କଳା ଧାନ, କଳା ହଳଦୀ ସହ କଳା ଗହମ
ଫୁଲବାଣୀ,୧୩ା୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଜୈବିକ ଚାଷ ପାଇଁ ପ୍ରସିଦ୍ଧ। ଏଠାକାର ଜୈବିକ ହଳଦୀ, ଅଦା ସାଙ୍ଗକୁ ପନିପରିବା ନିଜର ଉତ୍କୃଷ୍ଟ ଗୁଣବତ୍ତା ଯୋଗୁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଜିଲାର ଭୌଗୋଳିକ ସ୍ଥିତି, ମୃତ୍ତିକାର ମାନ ଏବଂ ଜଳସେଚନର ସମସ୍ୟା ଯୋଗୁ ଏଠାରେ ଧାନ ଭଳି ପାରମ୍ପରିକ ଚାଷର ଉପଯୋଗିତା ଖୁବ୍ କମ୍ ରହିଛି। ଫଳରେ ଜିଲାର ଚାଷୀ ସାଧାରଣତଃ ପନିପରିବା ଚାଷ ଉପରେ ଅଧିକ ନିର୍ଭର କରନ୍ତି। ସଂରକ୍ଷଣ ଏବଂ ବଜାରଜନିତ […] The post କଳା ଧାନ, କଳା ହଳଦୀ ସହ କଳା ଗହମ appeared first on Dharitri Odia News.
ଫୁଲବାଣୀ,୧୩ା୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଜୈବିକ ଚାଷ ପାଇଁ ପ୍ରସିଦ୍ଧ। ଏଠାକାର ଜୈବିକ ହଳଦୀ, ଅଦା ସାଙ୍ଗକୁ ପନିପରିବା ନିଜର ଉତ୍କୃଷ୍ଟ ଗୁଣବତ୍ତା ଯୋଗୁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଜିଲାର ଭୌଗୋଳିକ ସ୍ଥିତି, ମୃତ୍ତିକାର ମାନ ଏବଂ ଜଳସେଚନର ସମସ୍ୟା ଯୋଗୁ ଏଠାରେ ଧାନ ଭଳି ପାରମ୍ପରିକ ଚାଷର ଉପଯୋଗିତା ଖୁବ୍ କମ୍ ରହିଛି। ଫଳରେ ଜିଲାର ଚାଷୀ ସାଧାରଣତଃ ପନିପରିବା ଚାଷ ଉପରେ ଅଧିକ ନିର୍ଭର କରନ୍ତି। ସଂରକ୍ଷଣ ଏବଂ ବଜାରଜନିତ ସମସ୍ୟା ଯୋଗୁ ଚାଷୀ ଏଥିରୁ ଆଶାଜନକ ଲାଭ ପାଇପାରୁନି। ଏସବୁକୁ ଦୃଷ୍ଟିରେ ରଖି ଜିଲାରେ ଏବେ ଅଣପାରମ୍ପରିକ ବିକଳ୍ପ କୃଷି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜୈବିକ କୃଷିରେ ଅଗ୍ରଣୀ ସାଜିଥିବା କନ୍ଧମାଳ ଆପେକ୍ସସ୍ପାଇସେସ୍ ଆଶୋସିଏଶନ ଫର ମାର୍କେଟିଂ(‘କସମ’) ପକ୍ଷରୁ ଅଣପାରମ୍ପରିକ ଚାଷ ପ୍ରତି ଉଦ୍ୟମ ଜାରି ରହିଛି। ଜିଲାପାଳ ଏହାର ଅଧ୍ୟକ୍ଷ ରହିଥିବା ବେଳେ ସଞ୍ଜିତ ପଟ୍ଟନାୟକ ଏହାର ସମ୍ପାଦକ ଅଛନ୍ତି। କସମ ପକ୍ଷରୁ ତିନୋଟି ବିକଳ୍ପ ତଥା ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏଥି ମଧ୍ୟରେ ରହିଛି କଳା ଧାନ, କଳା ହଳଦୀ ଓ କଳା ଗହମ।
