କଶ୍ମୀରରେ ଆତଙ୍କବାଦର ଇତିହାସ: ଅପରେସନ ସିନ୍ଦୂର ଓ ପାକ୍‌ ଆତଙ୍କୀ ଆଡ୍ଡାରେ ଭାରତର ମିସାଇଲ ବର୍ଷା

କାର୍ଗିଲ ଲଢ଼େଇର ୨୬ ବର୍ଷ ପରେ ପୁଣି ଥରେ ଦୁଇ ପଡ଼ୋଶୀ ଯୁଦ୍ଧ ମୁହଁରେ ପହଞ୍ଚି ଯାଇଥିଲେ।

କଶ୍ମୀରରେ ଆତଙ୍କବାଦର ଇତିହାସ: ଅପରେସନ ସିନ୍ଦୂର ଓ ପାକ୍‌ ଆତଙ୍କୀ ଆଡ୍ଡାରେ ଭାରତର ମିସାଇଲ ବର୍ଷା

କଶ୍ମୀରରେ ଆତଙ୍କବାଦର ଇତିହାସ ସିରିଜର ଏହା ହେଉଛି ଶେଷ ଭାଗ। ଏହାପୂର୍ବରୁ ସମ୍ଭବତଃ ଆପଣମାନେ ୭ଟି ଯାକ ଭାଗ ପଢ଼ିଥିବେ। କଶ୍ମୀରରେ କେମିତି ଆତଙ୍କବାଦ ଆରମ୍ଭ ହୋଇଥିଲା ଓ ଏହା କେମିତି ସମୟକ୍ରମେ ଭିନ୍ନ ମୋଡ଼ ନେଇଥିଲା, ସେସବୁ ବିଷୟରେ ଆମେ ଉଲ୍ଲେଖ କରିଥିଲୁ। ଶେଷ ଭାଗରେ ଆମେ ପହଲଗାମ ନରସଂହାର ପରେ ଭାରତ କେମିତି ପାକିସ୍ତାନ ଉପରେ ଭୟଙ୍କର ଷ୍ଟ୍ରାଇକ କରିଥିଲା, ସେବିଷୟରେ କହିବୁ।

K1ପହଲଗାମରେ ୨୬ ଜଣ ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ

ଜମ୍ମୁ-କଶ୍ମୀରର ବୈସାରନ ଭ୍ୟାଲି ଏମିତି ଏକ ଘାଷ ବଗିଚା ଯାହା ପିର ପଞ୍ଜଲ ରେଞ୍ଜ ମଧ୍ୟରେ ରହିଛି। ଏହାକୁ ପର୍ଯ୍ୟଟକଙ୍କ ଭୂସ୍ୱର୍ଗ ବୋଲି କୁହାଯାଏ। ଏପ୍ରିଲ ୨୨ରେ ଦୂର ଦୂରାନ୍ତ ଯାଏ ନଦୀ ନାଚିବା ଅବସ୍ଥାରେ ସତେ ଯେମିତି କଶ୍ମୀର ଘାଟି ଆଡ଼କୁ ବହି ଯାଉଥିଲା। ପବନରେ ପାଇନ ଗଛ ଓ କେଶରରୁ ଆସୁଥିବା ବାସ୍ନା ପୂରା ପରିବେଶକୁ ମହକାଉଥିଲା। କିନ୍ତୁ ଏସବୁ ଭିତରେ ଘଞ୍ଚ ଜଙ୍ଗଲ ଭିତରେ ଗୋଟିଏ ଭୟଙ୍କର ଷଡ଼ଯନ୍ତ୍ରର ମଞ୍ଜି ବୁଣା ଚାଲିଥିଲା।

ସମୟ ଦିନ ପ୍ରାୟ ୩.୧୫। ହଠାତ୍‌ ବୈସାରନ ଭ୍ୟାଲି ମଧ୍ୟରେ ଶୁଭିଥିଲା ବନ୍ଧୁକର ଗର୍ଜନ। ମୁଖା ପିନ୍ଧା ଆତଙ୍କବାଦୀମାନେ ପ୍ରାକୃତି ସୌନ୍ଦର୍ଯ୍ୟର ଉପଭୋଗ କରୁଥିବା ପର୍ଯ୍ୟଟକଙ୍କ ଉପରେ କରିଥିଲେ ଗୁଳି ବର୍ଷା। ବନ୍ଧୁକର ଗର୍ଜନ ପୂରା ପରିବେଶକୁ ଦୋହଲାଇ ଦେଇଥିଲା। କିଛି କ୍ଷଣ ପୂର୍ବରୁ ଆନନ୍ଦ ଓ ଉଲ୍ଲାସରେ ଫାଟି ପଡ଼ୁଥିବା ଘାଷ ଗାଲିଚାରୁ ଶୁଭିଥିଲା ଭୟଙ୍କର ଚିତ୍କାର ଓ ସହଯୋଗର ଆକୂଳ ନିବେଦନ।

