କନ୍ୟାକୁମାରୀଠାରେ ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ୍ ଉଦଘାଟିତ

ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଗ୍ଲାସ ବ୍ରିଜକୁ ଉଦଘାଟନ କରିଛନ୍ତି। ଏହି ବ୍ରିଜ ଦେଇ ପର୍ଯ୍ୟଟକମାନେ ବର୍ତ୍ତମାନ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ପହଞ୍ଚି ପାରିବେ।

କନ୍ୟାକୁମାରୀଠାରେ ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ୍ ଉଦଘାଟିତ

ତାମିଲନାଡୁର କନ୍ୟାକୁମାରୀଠାରେ ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ ନିର୍ମାଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଗ୍ଲାସ ବ୍ରିଜକୁ ଉଦଘାଟନ କରିଛନ୍ତି। ଏହି ବ୍ରିଜ ଦେଇ ପର୍ଯ୍ୟଟକମାନେ ବର୍ତ୍ତମାନ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ପହଞ୍ଚି ପାରିବେ। ଏବେ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭର୍ ପ୍ରତିମୂର୍ତ୍ତି ସ୍ଥଳକୁ ଯିବା ପାଇଁ ପର୍ଯ୍ୟଟକମାନଙ୍କୁ ଆଉ ଡଙ୍ଗାର ଆବଶ୍ୟକତା ପଡିବ ନାହିଁ।

MK Stalin at Newly Inaugurated Glass Bridgeଗ୍ଲାସ ବ୍ରିଜ ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଓ ଅନ୍ୟ ଅତିଥି

ଏହି କାଚ ବ୍ରିଜକୁ ୩୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ୭୭ ମିଟର ଲମ୍ବ ବିଶିଷ୍ଟ ଏହି ସେତୁଟି ୧୦ ମିଟର ଚଉଡାରେ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଏହି ସେତୁ ନିର୍ମାଣ ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି। ୨୦୦୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ଦ୍ୱାରା ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ନିର୍ମାଣକୁ ୨୫ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ରାଜ୍ୟରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ରୌପ୍ୟ ଜୟନ୍ତୀ ପାଳନ ପାଇଁ ତିନି ଦିନିଆ ଉତ୍ସବ ଆରମ୍ଭରୁ ଗ୍ଲାସ୍ ଫାଇବର ବ୍ରିଜକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ। ଏହି ସେତୁ ଖୁବ୍ ଶୀଘ୍ର ଲୋକଙ୍କ ପାଇଁ ମଧ୍ୟ ଖୋଲାଯିବ।

ସମୁଦ୍ର ଉପରେ ନିର୍ମିତ ଏହି ଗ୍ଲାସ ବ୍ରିଜକୁ ଏକ ଭିନ୍ନ ଶୈଳୀରେ ଡିଜାଇନ୍ କରାଯାଇଛି। ଏହାକୁ ପ୍ରସ୍ତୁତ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ବ୍ୟବହୃତ ହୋଇଛି। ଶକ୍ତିଶାଳୀ ସମୁଦ୍ର ପବନ ସମେତ ବାତ୍ୟା ଭଳି ବିପଜ୍ଜନକ ସାମୁଦ୍ରିକ ଅବସ୍ଥାକୁ ପ୍ରତିହତ କରିବା ପାଇଁ ଗ୍ଲାସ୍ ବ୍ରିଜର ଡିଜାଇନ୍ କରାଯାଇଛି। ତାମିଲନାଡୁର ନିର୍ମାଣ ମନ୍ତ୍ରୀ ଇ.ଭି ଭେଲୁ ଏହି ସେତୁ ନିର୍ମାଣକୁ ନେଇ କହିଛନ୍ତି ଯେ, ଏଭଳି ବ୍ରିଜ ନିର୍ମାଣ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ। ଏହି ବ୍ରିଜ ପ୍ରସ୍ତୁତ କରିବାକୁ ଆମକୁ ବିଶେଷଜ୍ଞଙ୍କ ସାହାଯ୍ୟ ନେବାକୁ ପଡିଥିଲା। ମନ୍ତ୍ରୀ କହିଛନ୍ତି ଯେ ଗ୍ଲାସ ବ୍ରିଜ କନ୍ୟାକୁମାରୀରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରରେ ପରିଣତ ହେବ।