କନ୍ଧମାଳ ହଳଦୀର ଚାହିଦା ସବୁବେଳେ ରହିଛି। ଏଠାରେ ଏବେ ହଳଦୀର ଏକ ସ୍ବତନ୍ତ୍ର ପ୍ରଜାତି କଳା ହଳଦୀ ଉତ୍ପାଦନ ଆରମ୍ଭ ହୋଇଛି। ଏହି ଚାଷ କରି ଚାଷୀ ଲାଭବାନ ହେଉଛନ୍ତି। କସମ ସମ୍ପାଦକ ପଟ୍ଟନାୟକ କହନ୍ତି, ୨୦୦୬ରେ ଏହି କଳା ହଳଦୀର ବିହନ କେରଳରୁ ଆଣି ଚାଷୀଙ୍କୁ ପ୍ରଦାନ କରାଯାଇଥିଲା। ତେବେ କିଛିବର୍ଷ ଚାଷୀ ଏହାକୁ ଚାଷ ନ କରି ରଖିଥିଲେ। ଏବେ କଳା ହଳଦୀ ଚାଷ ଆରମ୍ଭ କରିଛନ୍ତି। ଜିଲାର ସମସ୍ତ ବ୍ଲକରୁ ବାର୍ଷିକ ପ୍ରାୟ ୪ କୁଇଣ୍ଟାଲ ହଳଦୀ ଉତ୍ପାଦିତ ହେଉଛି। ସାଧାରଣ ହଳଦୀ ଭଳି ଏହା ଜାନୁଆରୀ-ଫେବୃଆରୀରେ ଲଗାଯାଇ ଜୁଲାଇ-ଅଗଷ୍ଟ ବେଳକୁ ଅମଳ କରାଯାଇଥାଏ। କମ୍ ପରିମାଣର ଅମଳ ହେଉଥିବାରୁ ଏବଂ ପ୍ରଚୁର ଔଷଧୀୟ ଗୁଣ ଯୋଗୁ ଏହାର ବିକ୍ରିରେ କୌଣସି ସମସ୍ୟା ହୁଏନାହିଁ। ଔଷଧ କମ୍ପାନୀମାନେ ଏହା ଚାଷୀଙ୍କଠାରୁ କିଣି ନେଇଥାଆନ୍ତି। ଏବେ ଏହି ହଳଦୀର କିଲୋପ୍ରତି ବଜାର ଦର ୧୫୦ରୁ ୨୦୦ ଟଙ୍କା ମଧ୍ୟରେ ରହିଛି। କର୍କଟ, ରକ୍ତଚାପ ଏବଂ ବିଭିନ୍ନ ଚର୍ମରୋଗର ନିରାକରଣ ପାଇଁ ଏହା ଏକ ଅବ୍ୟର୍ଥ ଔଷଧ ବୋଲି କୁହାଯାଉଛି।
ଜୈବିକ କୃଷିରେ ଅନ୍ୟତମ ନୂତନ ପ୍ରୟୋଗ ହେଉଛି କଳା ଗହମ। ରାଜ୍ୟରେ କନ୍ଧମାଳ ଜିଲାରେ ପ୍ରଥମ କରି ଏହା ଆରମ୍ଭ ହୋଇଛି। ଗତ ଖରିଫ ଋତୁରେ ପରୀକ୍ଷାମୂଳକ ଭାବେ ଚାଷୀଙ୍କୁ ୧୩ କିଲୋ ବିହନ ଯୋଗାଇ ଦିଆଯାଇଥିଲା। ପଞ୍ଜାବରୁ ଆସିଥିବା ଏହି ବିହନକୁ ନେଇ ଫିରିଙ୍ଗିଆ ବ୍ଲକର କିଛି ଚାଷୀ କଳା ଗହମ ଚାଷ କରିଥିଲେ। ସେପ୍ଟେମ୍ବରରେ ବିହନ ବୁଣି ଫେବୃଆରୀରେ ଅମଳ କରିଥିଲେ। ଚଳିତ ବର୍ଷ ମଧ୍ୟ ସୀମିତ ପରିମାଣରେ ଚାଷ କରାଯାଇଛି। ଏହା ସଫଳ ହେଲେ ଆଗାମୀ ଖରିଫ ଋତୁରେ ପ୍ରାୟ ଏକ କୁଇଣ୍ଟାଲ ବିହନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। କନ୍ଧମାଳ ଜିଲାର