କନ୍ନଡ଼ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ମୃତଦେହ ଉଦ୍ଧାର

ଲୋକପ୍ରିୟ କନ୍ନଡ ଅଭିନେତା ତଥା ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

କନ୍ନଡ଼ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ମୃତଦେହ ଉଦ୍ଧାର

ଦକ୍ଷିଣ ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ କନ୍ନଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କର ମୃତ୍ୟୁ ଘଟିଛି। ସହରର ଉପକଣ୍ଠରେ ଥିବା ଏକ ଘରୁ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

ମଦନୟାକନାହଲ୍ଲୀ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ବେଙ୍ଗାଲୁରୁ ଗ୍ରାମୀଣ ଏସପି ସି.କେ ବାବା କହିଛନ୍ତି, 'ଚଳଚ୍ଚିତ୍ର ନିର୍ମାତା ଗୁରୁପ୍ରସାଦ ତାଙ୍କ ଚଳଚ୍ଚିତ୍ର ହେଉ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗରେ ଗତ କିଛିଦିନ ହେବ ଚିନ୍ତିତ ଥିଲେ ବୋଲି କୁହାଯାଉଛି। ସେ ଆର୍ଥିକ ଚାପରେ ଥିଲେ ବୋଲି ମଧ୍ୟ ଆମେ ଶୁଣୁଛୁ। ପାଞ୍ଚ-ଛଅ ଦିନ ପୂର୍ବରୁ ସେ ଏହି ଘରକୁ ଆସିଥିବା ପଡୋଶୀମାନେ ଦେଖିଥିଲେ। ଏହା ପରଠାରୁ ସେ ଆଉ ବାହାରକୁ ବାହାରି ନାହାନ୍ତି। ତେଣୁ ସେ ପାଞ୍ଚ-ଛଅ ଦିନ ପୂର୍ବରୁ ହିଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।'

ତେବେ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି। ସୂଚନା ଅନୁସାରେ, ଘରୁ ଦୁର୍ଗନ୍ଧ ଆସିବା ପରେ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗିବା ପରେ ମୃତଦେହ ଏକ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି ଏସପି କହିଛନ୍ତି। ଗୁରୁପ୍ରସାଦ ମାତା, ୟେଡେଲୁ ମଞ୍ଜୁନାଥ ଭଳି ବହୁ ସୁପରହିଟ୍ ଚଳଚ୍ଚିତ୍ର ପାଇଁ ଲୋକପ୍ରିୟତା ସାଉଁଟିଥିଲେ। ସେ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି।