କଥା ମିଠା
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନମନୀୟ ବ୍ୟବହାର ଓ ମନୋଭାବରୁ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ଅନିଶ୍ଚିତ ଅବସ୍ଥା ଦ୍ରୁତ ଶିଳ୍ପାୟନର ଗତିରୋଧ କରିଛି। ଏହା ମଧ୍ୟ ଆମ ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ପ୍ରାକ୍ ସୂଚନା ହସ୍ତଗତ ହେବାରେ ଲାଗିଛି। ବ୍ୟାଙ୍କ ଅପେକ୍ଷା ପୁଞ୍ଜିବଜାର ଉପରେ ନିର୍ଭର କରୁଥିବା କର୍ପୋରେଟ୍ ହାଉସ୍ ସଂସ୍ଥା ହଠାତ୍ ବଡ଼ଧରଣର ନିବେଶ ପାଇଁ ସାହସ କରୁନାହାନ୍ତି। ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ରିପୋର୍ଟରେ ଜିଡିପି […]

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନମନୀୟ ବ୍ୟବହାର ଓ ମନୋଭାବରୁ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ଅନିଶ୍ଚିତ ଅବସ୍ଥା ଦ୍ରୁତ ଶିଳ୍ପାୟନର ଗତିରୋଧ କରିଛି। ଏହା ମଧ୍ୟ ଆମ ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ପ୍ରାକ୍ ସୂଚନା ହସ୍ତଗତ ହେବାରେ ଲାଗିଛି। ବ୍ୟାଙ୍କ ଅପେକ୍ଷା ପୁଞ୍ଜିବଜାର ଉପରେ ନିର୍ଭର କରୁଥିବା କର୍ପୋରେଟ୍ ହାଉସ୍ ସଂସ୍ଥା ହଠାତ୍ ବଡ଼ଧରଣର ନିବେଶ ପାଇଁ ସାହସ କରୁନାହାନ୍ତି। ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ରିପୋର୍ଟରେ ଜିଡିପି ହାର ୬.୨ ପ୍ରତିଶତକୁ ବୃଦ୍ଧି ପାଇବା ଆଶ୍ୱାସନାର ବିଷୟ ହୋଇପାରେ। କିନ୍ତୁ ଏହା ପରିବର୍ତ୍ତିତ ସ୍ଥିତିର ପୂର୍ବ ଆକଳନଠାରୁ କମ୍। ଆମକୁ ଏଠାରେ ସୂଚାଇ ଦେବାକୁ ପଡୁଛି ଯେ ସେପ୍ଟେମ୍ବରରେ ପ୍ରକାଶ ପାଇଥିବା ଦ୍ୱିତୀୟ ରିପୋର୍ଟରେ ଅଭିବୃଦ୍ଧି ହାର ୫.୬ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ସ୍ଥିତି ସୁଧୁରିବ ବୋଲି ଆଶ୍ୱସନା ଦିଆଯାଇଥିଲା। ସେତେବେଳେ ଏହି ଅଭିବୃଦ୍ଧି ହାର ୬.୪ ପ୍ରତିଶତ ହେବ ବୋଲି ଦର୍ଶାଯାଇଥିଲା। ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ତାହା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୦.୨ ପ୍ରତିଶତ ପଛରେ ପଡ଼ିଯାଇଛି। କୃଷିକ୍ଷେତ୍ରର ସଫଳତା ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତାଙ୍କ ମୁହଁ ରକ୍ଷା କରିଛି। ଆମେ ଏସବୁ ଉଲ୍ଲେଖ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ରାଜ୍ୟସ୍ତରରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ଆୟୋଜନ ସତ୍ତ୍ବେ କର୍ପୋରେଟ ସଂସ୍ଥାମାନେ ପ୍ରତିଶ୍ରୁତି ଦେଇ ସେଥିରୁ ଓହରି ଯାଉଥିବାର ପରିଲକ୍ଷିତ ହେଉଛି। ସେମାନେ ସବୁଠାରେ ମୁହଁ ଦେଖାଉଥିଲେ ମଧ୍ୟ ଖୋଜି ଚାଲିଛନ୍ତି କେଉଁଠି ଅଧିକ ଅନୁକୂଳ ପରିବେଶ ଓ ସୁବିଧା ସୁଯୋଗ ମିଳୁଛି। ନିକଟରେ ‘ଉତ୍କର୍ଷ ଓଡ଼ିଶା’ ଭଳି ବିଶାଳ ଆୟୋଜନରେ ଯୋଗଦେଇଥିବା ଏକାଧିକ ସଂସ୍ଥା ମୁହଁ ଫେରାଇ ଅନ୍ୟ ରାଜ୍ୟରେ ନିବେଶ ସକାଶେ ଅଣ୍ଟା ଭିଡ଼ିଥିବାର ପରିଲକ୍ଷିତ ହୋଇଛି।
