କଶ୍ମୀର ମାରାଥନ: ୨ ଘଣ୍ଟାରେ ୨୧ କିମି ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

୫୪ ବର୍ଷୀୟ ଓମାର ଅବଦୁଲ୍ଲା ନିଜ ଏକ୍ସ ଆକାଉଣ୍ଟରେ ମାରାଥନ ସମ୍ପର୍କରେ ଅପଡେଟ ଦେବା ସହ ଦୌଡ଼ିବା ବେଳର ଭିଡିଓ ଜାରି କରିଛନ୍ତି।

କଶ୍ମୀର ମାରାଥନ: ୨ ଘଣ୍ଟାରେ ୨୧ କିମି ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କିଛି ଦିନ ପରେ ଓମାର ଅବଦୁଲ୍ଲା ଆଜି ରାସ୍ତାରେ ଦୌଡ଼ି ନିଜ ଫିଟନେସର ପ୍ରମାଣ ସମସ୍ତଙ୍କୁ ଦେଇଛନ୍ତି। କଶ୍ମୀର ମାରାଥନରେ ସେ ଭାଗ ନେଇ ବ୍ୟକ୍ତିଗତ ରେକର୍ଡ କରିଛନ୍ତି। ସେ ୨ ଘଣ୍ଟାରେ ୨୧ କିମି ବାଟ ଦୌଡ଼ି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।

ନ୍ୟାଶନାଲ କନଫରେନ୍ସର ୫୪ ବର୍ଷୀୟ ଓମାର ଅବଦୁଲ୍ଲା ନିଜ ଏକ୍ସ ଆକାଉଣ୍ଟରେ ମାରାଥନ ସମ୍ପର୍କରେ ଅପଡେଟ ଦେବା ସହ ଦୌଡ଼ିବା ବେଳର ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି,“ଆଜି ମୁଁ ମୋ ଉପରେ ବେଶ ସନ୍ତୁଷ୍ଟ ରହିଛି। ମୁଁ କଶ୍ମୀର ହାଫ ମାରଥାନ ଶେଷ କରିଛି। ମୁଁ ହାରାହାରି ୫ ମିନିଟ ୫୪ ସେକେଣ୍ଡରେ ଗୋଟିଏ ଲେଖାଏ କିମି ଅତିକ୍ରମ କରିଛି। ଏପରି ଭାବେ ମୁଁ ୨୧ କିମି ବାଟ ଦୌଡ଼ିଛି।

ମୁଁ ମୋ ଜୀବନରେ କେବେ ହେଲେ ୧୩ କିମିରୁ ଅଧିକ ବାଟ ଦୌଡ଼ି ନଥିଲି। ସେହିପରି ୧୩ କିମି ବାଟ ମୁଁ କେବଳ ଥରେ ହିଁ ଦୌଡ଼ି ଥିଲି। ଆଜି ମୁଁ କେବଳ ଅନ୍ୟମାନଙ୍କ ଠାରୁ ପ୍ରେରଣା ପାଇ ଆଗକୁ ବଢ଼ିଥିଲି। ଦୌଡ଼ିବା ବେଳେ କେବଳ ଗୋଟିଏ କଦଳୀ ଓ କିଛି ଖଜୁର ଖାଇ ଆଗକୁ ଚାଲିଥିଲି। ସବୁଠାରୁ ବଡ଼ କଥା ହେଲା, ପରିବାର ଲୋକଙ୍କ ସହ ମୋ ଘରକୁ ଅତିକ୍ରମ କରିବା ଓ ଅନ୍ୟମାନେ ମୋ ପାଇଁ ତାଳି ମାରିବା।”

ଡାଲ ଲେକ ଦେଇ ଓମାର ଅବଦୁଲା ଅନ୍ୟମାନଙ୍କ ସହ ମାରାଥନରେ ସାମିଲ ହୋଇଥିଲେ। ଏହି ସମୟରେ ଅନେକ ଲୋକ ତାଙ୍କ ସହ ସେଲଫି ନେଇଥିଲେ। କିଛି ସାମ୍ବାଦିକ ମଧ୍ୟ ତାଙ୍କର ଇଣ୍ଟରଭ୍ୟୁ ନେବାକୁ ବି ଚେଷ୍ଟା କରିଥିଲେ।