ଏହି ଝଡ଼ ଥମିବା ବେଳକୁ ୨୬ ଜଣ ସାଧାରଣ ଲୋକ ପ୍ରାଣ ହରାଇ ସାରିଥିଲେ। ସେମାନଙ୍କ ରକ୍ତରେ ନାଲି ହୋଇ ସାରିଥିଲା ବୈସାରନ ଭ୍ୟାଲିର ସବୁଜ ଘାଷ ଗାଲିଥିଲା। ମୃତକଙ୍କ ମଧ୍ୟରେ ଥିଲେ କେବଳ ପୁରୁଷ। ସେମାନଙ୍କୁ ପଏଣ୍ଟ ବ୍ଲାଙ୍କରୁ ପତ୍ନୀମାନଙ୍କ ଆଗରେ କରାଯାଇଥିଲା ଗୁଳି। ଆତଙ୍କବାଦୀମାନେ ସେମାନଙ୍କୁ ହତ୍ୟା କରି ହିନ୍ଦୁ ମହିଳାଙ୍କ ସବୁଠାରୁ ମୂଲ୍ୟବାନ ସନ୍ତକ ମଥାର ସିନ୍ଦୂରକୁ ପୋଛି ଦେଇଥିଲେ।

K2ପୂରା ଭାରତ ପହଲଗାମ ନରସଂହାର ପାଇଁ ଲୁହ ଗଡ଼ାଉଥିବା ବେଳେ ଦିଲ୍ଲୀ ଆରମ୍ଭ ହୋଇଥିଲା ବୈଠକ

ଏହି ହମଲା ପାଇଁ ଗୋଟିଏ ଛୋଟିଆ ବିଦେଶୀ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିଲା। ନିରୀହ ପର୍ଯ୍ୟଟକଙ୍କ ଉପରେ ସେମାନେ କାପୁରୁଷଙ୍କ ଭଳି ଆକ୍ରମଣ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଭାରତର ସମ୍ବେଦନଶୀଳ ଉତ୍ତର ସୀମାରେ ଅସ୍ଥିରତା ସୃଷ୍ଟି କରିବା। ଭାରତରେ ଧାର୍ମିକ ବିଦ୍ୱେଷ ସୃଷ୍ଟି କରିବା ଏହି ଆକ୍ରମଣର ଏକମାତ୍ର ଲକ୍ଷ୍ୟ ଥିଲା।

K3ପହଲଗାମ ନରସଂହାର ପାଇଁ ଭାରତ ଆରମ୍ଭ କରଥିଲା ଅପରେସନ ସିନ୍ଦୂର

ଧିମେଇ ଧିମେଇ ଆଲୁଅ ଦେଉଥିବା ଅପରେସନ ରୁମରୁ ଏୟାର ମାର୍ଶଲ ଏକେ ଭାରତୀ ନିଜର ବାଟନକୁ ସ୍ୟାଟେଲାଇଟରୁ ଉତ୍ତୋଳନ ହୋଇଥିବା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରର ୯ଟି ଆତଙ୍କବାଦୀ ଆଡ଼କୁ ଦେଖାଇଥିଲେ। ରାଗରେ ଜଳୁଥିବା ସ୍ୱରରେ ସେ ବାହାବଲପୁରରେ ଥିବା ମରକଜ ସୁଭାନ ଆଲ୍ଲା, ମୁରିଦକେରେ ଥିବା ମରକଜ ତାଏବା ଓ ଜୈଶ, ଲସ୍କର ଏବଂ ହିଜବୁଲର ଠିକଣାକୁ ଚିହ୍ନଟ କରାଇଥିଲେ। ଏହି ଆତଙ୍କୀ ସଂଗଠନ ପାକିସ୍ତାନରେ ସକ୍ରିୟ ରହିବା ସହ ଭାରତ ବିରୋଧରେ ଷଡ଼ଯନ୍ତ୍ର କରି ଚାଲିଥିଲେ। ତେଣୁ ଭାରତୀ ଏହାର ଜବାବ ଦେବାକୁ ସମୟ ଆସି ଯାଇଥିବା ଘୋଷଣା କରିଥିଲେ।

ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ନଷ୍ଟ କରିବାକୁ ପାକିସ୍ତାନ ଏକାଧିକ ସୁଯୋଗ ଦିଆଯାଇଥିଲା। କୂଟନୀତିକ ସ୍ତରରୁ ସର୍ଜିକାଲ ଷ୍ଟ୍ରାଇକ ଭଳି ପଦକ୍ଷେପ ଦ୍ୱାରା ଭାରତ ସବୁ କିଛି କରିଥିଲା। କିନ୍ତୁ ଇସଲାମାବାଦ ସୁଧୁରି ନଥିଲା। ସମୟ ଶେଷ ହେବାକୁ ବସିଥିଲା। ପାକିସ୍ତାନର ଅଣଦେଖା ଭାରତକୁ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା।