ଏବେ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ଯେ ଆର୍ସେଲ ମିତ୍ତଲର ପ୍ରସ୍ତାବିତ କେନ୍ଦ୍ରାପଡ଼ା ପ୍ରକଳ୍ପ ଓଡ଼ିଶା ଛାଡ଼ିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଖୁବ୍ ଜୋର ଧରିଛି। ସବୁଠାରୁ ଉଲ୍ଲେଖଯୋଗ୍ୟ ହେଲା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ପୋସ୍କୋ ଓ ଜେଏସ୍ଡବ୍ଲ୍ୟୁ ସହଭାଗିତାରେ ପ୍ରସ୍ତାବିତ ଇସ୍ପାତ କାରଖାନାକୁ ଅଞ୍ଚଳବାସୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ଅନୁକୂଳ ପରିବେଶ ଅଭାବରୁ ସମ୍ପୃକ୍ତ ସଂସ୍ଥା କରଛଡ଼ା ଦେଲାଭଳି ମନେହୁଏ। ରାଜ୍ୟରେ ବିପୁଳ ଖଣିଜ ସମ୍ପଦ ମହଜୁଦ ଅଛି ଏବଂ ମୌଳିକ ସୁବିଧା ସୁଯୋଗ ସକାଶେ କେନ୍ଦ୍ର ପ୍ରସ୍ତୁତ ହୋଇ ରହିଛି। ତେବେ ଅସୁବିଧା କେଉଁଠି? ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଏବଂ କାର୍ଯ୍ୟାନ୍ୱୟନ ସକାଶେ ସୁଦକ୍ଷ ପ୍ରଶାସନ ଅଭାବ ସାଙ୍ଗକୁ ଅନିୟନ୍ତ୍ରିତ ଆଇନ ଶୃଙ୍ଖଳା ପରିସ୍ଥିତି ନିବେଶକଙ୍କୁ ନିରୁତ୍ସାହିତ କରୁଥିବା ଭଳି ମନେହୁଏ। ଜଗତପୁରରେ ବିଦ୍ୟୁତଚାଳିତ ମୋଟରଗାଡ଼ି ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ୟାରମ୍ଭ କରିବା ଭଳି ମନେ ହେଉଥିଲା। ଜେଏସ୍ଡବ୍ଲ୍ୟୁ ଏହି ପ୍ରକଳ୍ପ ନେଇ ଅନ୍ୟ ରାଜ୍ୟ ସହ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି। ଆଦାନୀ କମ୍ପାନୀ ପ୍ରତିନିଧି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀ ‘ଉତ୍କର୍ଷ ଓଡ଼ିଶା’ ସମାବେଶରେ ଯୋଗଦେଇ ନିବେଶର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହାକୁ ସେମାନେ ଭୁଲିଗଲା ଭଳି ମନେହେଉଛି। ସେମାନେ ଏବେ ଆସାମ ଓ ପଶ୍ଚିମବଙ୍ଗକୁ ପ୍ରାଧାନ୍ୟ ଦେଉଛନ୍ତି। ଦୁଇଗୋଷ୍ଠୀର ମାଲିକ ଆସାମ ଶିଳ୍ପ ସମାବେଶରେ ଯୋଗଦେଇ ସେଠାରେ ଲକ୍ଷାଧିକ କୋଟି ଟଙ୍କାର ପ୍ରକଳ୍ପ ସ୍ଥାପନ ସକାଶେ ପ୍ରତିଶ୍ରୁତି ଦେଇଛନ୍ତି। ଉଭୟ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର। ଓଡ଼ିଶା ପରେ ଆସାମକୁ ମୁହାଁଇବାର ଉଦ୍ଦେଶ୍ୟକୁ ଅନୁଶୀଳନ କଲେ ଆମେ କେଉଁଠି ପଛରେ ପଡ଼ିଯାଇଛୁ, ତାହା ଆପେ ଆପେ ସାମ୍ନାକୁ ଆସିଯିବ।
