କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି

ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।

କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି

ଆସାମରେ ଥିବା କରିମଗଞ୍ଜର ଜିଲ୍ଲାର ନାଁ ବଦଳିଛି। କରିମଗଞ୍ଜର ନାଁ ଶ୍ରୀଭୂମି ହୋଇଛି। ଆସାମର କ୍ଷମତାସୀନ ବିଜେପି ସରକାର ଏପରି ନାଁ ବଦଳାଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଏକ୍ସରେ ଲେଖିଛନ୍ତି ଯେ “ପ୍ରାୟ ୧୦୦ରୁ ଅଧିକ ବର୍ଷ ପୂର୍ବେ କବିଗୁରୁ ରବୀନ୍ଦ୍ରନାଥ ଟାଗୋର ଏକଦା ଆସାମରେ ଥିବା ଆଧୁନିକ ଯୁଗର କରିମଗଞ୍ଜ ଜିଲ୍ଲାକୁ ଶ୍ରୀଭୂମି ଭାବେ ବର୍ଣ୍ଣନା କରିଥିଲେ। ସେ ଏହାକୁ ମା’ ଲକ୍ଷ୍ମୀଙ୍କ ମାଟି କହିଥିଲେ। ଆଜି ଆସାମ କ୍ୟାବିନେଟ ଆମ ଲୋକଙ୍କର ଦୀର୍ଘଦିନର ଦାବିକୁ ପୂରଣ କରିଛି।”

ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଗୋଟିଏ ଫଟୋକୁ ଶେୟାର କରିଛନ୍ତି। ଏଥିରେ ଲେଖାଯାଇଛି ଯେ କରିମଗଞ୍ଜର ନାଁ ଶ୍ରୀଭୂମି ନିଷ୍ପତ୍ତି ଜିଲ୍ଲାରେ ରହୁଥିବା ଲୋକଙ୍କ ଆଶାକୁ ପ୍ରତିଫଳିତ କରିବ। ଏଥିରେ କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଫଟୋ ମଧ୍ୟ ରହିଛି।

ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାଁକୁ ପରିବର୍ତ୍ତନ କରିଥିଲେ। ଏହା ଏବେ ଶ୍ରୀ ବିଜୟ ପୁରମ ନାଁରେ ପରିଚୟ ହାସଲ କରିଛି।