K4ପାକିସ୍ତାନ ଟେରର ଭିତ୍ତିଭୂମି ଉପରେ ଷ୍ଟ୍ରାଇକ କରିଥିବା ଭାରତୀୟ ବାୟୁ ସେନା

ଯୋଜନା ଅନୁସାରେ ଭାରତୀୟ ବାୟୁସେନାର ପାଇଲଟମାନେ ସୁଖୋଇ ଓ ରାଫେଲ ଜେଟରେ ବସିଥିଲେ। ଏଥିରେ ପୂର୍ବରୁ ସ୍କାଲପ୍‌ ଓ ଏଏଏସ୍‌ଏ ହାମର ଗ୍ଲଡ ବୋମା ଖଞ୍ଜା ଯାଇ ସାରିଥିଲା। ରାତି ପ୍ରାୟ ୧.୦୫। ଅନ୍ଧାର ଆକାଶରେ ଯୁଦ୍ଧ ବିମାନ ଗର୍ଜନ କରିଥିଲା। ବିମାନଗୁଡ଼ିକ ନାକ ଟାର୍ଗେଟ ଆଡ଼କୁ ରହିଥିଲେ। ଭାରତ ରାଗ ବା କ୍ରୋଧ ପାକିସ୍ତାନ ଉପରେ ପଡ଼ିବାକୁ ଯାଉଥିଲା।

ଅପରେସନ ସିନ୍ଦୂର ସଫଳ ହୋଇଥିବା ଭାରତୀ ଘୋଷଣା କରିଥିଲେ। ମିଶନ ନିର୍ଦ୍ଦିଷ୍ଟ ଭାବେ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ ପାଇଁ କରାଯାଇଥିଲା। ପାକିସ୍ତାନ ମିଲିଟାରୀ କିମ୍ବା ଜନବସତିକୁ ଆଦୌ ଟାର୍ଗେଟ କରାଯାଇ ନଥିଲା। ଭାରତର ବାର୍ତ୍ତା ସ୍ପଷ୍ଟ ଥିଲା- ପହଲଗାମର ବଦଲା ନେବୁ କିନ୍ତୁ ସାଧାରଣ ଲୋକଙ୍କ କ୍ଷତି କରିବୁ ନାହିଁ।

K5ମଧ୍ୟରାତ୍ର ଷ୍ଟ୍ରାଇକରେ ପାକିସ୍ତାନର ନିଦ ହଜି ଯାଇଥିଲା

ରାତି ପ୍ରାୟ ୧.୩୦ରେ ଗୋଟିଏ ଜରୁରୀ କଲ୍‌ ପାକିସ୍ତାନ ଆର୍ମି ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ନିଦ ଭାଙ୍ଗି ଦେଇଥିଲା। ସୁରକ୍ଷିତ ଲାଇନରେ ଶୁଭିଥିଲା ଭୟର ସ୍ୱର। ଆଉ କୁହାଯାଇଥିଲା ବିନାଶର ବୃଷ୍ଟି ହେଉଛି। ଜବାବରେ ମୁନିର କହିଥିଲେ- ବିସ୍ତୃତ ତଥ୍ୟ? ତାଙ୍କ ସ୍ୱର ଧିମେଇ ଯାଥିଲା। ଫୋନ କରିଥିବା ଲୋକ ବି ଥରୁଥିଲା। ସେ ଥରିଲା ସ୍ୱରରେ ସମ୍ଭବତଃ କହିଥିଲା, “ଜନାବ, ବାହାବଲପୁରରେ ଥିବା ମରକଜ ସୁଭାନ ଆଲ୍ଲାରେ ମିସାଇଲ ଷ୍ଟ୍ରାଇକ ହୋଇଛି। ଜୈଶର ଟ୍ରେନିଂ କ୍ୟାମ୍ପ ମାଟିରେ ମିଶି ଯାଇଛି। ସମାନ୍ତରଳ ଭାବେ ମୁରିଦକେ, କୋଟଲି ଓ ମୁଜାଫରବାଦରେ ମଧ୍ୟ ବିସ୍ଫୋରଣ ହୋଇଛି। ଷ୍ଟ୍ରାଇକ ୨୫ ମିନିଟର ଥିଲା।”

ମୁନିର ଏକଥା ଶୁଣି ପୂରା ସ୍ତବ୍ଧ ହୋଇ ଯାଇଥିଲେ। ତାଙ୍କ ଆଖି ବଡ଼ବଡ଼ ହୋଇ ଯାଇଥିଲା। ସେ ଏହାକୁ ନାଲି ପଡ଼ିବା ପର୍ଯ୍ୟନ୍ତ ମକଚି ଚାଲିଥିଲେ। ଯାହା ସବୁ ଘଟିଥିଲା, ତା’କୁ ସେ ସହଜରେ ବିଶ୍ୱାସ କରିପାରୁ ନଥିଲେ। କିନ୍ତୁ ସେ ଆକଳନ କରୁଥିବା ଛବି ସବୁ ଦୁଃସ୍ୱପ୍ନ ନ ଥିଲା। ବାସ୍ତବରେ ପାକିସ୍ତାନରେ ଭାରତ କରି ଚାଲିଥିଲା ମିସାଇଲ ବର୍ଷା।