କେବଳ ଆୟୋଜନ ଓ ଘୋଷଣାରେ କାର୍ଯ୍ୟସୂଚୀ ସୀମିତ ରହିଲେ ଦ୍ରୁତ ଶିଳ୍ପାୟନର ମହତାକାଂକ୍ଷା ପୂରଣ ହୁଏନି। କ୍ରମାଗତ ସମ୍ପର୍କ ରକ୍ଷା ହିଁ ଏହି ପ୍ରକ୍ରିୟାର ଗତିଶୀଳତାରେ ରହୁଥିବା ପ୍ରତିବନ୍ଧକକୁ ତୁରନ୍ତ ଦୂର କରିପାରିବ। ଏ କ୍ଷେତ୍ରରେ ଯେଉଁ ପ୍ରତିଶ୍ରୁତିବଦ୍ଧତା ଓ ପ୍ରଶାସନିକ ନିଷ୍ଠା, ଦକ୍ଷତା ଆବଶ୍ୟକ, ତାହା କାର୍ଯ୍ୟରେ ଅନୁଭୂତ ହେଉନି। ଶିଳ୍ପ ସଂସ୍ଥା ସକାଶେ ନିବେଶ ଅନୁକୂଳ ବ୍ୟବସାୟିକ ସଂସ୍କାର କାର୍ଯ୍ୟ ଯୋଜନା (ବିଆଇଏଏଫ୍) ପ୍ରସ୍ତୁତ ହେବା ଜରୁରୀ। ସୂଚନାଯୋଗ୍ୟ ଯେ ୨୦୨୨ରେ ଅନୁରୂପ ଖସଡ଼ା ପ୍ରସ୍ତୁତ କରି ଓଡ଼ିଶା ‘ଟପ ଆଚିଭର’ ରାଜ୍ୟ ଭାବେ ପୁରସ୍କୃତ ହୋଇଥିଲା। ସରକାର ଏକକ ବାତାୟନ(ସିଙ୍ଗଲ୍ ୱିଣ୍ଡୋ) ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସହ ବିଭିନ୍ନ ବର୍ଗରେ ୯୯ଟି ସଂସ୍କାର ଆଣିଥିଲେ। ଏହି ସଫଳତା ପାଇଁ ଗତ ତିନିମାସ ତଳେ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ରାଜ୍ୟକୁ ପୁରସ୍କୃତ କରିଥିଲେ। ସର୍ବାଧିକ ପୁଞ୍ଜିନିବେଶ କରି ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ୨୦୨୩ରେ ଦେଶର ବିଭିନ୍ନ ରାଜ୍ୟକୁ ୫ଲକ୍ଷ ୧୦ ହଜାର ୮୫୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ଏଥିରୁ ଓଡ଼ିଶାକୁ ଆସିଥିଲା ୨ ଲକ୍ଷ ୧୦ ହଜାର ୮୩୭ କୋଟି ଟଙ୍କାର ପ୍ରସ୍ତାବ। ନିକଟରେ ଅନୁଷ୍ଠିତ ‘ଉତ୍କର୍ଷ ଓଡ଼ିଶା’ ସମ୍ମେଳନ ପରେ ପରେ ସରକାର ୧୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଏବଂ ଆନୁପାତିକ ନିଯୁକ୍ତିର ସୁଯୋଗ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟବାସୀଙ୍କ ମନରେ ଯେଉଁ ସମ୍ଭାବନାର ସ୍ୱପ୍ନ ବୁଣିଥିଲେ, ତାହା କେତେଦୂର ସାକାର ହେଉଛି, ସମୟ କହିବ।
ସ୍ୱପ୍ନ ଦେଖିବାକୁ ମନା ନାହିଁ। ତେବେ ପରିଲକ୍ଷିତ ପ୍ରତିକୂଳ ପରିବେଶରେ ନୂଆ ନିବେଶ ଓ ଦ୍ରୁତ ଶିଳ୍ପାୟନର ସୁଯୋଗ କେତେ ଅଛି, ତାହାର ଆକଳନ ହେବା ଉଚିତ। ଦେଶ ସମ୍ପ୍ରତି ବାଣିଜ୍ୟ କୂଟନୀତିରେ ଫସି ରହିଥିବା ବେଳେ ଶେଷ ତ୍ରୟମାସିକ ଅର୍ଥନୈତିକ ରିପୋର୍ଟକୁ ଅନୁଧ୍ୟାନ କରିବା ଉଚିତ। ଉଭୟ ବିନିର୍ମାଣ ଓ ଖଣି କ୍ଷେତ୍ରରେ ଖରାପ ପ୍ରଦର୍ଶନ ଏବେ ମଧ୍ୟ ଜାରିରହିଛି। ଏହାକୁ ବାଦଦେଲେ କ୍ରମାଗତ ଭାବେ ଭାରତୀୟ ମୁଦ୍ରା ଦୁର୍ବଳ ହେବାରେ ଲାଗିଛି। ପୁଞ୍ଜିବଜାର ଥିଲା ଶେଷ ଭରସା। ତାହା ମଧ୍ୟ ଧରାଶାୟୀ ହୋଇଛି। କ୍ରମାଗତ ୫ମାସ ଧରି ସେନ୍ସେକ୍ସ ହ୍ରାସ ପାଇ ୩୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି। ଏଥିମଧ୍ୟରେ ନିବେଶକଙ୍କର ୯୦.୧୩ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଛି। ଉପରୋକ୍ତ ସ୍ଥିତିରୁ ଅର୍ଥନୀତିର ଗତିଶୀଳତା କେଉଁ ସ୍ତରରେ ପହଞ୍ଚିଛି, ତାହା ଅନୁମାନ କରିବା କଷ୍ଟକର ନୁହେଁ। ତେଣୁ ଦୃଢ଼ ଆସ୍ଥା ଓ ବିଶ୍ୱାସ ସହ ଅନୁକୂଳ ପରିବେଶ ସୃଷ୍ଟି ନ କଲେ ନିବେଶକଙ୍କ ଭରସା ହାସଲ କରିବା ଏତେ ସହଜ ନୁହେଁ। ସମୟୋପଯୋଗୀ ପଦକ୍ଷେପ ନେବାର ଜରୁରୀ ଆବଶ୍ୟକତା ପ୍ରତି ସରକାର ଧ୍ୟାନ ଦେବା ଉଚିତ।