରରେ ଆସିଥିଲା ୧୯୬୦୦ ଟାବଲେଟ୍‌। ସ୍ଥାନୀୟ ଲୋକେ ଧରି ପୁଲିସ୍‌ ଜିମା ଦେଇଛନ୍ତି। ଶିକ୍ଷକଙ୍କୁ ବାଣ୍ଟିବା ପାଇଁ ଏହି ଟାବଲେଟ୍‌ ଆସିଥିବା ଜଣାପଡ଼ିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟାବ୍‌ଲେଟ୍‌ କେମିତି ବଣ୍ଟା ହେବାକୁ ଆସିଲା?

ଭୁବନେଶ୍ୱରରୁ ଟାବଲେଟ୍‌ ବୋଝେଇ କରି ଏକ କଣ୍ଟେନର ରାୟଗଡା ରେଳ ଷ୍ଟେସନ ରୋଡ୍‌ରେ ଛିଡ଼ା ହୋଇଛି। ଯେଉଁଠି ଯିବାଆସିବା ନାହିଁ। ସେଠାରେ ପେଟି ପେଟି ଟାବଲେଟ୍‌ ଗୁଡ଼ିକ ବୋଲେରୋରେ ଲୋଡ୍‌ ହେଉଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଟାବଲଟ୍‌ ଓ ଗାଡ଼ିକୁ ଥାନାକୁ ନେଇ ତଦନ୍ତ କରୁଛି। ଜବତ ହୋଇଥିବା ଟାବଲେଟ୍‌ରେ ନବୀନ ପଟ୍ଟନାୟକଙ୍କ ଫଟୋ ଓ 5-T ଲୋଗୋ ଥିବା ଦେଖିବାକୁ ମିଳିଛି।

ସେପଟେ ସ୍ଥାନୀୟ କଂଗ୍ରେସ ନେତା ଏହାକୁ ହୋ-ହଲ୍ଲା କରିଛନ୍ତି। ଭୋଟିଂ ସମୟରେ ବିଜେଡି ମାଷ୍ଟରଙ୍କ ମାଧ୍ୟମରେ ଇଭିଏମ୍‌ ଟ୍ୟାମ୍ପରିଂ ପାଇଁ ଯୋଜନା କରୁଥିବା କଂଗ୍ରେସ ଅଭିଯୋଗ କରିଛି।

ରାଜ୍ୟ କଂଗ୍ରେସ ସମ୍ପାଦକ ଦୁର୍ଗା ପଣ୍ଡା କହିଛନ୍ତି, ଆଜି ୧୯୬୦୦ ଟାବଲେଟ୍‌ ଜବତ ହୋଇଛି। ସେହି ଟାବଲେଟ୍‌ ଗୁଡ଼ିକୁ ସ୍କୁଲ ଶିକ୍ଷକମାନଙ୍କୁ ଦିଆଯାଉଛି। ସେଥିରେ ନବୀନ ପଟ୍ଟନାୟଙ୍କ ଫଟୋ ରହିଛି। ସେହି ଟାବଲେଟ୍‌ ମାଧ୍ୟମରେ ଶିକ୍ଷକଙ୍କ ଦ୍ୱାରା ଭୋଟ ଟ୍ୟାମ୍ପରିଂ ପାଇଁ ବ୍ୟବସ୍ଥା କରାଯାଉଛି। ସେଥିପାଇଁ ଶିକ୍ଷକମାନଙ୍କୁ ତାଲିମ ଦିଆଯାଇଛି। ବିଜେଡିର ଏହି କାର୍ଯ୍ୟକୁ ଆମେ ଘୋର ନିନ୍ଦା କରୁଛୁ ବୋଲି ଦୁର୍ଗା ପଣ୍ଡା ଅଭିଯୋଗ କରିଛନ୍ତି।

ଟାବଲେଟ ଚାଲାଣ କରୁଥିବା ବ୍ୟକ୍ତି ଲେଖାର୍ଥ କୁମାର କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶିକ୍ଷକମାନଙ୍କୁ ଟାବଲେଟ୍‌ ଦେବା ପାଇଁ ଆସିଛୁ। ସେହି ଟାବଲେଟ ମାଧ୍ୟମରେ ଶିକ୍ଷକମାନେ ନିଜର ପ୍ରତିଦିନର ଅଫିସିଆଲ୍‌ କାମ କରିବେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମ ପର୍ଯ୍ୟାୟରେ କିଛି ଶିକ୍ଷକଙ୍କୁ ଟାବଲେଟ୍‌ ପ୍ରଦାନ କରିଛୁ। ନିର୍ବାଚନ ପାଇଁ କୋଡ ଅଫ୍‌ କଣ୍ଡକ୍ଟ ଲାଗିବା ପୂର୍ବରୁ ଆମକୁ ଦ୍ୱିତୀୟ ଅର୍ଡର ମିଳିଥିଲା। ସେହି ହିସାବରେ ଆଜି ଟାବଲେଟ୍‌ ଦେବା ପାଇଁ ଆସିଥିଲୁ ବୋଲି ଶ୍ରୀ କୁମାର କହିଛନ୍ତି।

ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