ଷ୍ଟ୍ରାଇକର ମାତ୍ର କିଛି ମିନିଟ ମଧ୍ୟରେ ଇସଲାମାବାଦ କ୍ଷୟକ୍ଷତିର ହିସାବ ଆରମ୍ଭ କରିଥିଲା। ୧୯୯୯ ମସିହା ବିମାନ ଅପହରଣ ଓ ୨୦୧୯ ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ସମେତ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ୯ଟି ଆତଙ୍କବାଦୀ ଆଡ୍ଡା ମାଟିରେ ମିଶି ଯାଇଥିଲା।

K6ପାକିସ୍ତାନରେ ହୋଇଥିବା ବିନାଶକୁ ସ୍ୟାଟେଲାଇଟ କଏଦ କରିଥିଲା

ରାତି ପ୍ରାୟ ୧.୩୦ରେ ଭାରତର ସ୍ୟାଟେଲାଇଟ ଫିଡ୍‌ ଅପରେସନ ସିନ୍ଦୂରର ରିୟଲ ଟାଇମ ଛବିକୁ ଜାରି କରିଥିଲା। ଜଳୁଥିବା ଭିତ୍ତିଭୂମି, ଭୁଶୁଡ଼ି ପଡ଼ିଥିବା କୋଠା ଓ ଟେରର କ୍ୟାମ୍ପରେ ଦେଖାଯାଇଥିବା ଆତଙ୍କ ସାମ୍ନାକୁ ଆସିଥିଲା। ଭାରତୀୟ ବାୟୁ ସେନା ପାକିସ୍ତାନର ଟେରର ମଡ୍ୟୁଲର ଅଣ୍ଟା ଭାଙ୍ଗି ଦେଇଥିଲା, ଯାହାକୁ ପାକିସ୍ତାନ ଦୀର୍ଘ ବର୍ଷ ହେଲା ସମର୍ଥନ କରି ଆସୁଥିଲା।

ରାତି ୧.୪୫ରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘୋଷଣା କରିଥିଲେ ଯେ ଅପରେସନ ସିନ୍ଦୂର ବେଶ ସଫଳତାର ସହ ପହଲଗାମ ନରସଂହାର ପଛରେ ଥିବା ଆତଙ୍କୀ ଭିତ୍ତିଭୂମିକୁ ଟାର୍ଗେଟ କରିଛି। ଏହା ଏକ ଯୋଜନାବଦ୍ଧ ଆତଙ୍କବାଦ ବିରୋଧୀ ପଦକ୍ଷେପ। ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ଏକ୍ସରେ ‘ଭାରତ ମାତା କି ଜୟ’ ଲେଖିଥିଲେ।

ସୀମା ସେପଟେ ପାକିସ୍ତାନ ପ୍ରତିଶୋଧର ନିଆଁରେ ରକ୍ତ ଚାଉଳ ଚୋବାଇବାରେ ଲାଗିଥିଲା। ରାଗରେ ସତେ ଯେମିତି ଗରମ ପାଣି ଭଳି ଫୁଟୁଥିଲା ପାକିସ୍ତାନ।

K7ପାକିସ୍ତାନ ପ୍ରତିଶୋଧ କଥା କହିଥିଲା, କିନ୍ତୁ..

ରାତି ପ୍ରାୟ ୩ଟା। ସ୍ଥାନ ପାକିସ୍ତାନର ରାୱଲପିଣ୍ଡି। ପ୍ରତିଶୋଧର କଥା କହୁଥିବା ଲେଫ୍ଟନାଣ୍ଟ ଅହମଦ ଶରିଫ ଚୌଧୁରୀ କ’ଣ କରିବେ କିଛି ଜାଣି ପାରୁ ନଥିଲେ। ଆଇଏସ୍‌ପିଆର ମୁଖ୍ୟ ଚୌଧୁରୀ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ହେଁ ତାଙ୍କ ମୁହଁରେ ନିରାଶା ଓ ଭୟର ଚିହ୍ନ ରହିଥିଲା। ପ୍ରଶ୍ନବାଣରେ ସେ ଘାଇଲା ହୋଇଥିଲେ। ସେ ବେଶ ନିରାଶ ହୋଇ ଭାରତର ଷ୍ଟ୍ରାଇକରେ ୩୧ ଜଣ ସାଧାରଣ ଲୋକ ମରିଛନ୍ତି ଓ ଗୋଟିଏ ମସଜିଦ ଧ୍ୱଂସ ହୋଇଯାଇଥିବା ଘୋଷଣା କରିଥିଲେ।

ଭାରତର ଷ୍ଟ୍ରାଇକ ପରେ ଆଇଏସ୍‌ପିଆର ଜାରି କରିଥିବା ବିବୃତି କହିଥିଲା ଯେ “ପାକିସ୍ତାନ ଏୟାର ଫୋର୍ସର ସବୁ ବିମାନ ସଜାଗରେ ରହିଛନ୍ତି। ଭାରତ ନିଜ ସୀମାରେ ରହି ଷ୍ଟ୍ରାଇକ କରିଥିଲା। ପାକିସ୍ତାନ ନିଜ ଇଚ୍ଛାରେ ସମୟ ଓ ସ୍ଥାନ ଚୟନ କରି ଏହାର ଜବାବ ଦେବ। ଏହାର ଜବାବ ନିଶ୍ଚିତ ମିଳିବ। ଭାରତର ସାମୟିକ ଖୁସି ଭୟଙ୍କର ଦୁଃଖର ସ୍ଥାନ ନେବ।”

