କମ୍ୟୁନିଟି ସେଣ୍ଟର ପାଇଁ ତୁମୁଳ କାଣ୍ଡ, ୱାର୍ଡ ମେମ୍ବରଙ୍କୁ ନିର୍ଧୂମ ଛେଚିଲେ

ଗତକାଲି ଉକ୍ତ ସେଣ୍ଟରର ଛାତ ପକାଯିବା ନିମନ୍ତେ ମିସ୍ତ୍ରୀମାନେ ଯାଇଥିଲେ। ମାତ୍ର ଉପେନ୍ଦ୍ରଙ୍କ ପରିବାର ସେମାନଙ୍କୁ ମାରିଦେବାର ଧମକ ଦେଇ ପଳାଇବାକୁ ଚେତାବନୀ ଦେଇଥିଲେ।

କମ୍ୟୁନିଟି ସେଣ୍ଟର ପାଇଁ ତୁମୁଳ କାଣ୍ଡ, ୱାର୍ଡ ମେମ୍ବରଙ୍କୁ ନିର୍ଧୂମ ଛେଚିଲେ

କମ୍ୟୁନିଟି ସେଣ୍ଟର ନିର୍ମାଣକୁ ନେଇ ତୁମୁଳ କାଣ୍ଡ। ୱାର୍ଡ ମେମ୍ବରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଏକ ପରିବାର ସଦସ୍ୟ । ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନସ୍ଥ ବରଣ୍ଡୁଆ ପଞ୍ଚାୟତ ମଧୂସୁଦନପୁର ଗ୍ରାମରେ ଘଟିଛି।

ମଧୁସୂଦନପୁର ଗ୍ରାମରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାରେ କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ଅନୁମୋଦନ ଆସିଥିଲା। ମାତ୍ର ଉକ୍ତ ଜାଗାକୁ ଉପେନ୍ଦ୍ର ସାହୁଙ୍କ ପରିବାର ଜବରଦଖଲ କରି ରଖିଥିବାରୁ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ପରେ ବିବାଦର ସମାଧାନ କରାଯାଇ ଉକ୍ତ ଜାଗାରେ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଇଥିଲା।

ଗତକାଲି ଉକ୍ତ ସେଣ୍ଟରର ଛାତ ପକାଯିବା ନିମନ୍ତେ ମିସ୍ତ୍ରୀମାନେ ଯାଇଥିଲେ। ମାତ୍ର ଉପେନ୍ଦ୍ରଙ୍କ ପରିବାର ସେମାନଙ୍କୁ ମାରିଦେବାର ଧମକ ଦେଇ ପଳାଇବାକୁ ଚେତାବନୀ ଦେଇଥିଲେ।

ଖବର ପାଇ ୱାର୍ଡ ମେମ୍ବର ସୁରେଶ ଚନ୍ଦ୍ର ପାଣିଗ୍ରାହୀ ପହଞ୍ଚିବାରୁ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ଉପେନ୍ଦ୍ର, ତାଙ୍କ ସ୍ତ୍ରୀ, ପୁଅ ଓ ଭାଇ ମିଶି ୱାର୍ଡ ମେମ୍ବରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ତାଙ୍କ ମୁଣ୍ଡକୁ ଇଟା ପକାଇଥିଲେ।

ୱାର୍ଡ ମେମ୍ବର ସୁରେଶ ଚନ୍ଦ୍ର ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହେବା ସହ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ନ ଥିବା ଜଣାଯାଇଛି।