ସିଏଏକୁ ନେଇ ଆମେରିକାର ବୟାନ: କଡ଼ା ପ୍ରତିକ୍ରିୟା ରଖିଲା ଭାରତ

ଉକ୍ତ ବୟାନ ସଂପୂର୍ଣ୍ଣ ଭାବେ ଭୁଲ, ତ୍ରୁଟିଯୁକ୍ତ ଓ ଅନାବଶ୍ୟ। ଏପରି ବୟାନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ସହ ସମାନ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।

ସିଏଏକୁ ନେଇ ଆମେରିକାର ବୟାନ: କଡ଼ା ପ୍ରତିକ୍ରିୟା ରଖିଲା ଭାରତ

ଭାରତରେ ନାଗରିକତା ସଂଶୋଧନ ଆଇନ ବା ସିଏଏ ଲାଗୁ ହେବା ପରେ ଆମେରିକା ଚମକାଇ ଦେବା ଭଳି ବୟାନ ରଖିଥିଲା। ଧର୍ମ ଆଧାରରେ ଭାରତରେ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଆସିଥିବା ଆଇନ ଓ ସ୍ଥିତି ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଥିବା ୱାଶିଂଟନ ପକ୍ଷରୁ କୁହାଯାଇଛି।

ତେବେ ଆମେରିକାର ଏପରି ବୟାନକୁ ଭାରତ ବିରୋଧ କରିଛି। ଉକ୍ତ ବୟାନ ସଂପୂର୍ଣ୍ଣ ଭାବେ ଭୁଲ, ତ୍ରୁଟିଯୁକ୍ତ ଓ ଅନାବଶ୍ୟ। ଏପରି ବୟାନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ସହ ସମାନ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି, “ନାଗରିକତା ସଂଶୋଧନ ଆଇନ ନାଗରିକତା ଦେବା ପାଇଁ ଆସିଛି। ଏହା କାହାର ନାଗରିକତା ନେବ ନାହିଁ। ନିର୍ଯାତନା ଭଳି ପ୍ରସଙ୍ଗକୁ ବୁଝିବା ସହ ସିଏଏ ମାନବ ସମ୍ମାନ ଓ ମାନବ ଅଧିକାରର ସହାୟତା କରିବ।

ସିଏଏକୁ ନେଇ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ବୟାନ ଉପରେ ଆମେ ଏତିକି କହିବାକୁ ଚାହିଁବୁ ଯେ ଏହା ଭୁଲ, ତ୍ରୁଟିଯୁକ୍ତ ଓ ଅନାବଶ୍ୟ। ଭାରତର ବହୁଳବାଦୀ ପରମ୍ପରା ଓ ବିଭାଜନ ପର ଇତିହାସ ସମ୍ପର୍କରେ ସମକ୍ୟ ଜାଣିଥିବା ଲୋକମାନେ ଏହାଠାରୁ ଦୂରରେ ରହିବା ଭଲ। ଭାରତର ସହଯୋଗୀ ଓ ଶୁଭେଚ୍ଛୁମାନେ ଏପରି ପଦକ୍ଷେପକୁ ସ୍ୱାଗତ କରିବା କଥା। ଭାରତର ସମ୍ବିଧାନ ସବୁ ଧର୍ମର ଲୋକଙ୍କୁ ସ୍ୱତନ୍ତ୍ର ଧାର୍ମିକ ସ୍ୱତନ୍ତ୍ରତା ଦେଇଥାଏ। ସଂଖ୍ୟାଲଘୁଙ୍କ ଚିନ୍ତାର କୌଣସି କାରଣ ନାହିଁ।”

ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲରଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ କ’ଣ ସିଏଏ ଭାରତରେ ଥିବା ଧାର୍ମିକ ସ୍ୱାଧୀନତାକୁ ପ୍ରଭାବିତ କରିବ?

ଏହାର ଜବାବରେ ସେ କହିଥିଲେ ଯେ ଆମେ ବିଚାର କରୁଛୁ। ଆମେ ତୀକ୍ଷ୍ଣ ଭାବେ ଉକ୍ତ ଆଇନ ଉପରେ ନଜର ରଖିଛୁ। ଏହା କେମିତି କାର୍ଯ୍ୟକାରୀ ହେଉଛି, ତା’ ଉପରେ ବି ନଜର ରହିଛି ବୋଲି ସେ କହିଥିଲେ।