K8ପାକିସ୍ତାନ ଟେରର ବେସ୍‌ ଧ୍ୱଂସ ଛବି

ପାକିସ୍ତାନର ସବୁ ଅଭିଯୋଗକୁ କାଉଣ୍ଟର କରି ଭାରତୀୟ ଅଧିକାରୀମାନେ ଓଏସଆଇଏନଟି ପ୍ରମାଣ ଜାରି କରିଥିଲେ। କେବଳ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିବା କହିଥିଲେ। ସେହିପରି ପାକିସ୍ତାନ କରୁଥିବା ମସଜିଦ, ବାସ୍ତବରେ ଜୈଶର ମୁଖ୍ୟାଳୟ ରହିଥିଲା।

ଭୋର ପ୍ରାୟ ୪ଟା ବେଳକୁ ପାକିସ୍ତାନ ତା’ର ଆକାଶ ପଥକୁ ସିଲ କରିଥିଲା ଓ ସମସ୍ତ ବ୍ୟବସାୟିକ ବିମାନର ଉଡ଼ାଣ ବନ୍ଦ କରିଥିଲା। ଭାରତ ମଧ୍ୟ ଶ୍ରୀନଗର ଓ ଅମୃତସର ଭଳି ସୀମାନ୍ତ ରାଜ୍ୟରେ ବିମାନ ଉଡ଼ାଣ ବାତିଲ କରିଥିଲା। ଏଲଓସିରେ ପାକିସ୍ତାନ ସେନା ଉରି ସେକ୍ଟରରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଥିଲା। ଏହାର ଜବାବ ଭାରତ ଦମଦାର ଢଙ୍ଗରେ ଦେଇଥିଲା। କାର୍ଗିଲ ଲଢ଼େଇର ୨୬ ବର୍ଷ ପରେ ପୁଣି ଥରେ ଦୁଇ ପଡ଼ୋଶୀ ଯୁଦ୍ଧ ମୁହଁରେ ପହଞ୍ଚି ଯାଇଥିଲେ।

K9ପୂରା ବିଶ୍ୱ ଦେଖୁଥିବା ବେଳେ ଭାରତ ଷ୍ଟ୍ରାଇକର ପ୍ରଭାବ ସମ୍ପର୍କରେ ଘୋଷଣା କରିଥିଲା

ମେ’ ୭ ତାରିଖ ଦିନ ୧୦ଟା। ସ୍ଥାନ ନୂଆଦିଲ୍ଲୀ। ବୈଦେଶିକ ସଚିବ ବିକ୍ରମ ମିସ୍ରି ଗୋଟିଏ ପୋଡିୟମରେ ଛିଡ଼ା ହୋଇଥିଲେ। ତାଙ୍କ ସହ ରହିଥିଲେ କର୍ଣ୍ଣେଲ ସୋଫିୟା କ୍ୟୁରେଶି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ସେମାନଙ୍କ ପଛରେ ଗୋଟିଏ ମ୍ୟାପ ରହିଥିଲ, ଯାହା ଟେରର କ୍ୟାମ୍ପ ଧ୍ୱଂସ ଚିତ୍ରକୁ ଦେଖାଉଥିଲା।

ମିସ୍ରି ଘୋଷଣା କରିଥିଲେ ଯେ ଆତଙ୍କବାଦ ବିରୋଧରେ ପାକିସ୍ତାନର ବିଫଳତାର ଜବାବ ହେଉଛି ଅପରେସନ ସିନ୍ଦୂର। ପାକିସ୍ତାନ ସେନା କିମ୍ବା ଲୋକଙ୍କ ସହ ଆମର କୌଣସି ଝଗଡ଼ା ନାହିଁ। କିନ୍ତୁ ଆମେ କେବେ ହେଲେ ଆତଙ୍କବାଦକୁ ସହ୍ୟ କରିବୁ ନାହିଁ।”

ମିସ୍ରି ନିଜର ପକ୍ଷ ରଖୁଥିବା ବେଳେ ପାକିସ୍ତାନର ମିଛର ବଜାର ସର୍ବୋଚ୍ଚ ସ୍ତରରେ ପହଞ୍ଚି ସାରିଥିଲା। ଆଇଏସ୍‌ପିଆର ଦାବି କରିଥିଲା ଯେ ପାକିସ୍ତାନ ସେନା ୧୫ଟି ଭାରତୀୟ ଟାର୍ଗେଟକୁ ହିଟ କରିଛି। ଏହା ମଧ୍ୟରେ ଶ୍ରୀନଗର ଏୟାର ବେସ୍‌ ବି ରହିଛି। ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ବିସ୍ଫୋରଣ ଭିଡିଓ ଭାଇରାଲ କରାଯାଇଥିଲା। କିନ୍ତୁ ଭାରତର ପିଆବି ଓ ଅଲ୍ଟ ନ୍ୟୁଜ ଏହା ପଛରେ ଥିବା ସତ୍ୟର ପର୍ଦ୍ଦାଫାସ କରିଥିଲା।

