କମ୍ପାନୀର ଅଭିନବ ଅଫର; ଓଜନ କମାଅ ଟଙ୍କା ନିଅ, କର୍ମଚାରୀ ପାଉଛନ୍ତି ମୋଟା ଅଙ୍କର ବୋନସ୍
ନୂଆଦିଲ୍ଲୀ ୧୦।୦୬: ସମସ୍ତଙ୍କୁ ଘାରୁଛି ମେଦବହୁଳତା ଚିନ୍ତା । ବର୍ତ୍ତମାନ ସମୟର ଲାଇଫ୍ ଷ୍ଟାଇଲ୍ ଏହାର ପ୍ରମୁଖ କାରଣ । କିନ୍ତୁ ଓଜନ ବୃଦ୍ଧି ହେବା ଯେତିକି ସହଜ ତାଠାରୁ ଅଧିକ କଠିନ ଓଜନ ହ୍ରାସ କରିବା । ଏପରି ନୁହେଁ କି ଓଜନ ହ୍ରାସ କରିବା ପ୍ରଣାଳୀ କାହାକୁ ଜଣାନାହିଁ । କିନ୍ତୁ ଅନେକ କାରଣରୁ ଓଜନ ହ୍ରାସ କରିବାକୁ ଗୁରୁତ୍ବ ଦିଅନ୍ତିନି କିଛି ଲୋକ । ଯାହା ଫଳରେ ଓଜନ ବୃଦ୍ଧି ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ । ଓଜନ ବୃଦ୍ଧିକୁ ନେଇ ଚିନ୍ତାରେ ମଧ୍ୟ ଅନେକ କମ୍ପାନୀ । ମେଦ ବହୁଳତା ଯୋଗୁ କର୍ମସ୍ଥଳୀରେ ଲୋକଙ୍କ ଉତ୍ପାଦକତା ମଧ୍ୟ ହ୍ରାସ ପାଉଛି । ଏବେ ଚୀନ୍ର ଏକ କମ୍ପାନି ଏହାର ସମାଧାନ ବାହାର କରିଛି । ଦେଶର ଇନ୍ଷ୍ଟା ୩୬୦ ନାମକ ଏକ ଟେକ୍ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଓଜନ ହ୍ରାସ ଯୋଜନା ଆରମ୍ଭ କରିଛି । ଯାହା ଖୁବ୍ ଲୋକପ୍ରିୟତା ପାଉଛି । କମ୍ପାନୀ ଓଜନ ହ୍ରାସ କରୁଥିବା କର୍ମଚାରୀଙ୍କୁ ଦେଉଛି ପୁରସ୍କାର । ଏଥିପାଇଁ ପ୍ରତି କର୍ମଚାରୀଙ୍କୁ ପୁରସ୍କାର ଭାବେ ୧ ମିଲିଅନ୍ ୟୁଆନ । ଗୁଆଙ୍ଗଡଙ୍ଗ ପ୍ରଦେଶର ଶେନ୍ଝେନ୍ରେ ଏହି କମ୍ପାନି ଅବସ୍ଥିତ । ୨୦୨୩ ମସିହାରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲା କମ୍ପାନି । ଏହି ଅଫର କାରଣରୁ ୧୫୦ ଜଣ କର୍ମଚାରୀ ପ୍ରାୟ ୮୦୦ କିଲୋ ଓଜନ କମାଇଥିଲେ । ପୁରସ୍କାର ସ୍ୱରୂପ କମ୍ପାନି ସେମାନଙ୍କୁ ମୋଟ୍ ୯୮ ହଜାର ୟୁଆନ ବା ୧ ଲକ୍ଷ ୩୫ ହଜାର ୨୧୩ ଆମେରିକ
ନୂଆଦିଲ୍ଲୀ ୧୦।୦୬: ସମସ୍ତଙ୍କୁ ଘାରୁଛି ମେଦବହୁଳତା ଚିନ୍ତା । ବର୍ତ୍ତମାନ ସମୟର ଲାଇଫ୍ ଷ୍ଟାଇଲ୍ ଏହାର ପ୍ରମୁଖ କାରଣ । କିନ୍ତୁ ଓଜନ ବୃଦ୍ଧି ହେବା ଯେତିକି ସହଜ ତାଠାରୁ ଅଧିକ କଠିନ ଓଜନ ହ୍ରାସ କରିବା । ଏପରି ନୁହେଁ କି ଓଜନ ହ୍ରାସ କରିବା ପ୍ରଣାଳୀ କାହାକୁ ଜଣାନାହିଁ । କିନ୍ତୁ ଅନେକ କାରଣରୁ ଓଜନ ହ୍ରାସ କରିବାକୁ ଗୁରୁତ୍ବ ଦିଅନ୍ତିନି କିଛି ଲୋକ । ଯାହା ଫଳରେ ଓଜନ ବୃଦ୍ଧି ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ ।

