କଳା ପଲ୍‌ସରରେ ଆସିଲେ, ଛାତ୍ରଙ୍କ ବେକରେ ଛୁରା ମାଡ଼ କଲେ

ଲୋକେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଠଗଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ପରିବାର ଲୋକେ ଏନେଇ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

କଳା ପଲ୍‌ସରରେ ଆସିଲେ, ଛାତ୍ରଙ୍କ ବେକରେ ଛୁରା ମାଡ଼ କଲେ

ହେଲ୍‌ମେଟ୍‌ ପିନ୍ଧି କଳା ପଲ୍‌ସରରେ ଆସିଲେ ଦୁଇ ଦୁର୍ବୃତ୍ତ। ଦଶମ ଶ୍ରେଣୀ ଛାତ୍ରଙ୍କ ବେକରେ ଛୁରା ମାଡ଼ କରି ଚମ୍ପଟ ମାରିଲେ। ଆଜି ସକାଳେ ଏପରି ଘଟଣା କଟକ ଜିଲ୍ଲା ଆଠଗଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଉଛି।

ଆଠଗଡ଼ ଥାନା ଉଦୟପୁର ଗାଁର ମହେନ୍ଦ୍ର ଦାସଙ୍କ ପୁଅ ସୂର୍ଯ୍ୟ ନାରାୟଣ ଦାସ ଦଶମ ଶ୍ରେଣୀରେ ପଢ଼ନ୍ତି। ଆଜି ସକାଳେ ସେ ଟ୍ୟୁସନ୍‌ ଯାଇଥିଲେ। ଟ୍ୟୁସନ୍‌ ସରିବା ପରେ ଘରକୁ ଫେରିବା ବେଳେ କୁଲାଇଲୋ ବଜାରରେ ଅଟକି ବିସ୍କୁଟ କିଣିବା ପାଇଁ ଦୋକାନକୁ ଯାଉଥିଲେ। ଠିକ୍‌ ସେହି ସମୟରେ ଗୋଟିଏ ପଲ୍‌ସରରେ ଦୁଇ ଜଣ ଯୁବକ ମୁଖା ପିନ୍ଧି ଆସି ସୂର୍ଯ୍ୟଙ୍କ ବେକ କାଟି ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଠଗଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ପରିବାର ଲୋକେ ଏନେଇ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ହେଲେ ଛୁରା ମାଡ଼ କରିଥିବା ଅଭିଯୁକ୍ତଙ୍କ ପତ୍ତା ପାଇନି ପୁଲିସ୍‌। ଅନ୍ୟପକ୍ଷରେ ଛାତ୍ରଙ୍କ ପରିବାର ଲୋକ କହିଛନ୍ତି, ତାଙ୍କର କାହା ସହିତ କୌଣସି ଶତ୍ରୁତା ନାହିଁ। ତାହାହେଲେ ଏଠି ପ୍ରଶ୍ନ ଉଠୁଛି କିଏ ଓ କାହିଁକି ସୂର୍ଯ୍ୟଙ୍କ ବେକରେ ଛୁରା ମାଡ଼ କଲା।

ରିପୋର୍ଟ-ଆଠଗଡ଼ରୁ ନୀଳକଣ୍ଠ ଦୋରା