K10ଅଶାନ୍ତ ହୋଇ ଉଠିଥିଲା ଏଲଓସି

ପାକିସ୍ତାନର ଜବାବ ତୀବ୍ର ହୋଇଥିଲା। ଶହଶହ ଡ୍ରୋନ, ମିସାଇଲ ସୀମା ଡେଇଁ ଭାରତୀୟ ଆକାଶରେ ପ୍ରବେଶ କରିଥିଲେ। ଭାରତର ବିଭିନ୍ନ ସହର ପାକିସ୍ତାନର ଟାର୍ଗେଟରେ ରହିଥିଲା। ଏହି ସମୟରେ ଜଲୱା ଦେଖାଇଥିଲା ଭାରତର ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ। ମଝି ଆକାଶରେ ହିଁ ଡ୍ରୋନ ଓ ମିସାଇଲକୁ ଏହା ଧ୍ୱଂସ କରିଥିଲା। ଧ୍ୱଂସବିଧ୍ୱସ୍ତ ଡ୍ରୋନ ଓ ମିସାଇଲର ଭଗ୍ନାଂବଶେଷ ପଞ୍ଜାବ ଓ ରାଜସ୍ଥାନରେ ପଡ଼ିଥିଲା। କିଛି ସ୍ଥାନରେ ଏହା ନିଆଁ ଲଗାଇ ଦେଇଥିଲା। କିନ୍ତୁ କେହି ବି ମୃତାହତ ହୋଇ ନଥିଲେ।

ପାକିସ୍ତାନ ଫତେ ସିରିଜ ମିସାଇଲ ଦ୍ୱାରା ଭାରତର ସାମରିକ ଘାଟିକୁ ଟାର୍ଗେଟ କରିଥିଲା। କିନ୍ତୁ ଅଧିକାଂଶ ମିସାଇଲକୁ ନଷ୍ଟ କରି ଦିଆଯାଇଥିଲା। ଏହାର ଜବାବରେ ଭାରତୀୟ ଯୁଦ୍ଧ ବିମାନ ଲାହୋରରେ ଥିବା ପାକିସ୍ତାନୀ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରି ଦେଇଥିଲା। ମେ’ ୮ ତାରିଖ ସକାଳ ୮ଟାରେ ଆକ୍ରମଣକୁ ନିଶ୍ଚିତ କରାଯାଇଥିଲା। ପାକିସ୍ତାନକୁ ସଂଯମତା ରକ୍ଷା କରିବାକୁ ମଧ୍ୟ ମିସ୍ରି ଚେତାବନୀ ଦେଇଥିଲେ।

K11ପାକିସ୍ତାନରେ ଆତଙ୍କ ଖେଳି ଯାଇଥିବା ସ୍ୱୀକାର କରିଥିଲେ ଶେହବାଜ ଶରିଫ

ପାକିସ୍ତାନରେ ଆତଙ୍କର ମାହୋଲ ରହିଥିଲା। ମେ’ ୯-୧୦ ରାତି ପ୍ରାୟ ୨.୩୦ରେ ଜେନେରାଲ ମୁନିର ବ୍ୟକ୍ତିଗତ ଭାବେ ଶେହବାଜଙ୍କୁ ୧୦ ତାରିଖ ଭୋର ୨.୩୦ରେ ଗୋଟିଏ ସୁରକ୍ଷିତ ଫୋନ ଲାଇନରେ ଯୋଗାଯୋଗ କରିଥିଲେ। ଏହି ଫୋନରେ ସେ ତାଙ୍କୁ ଭାରତ ତା’ର ବାଲାଷ୍ଟିକ ମିସାଇଲ ମାଡ଼ କରିଥିବା କଥା ଜଣାଇଥିଲେ। କିଛି ମିସାଇଲ ନୁର ଖାନ ଏୟାରବେସ ଓ ଅନ୍ୟ କିଛି ସ୍ଥାନରେ ମାଡ଼ ହୋଇଥିବା ସେ ଅବଗତ କରାଇଥିଲେ। ଏହା ଅତ୍ୟନ୍ତ ଚିନ୍ତାର ମୁହୂର୍ତ୍ତ ଥିଲା ବୋଲି ଶରିଫ ନିକଟରେ କହିଥିଲେ।

K12ସୀମା ପାର ଶେଲିଂରେ ଅନେକ ସାଧାରଣ ଲୋକ ପ୍ରାଣ ହରାଇଥିଲେ

ଏଲଓସିରେ ହିଂସା ଯୋଗୁ ଭୟଙ୍କର ସ୍ଥିତି ଦେଖାଯାଇଥିଲା। ପାକିସ୍ତାନ ପୁଞ୍ଚ ଓ କୁପୱାଡରେ ଗୁଳି ମାଡ଼ କରିବାରୁ ୧୨ ଜଣ ସାଧାରଣ ଲୋକ ଓ ଜଣେ ଯବାନଙ୍କ ଜୀବନ ଯାଇଥିଲା। ୩୦୦ରୁ ୪୦୦ଟି ଡ୍ରୋନ ଦ୍ୱାରା ପାକିସ୍ତାନ ଭାରତର ବିଭିନ୍ନ ସହରକୁ ଟାର୍ଗେଟ କରିଥିଲା।