ଓଜନ ବୃଦ୍ଧିକୁ ନେଇ ଚିନ୍ତାରେ ମଧ୍ୟ ଅନେକ କମ୍ପାନୀ । ମେଦ ବହୁଳତା ଯୋଗୁ କର୍ମସ୍ଥଳୀରେ ଲୋକଙ୍କ ଉତ୍ପାଦକତା ମଧ୍ୟ ହ୍ରାସ ପାଉଛି । ଏବେ ଚୀନ୍ର ଏକ କମ୍ପାନି ଏହାର ସମାଧାନ ବାହାର କରିଛି । ଦେଶର ଇନ୍ଷ୍ଟା ୩୬୦ ନାମକ ଏକ ଟେକ୍ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଓଜନ ହ୍ରାସ ଯୋଜନା ଆରମ୍ଭ କରିଛି । ଯାହା ଖୁବ୍ ଲୋକପ୍ରିୟତା ପାଉଛି । କମ୍ପାନୀ ଓଜନ ହ୍ରାସ କରୁଥିବା କର୍ମଚାରୀଙ୍କୁ ଦେଉଛି ପୁରସ୍କାର । ଏଥିପାଇଁ ପ୍ରତି କର୍ମଚାରୀଙ୍କୁ ପୁରସ୍କାର ଭାବେ ୧ ମିଲିଅନ୍ ୟୁଆନ । ଗୁଆଙ୍ଗଡଙ୍ଗ ପ୍ରଦେଶର ଶେନ୍ଝେନ୍ରେ ଏହି କମ୍ପାନି ଅବସ୍ଥିତ ।

୨୦୨୩ ମସିହାରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲା କମ୍ପାନି । ଏହି ଅଫର କାରଣରୁ ୧୫୦ ଜଣ କର୍ମଚାରୀ ପ୍ରାୟ ୮୦୦ କିଲୋ ଓଜନ କମାଇଥିଲେ । ପୁରସ୍କାର ସ୍ୱରୂପ କମ୍ପାନି ସେମାନଙ୍କୁ ମୋଟ୍ ୯୮ ହଜାର ୟୁଆନ ବା ୧ ଲକ୍ଷ ୩୫ ହଜାର ୨୧୩ ଆମେରିକୀୟ ଡଲାର ବୋନସ୍ ଦେଇଥିଲା । ଖବର ଅନୁସାରେ ଏକ ଓଜନ-ହ୍ରାସ କ୍ୟାମ୍ପ୍ ଭଳି ଏହି ନିଆରା କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ଯାହା ୩ ମାସ ପାଇଁ ଚାଲିଥିଲା ।

କାର୍ଯ୍ୟକ୍ରମର ପ୍ରତ୍ୟେକ ଅଧିବେଶନରେ ୩୦ କର୍ମଚାରୀ ସାମିଲ ହୋଇଥାନ୍ତି । ପୃଥୁଳ କର୍ମଚାରୀଙ୍କ ଉପରେ ଫୋକସ୍ କରି ୫ଟି କ୍ୟାମ୍ପ୍ ଆୟୋଜନ କରାଯାଏ । ପ୍ରତ୍ୟେକ କ୍ୟାମ୍ପ୍ ୩ ଗ୍ରୁପ୍ରେ ବିଭକ୍ତ ହୋଇଥାଏ । ଏଥିରେ ସାମିଲ ବ୍ୟକ୍ତିଙ୍କୁ ପ୍ରତି ସପ୍ତାହରେ ଓଜନ କରାଯାଏ । ଅଧିବେଶନରେ ପ୍ରତିଥର ୦.୫ କିଲୋ ଓଜନ ହ୍ରାସ କଲେ, ସେମାନଙ୍କୁ ୪୦୦ ୟୁଆନ୍ ପୁରସ୍କାର ଦିଆଯାଉଥିଲା ।

ଯଦି କୌଣସି ଗ୍ରୁପ୍ର ଜଣେ ବ୍ୟକ୍ତିଙ୍କ ଓଜନ ବୃଦ୍ଧି ହେଉଥିଲା, ଗ୍ରୁପ୍କୁ ବୋନସ୍ ବନ୍ଦ କରି ଦିଆଯାଉଥିଲା । ପ୍ରତ୍ୟେକ ୫୦୦ ୟୁଆନ ଫାଇନ୍ର ମଧ୍ୟ ସମ୍ମୁଖୀନ ହେଉଥିଲେ । ରିପୋର୍ଟ ଅନୁସାରେ, ୩ ମାସିଆ କ୍ୟାମ୍ପ୍ରେ କୌଣସି କର୍ମଚାରୀ ଆଦୌ ଓଜନ ବଢ଼ାଇ ନଥିଲେ । କାରଣ କର୍ମଚାରୀଙ୍କ ଭୟ ଥିଲା ଯେ ଯଦି ସେମାନଙ୍କର ଓଜନ ବଢ଼ିବ, ତେବେ କେବଳ ନିଜର ବୋନସ୍ ନୁହେଁ, ସାଥୀ କର୍ମଚାରୀଙ୍କ ବୋନସ୍ ମଧ୍ୟ ବନ୍ଦ ହୋଇଯିବ ।

ଏହି କ୍ୟାମ୍ପ୍ରେ ଯୋଗ ଦେଇଥିବା କର୍ମଚାରୀଙ୍କ କହିବା ଅନୁସାରେ, ଓଜନ ହ୍ରାସ କରିବା ପରେ ସେମାନଙ୍କ ଶାରୀରିକ ଗଠନ ଅତି ସୁନ୍ଦର ହୋଇଯାଇଛି । ପେଟର ଚର୍ବି ପୂରା କମିଯାଇଛି । ମୁହଁରୁ ଅତିରିକ୍ତ ମାଂସ କମିଯାଇଛି । ପୂର୍ବାପେକ୍ଷା ସେମାନେ ଅଧିକ ହାଲୁକା ଓ ସତେଜ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।