ମାଳଭୂମି, ସ୍ବଳ୍ପ ବୃଷ୍ଟିପାତ ଓ ଢାଲୁ ଜମି ଏହି ଚାଷ ପାଇଁ ବେଶ୍ ଅନୁକୂଳ ବୋଲି କୃଷିବିତ୍ମାନେ ମତ ଦିଅନ୍ତି। କଳା ଗହମର ମଧ୍ୟ ଔଷଧୀୟ ଗୁଣ ରହିଛି। ଉଚ୍ଚ ରକ୍ତଚାପ, ମଧୁମେହର ନିୟନ୍ତ୍ରଣ ପାଇଁ ଏହା ବେଶ୍ ଉପଯୋଗୀ। ଏଥିରୁ ପ୍ରସ୍ତୁତ ଦଲିଆ ମଧ୍ୟ ବଜାରରେ ଉପଲବ୍ଧ ହେଉଛି। କିଲୋ ପ୍ରତି ଏକ ଶହ ଟଙ୍କାରେ ବିକ୍ରି ହେଉଛି କଳା ଗହମ। ଆଗକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଗଲେ ଜିଲାର ଚାଷୀ ଉପକୃତ ହେବେ।
ସେହିପରି କଳାବତୀ ନାମରେ ଖ୍ୟାତ କନ୍ଧମାଳ ଜିଲାର କଳା ଧାନ ଜିଲା ପାଇଁ ଅନ୍ୟ ଏକ ପରିଚୟ ସୃଷ୍ଟି କରିଛି। ଉପରକୁ ଏହା ସାଧାରଣ ଧାନଭଳି ଦେଖାଯାଉଥିଲେ ସୁଦ୍ଧା ଭିତରର ଚାଉଳର ରଙ୍ଗ ସମ୍ପୂର୍ଣ୍ଣ କଳା। ଏଥିରେ ମଧ୍ୟ ରହିଛି କ୍ୟାନ୍ସର, ରକ୍ତଚାପ ନିୟନ୍ତ୍ରଣ କରିବାର କ୍ଷମତା। କସମର ପ୍ରୟାସରେ ୨୦୧୮ରେ ମାତ୍ର ୫ କିଲୋ ବିହନରେ ଫିରିଙ୍ଗିଆ, ଚକାପାଦ, ଖଜୁରିପଡା, ରାଇକିଆ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ଏହି ଚାଷ ଆରମ୍ଭ ହୋଇଥିଲା। ପ୍ରଥମ ବର୍ଷ ମାତ୍ର ୪୦ରୁ ୫୦ କିଲୋ କଳାଧାନ ଅମଳ ହୋଇଥିବା ବେଳେ ବର୍ତ୍ତମାନ ୫୦୦ କୁଇଣ୍ଟାଲରେ ପହଞ୍ଚତ୍ଛି।
ଏହି ଧାନର ବିଶେଷତ୍ୱ ହେଲା ଏହା ବର୍ଷକୁ ତିନି ଥର ଚାଷ ହୋଇଥାଏ। ଚାଷୀଙ୍କଠାରୁ ଚାଉଳ ସଂଗ୍ରହ କରି କସମ ବଜାରରେ କିଲୋ ପ୍ରତି ୧୪୦ ଟଙ୍କାରେ ବିକ୍ରି କରୁଛି। ତେବେ ଅନଲାଇନ ମାର୍କେଟରେ କିଲୋ ପ୍ରତି ୩୫୦ ଟଙ୍କାରେ ଏହା ବିକ୍ରି ହେଉଛି। ଏହି ଚାଉଳରେ ଶର୍କରା ପରିମାଣ ଅତି କମ ରହିଥିବାରୁ ଡାଏବେଟିସ ରୋଗୀଙ୍କ ପାଇଁ ଏହା ଉପାଦେୟ ହୋଇଥାଏ। ସରକାରୀ ପ୍ରୋତ୍ସାହନ ଓ ମାଗଣା ସାର, ବିହନ, ସବ୍ସିଡି ମିଳିଲେ ଅଧିକ ସଂଖ୍ୟାରେ ଚାଷୀ କଳାଧାନ ଚାଷ ପ୍ରତି ଆଗ୍ରହ ପ୍ରକାଶ କରନ୍ତେ ବୋଲି ମତ ପ୍ରକାଶ ପାଉଛି।
The post କଳା ଧାନ, କଳା ହଳଦୀ ସହ କଳା ଗହମ appeared first on Dharitri Odia News.