K13ଡ୍ରୋନ ଦ୍ୱାରା ପାକିସ୍ତାନର ହମଲା

ଜମ୍ମୁ, ପଠାନକୋଟ ଓ ଉଧମପୁରରେ ରାତି ତମାମ ଯୁଦ୍ଧ ସାଇରନରେ ଥରିଥିଲା। ଅମୃତସରର ପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିରକୁ ମଧ୍ୟ ଟାର୍ଗେଟ କରାଯିବାର ଆଶଙ୍କା ଥିବାରୁ ଏହାକୁ ଅନ୍ଧକାର ମଧ୍ୟରେ ରଖାଯାଇଥିଲା। ଫରୋଜପୁରରେ ଖସି ପଡ଼ିଥିବା ଗୋଟିଏ ଡ୍ରୋନ ଯୋଗୁ ନିଆଁ ଲାଗିବାରୁ ୩ ଜଣ ଆହତ ହୋଇଥିଲେ। ଭାରତୀୟ ସେନା ପୂରା ଆଲର୍ଟରେ ରହିବା ସହ ପାକିସ୍ତାନୀ ମିସାଇଲକୁ ନଷ୍ଟ କରିଥିଲା। ସେହିପରି ପାକିସ୍ତାନର ଗୋଟିଏ ଏଫ-୧୬ ଯୁଦ୍ଧ ବିମାନକୁ ପଠାନକୋଟ ନିକଟରେ ଖସାଇ ଦେଇଥିଲା।

k14ଯେକୌଣସି ଆତଙ୍କବାଦୀ ହମଲାକୁ ଯୁଦ୍ଧ ଭାବେ ଘୋଷଣା କରାଯିବା ନେଇ ମୋଦି ଘୋଷଣା କରିଥିଲେ

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ ଏଣିକି ଭାରତ ବିରୋଧରେ ଯେକୌଣସି ଆତଙ୍କବାଦ କାର୍ଯ୍ୟକଳାକୁ ଯୁଦ୍ଧ ଭାବେ ବିବେଚନା କରାଯିବ। ଆତଙ୍କୀ କାର୍ଯ୍ୟକଳାପ ଭାରତ ବିରୋଧରେ ଏକ ପ୍ରକାରର ଯୁଦ୍ଧ ଭାବେ ଗଣାଯିବ। ଏହାର ଜବାବ ମଧ୍ୟ ସେହି ଅନୁସାରେ ହେବ। ଏହାର ଜବାବରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତରେ ବୋମା ବିସ୍ଫୋରଣ, ଗୁଳି ମାଡ଼, ବିମାନ ଅପହରଣ, ସାଇବର ଆଟାକ ଓ କେମିକାଲ ଆଟାକ ଆଦି ଆତଙ୍କବାଦ କାର୍ଯ୍ୟକୁ ଯୁଦ୍ଧ ବୋଲି ଧରାପଯିବ। ସରକାରୀ ପ୍ରତିଷ୍ଠାନ, ସାମରିକ କ୍ୟାମ ଓ ଅନୁଷ୍ଠାନକୁ ଆକ୍ରମଣ ଆଦି ମଧ୍ୟ ଆତଙ୍କବାଦ କାର୍ଯ୍ୟକଳାପ ଶ୍ରେଣୀରେ ଆସିବ।

ଭାରତର ଷ୍ଟ୍ରାଇକ ପାକିସ୍ତାନ ଖଞ୍ଜି ଥିବା ଚାଇନିଜ ଏୟାର ଡିଫେନ୍ସ ସିଷ୍ଟମ କ୍ଷମତାକୁ ପଦାରେ ପକାଇଥିଲା। ଭାରତର ବ୍ରହ୍ମୋସ ମିସାଇଲ ଓ ରାଫେଲ ଜେଟ ଆଗରେ ଏହା କିଛି ନୁହେଁ ବୋଲି ପ୍ରମାଣିତ ହୋଇଥିଲା

k15ପାକିସ୍ତାନ ଉପରେ ମିସାଇଲ ବର୍ଷା

ମେ’ ୧୦ ତାରିଖ ଭୋର ସମୟରେ ପାକିସ୍ତାନ କାଉଣ୍ଟର ଷ୍ଟ୍ରାଇକ ନାଁରେ ଅପରେସନ ବୁନୟାନ ଅଲ ମାର୍ସୋସ ସମ୍ପର୍କରେ ଘୋଷଣା କରିଥିଲା। ଭାରତକୁ ଟାର୍ଗେଟ କରି ପାକିସ୍ତାନ ମିସାଇଲ ମାଡ଼ କରିଥିଲା। ପାକିସ୍ତାନ ଟାର୍ଗେଟରେ ଭାରତର ଏୟାର ବେସ୍‌ ରହିଥିଲା। ଭାରତ ମଧ୍ୟ ଏହାର ଜବାବ ଦେଇଥିଲା। ଦୁଇ ଦେଶ ମଧ୍ୟରେ ପୂର୍ଣ୍ଣକାଳୀନ ଯୁଦ୍ଧର ଆଶଙ୍କା ପ୍ରକାଶ ପାଇଥିଲା।

K16ଭାରତ-ପାକିସ୍ତାନ ହଠାତ୍ ଯୁଦ୍ଧ ବିରତି ଘୋଷଣା କରିଥିଲେ

ଆଉ ଏକ ଭୟଙ୍କର ରାତିର ଅପେକ୍ଷାରେ ସମସ୍ତେ ରହିଥିଲେ। ବ୍ଲାକଆଉଟ ଓ ଏୟାର ଷ୍ଟ୍ରାଇକ ଆଶଙ୍କା ସମସ୍ତଙ୍କୁ ଘାରିଥିଲା। ଏତିକି ବେଳେ ହଠାତ ଗୋଟିଏ ଅପ୍ରତ୍ୟାଶିତ ଘଟଣା ଘଟିଥିଲା। ମେ’ ୧୦ ତାରିଖ ଅପରାହ୍ନ ପ୍ରାୟ ୫ଟା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋଶାଲ ମିଡିଆରେ ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିବା ଘୋଷଣା କରିଥିଲେ।

K17ଭାରତ କହିଥିଲା ଟାର୍ଗେଟ ହିଟ, ମିଶନ ଓଭର

ଭାରତୀୟ ସେନା ମେ’ ୧୧ ରାତିକୁ ନୀରବ ବୋଲି କହିଥିଲା। କିନ୍ତୁ ଚିନ୍ତା ଥମି ନଥିଲା। ଜଣେ ଅଧିକାରୀ ସ୍ପଷ୍ଟ କରିଥିଲେ ଯେ ଅପରେସନ ସିନ୍ଦୂର ସ୍ଥଗିତ ରହିଛି, କିନ୍ତୁ ସରିନି। ମେ’ ୧୨ରେ ଭାରତୀ ସାମ୍ବାଦିକ ସମ୍ମିଳନୀ ସମୟରେ ଅପରେସନ ସିନ୍ଦୂର କେମିତି ସଫଳ ହେଲା, ସେ ବିଷୟରେ ତଥ୍ୟ ସାର୍ବଜନୀନ କରିଥିଲେ। ଭାରତ କେବଳ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା ବୋଲି ସେ ପୁଣି ସ୍ପଷ୍ଟ କରିଥିଲେ।

K18ନୂଆ ଭାରତର ନୀତି, ପାକିସ୍ତାନକୁ ଚେତାବନୀ

ମେ’ ୧୩ ତାରିଖରେ ଭାରତ ପକ୍ଷରୁ ଷ୍ଟ୍ରାଇକ ପୂର୍ବର ଓ ପରର ସ୍ୟାଟେଲାଇଟ ଛବି ଜାରି କରାଯାଇଥିଲା। ଭାରତର ଏୟାର ଷ୍ଟ୍ରାଇକରେ କେମିତି ଆତଙ୍କୀ ଆଡ୍ଡା ଧ୍ୱଂସ ପାଇଥିଲା, ତା’ର ଫଟୋ ପୂରା ବିଶ୍ୱ ଦେଖିଥିଲା। ଏଥିସହ ପାକିସ୍ତାନର ନୁର ଖାନ ଏୟାର ବେସ୍‌ ସମେତ ଏକାଧିକ ସାମରିକ ପ୍ରତିଷ୍ଠାନ ଭାରତର ଷ୍ଟ୍ରାଇକରେ କ୍ଷତିଗ୍ରସ୍ତ ହୋଇଥିବା ଚିତ୍ର ସାମ୍ନାକୁ ଆସିଥିଲା।

ପ୍ରାଥମିକ ଲକ୍ଷ୍ୟ ହାସଲ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧନ କରିଥିଲେ। ସେ କହିଥିଲେ, “ଅପରେସନ ସିନ୍ଦୂର ଭାରତର ନୂଆ ନୀତି। କୌଣସି ଆତଙ୍କବାଦୀ ସୁରକ୍ଷିତ ଆଶ୍ରୟ ସ୍ଥଳ ପାଇବେ ନାହିଁ। ପ୍ରତିଟି ଆତଙ୍କବାଦୀ ହମଲାକୁ ଏଣିକି ଯୁଦ୍ଧ ଭାବେ ବିଚାର କରାଯାଇ ସେହି ଅନୁସାରେ ଜବାବ ଦିଆଯିବ।

K19ପାକିସ୍ତାନକୁ ଘାଇଲା କରିଥିଲା ମିସାଇଲ

୨୦୨୫ ମେ’ ୧୪ରେ ବୈଦେଶିକ ସଚିବ ମିସ୍ରି ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ କେମିତି ଭାରତର ବ୍ରହ୍ମୋସ ମିସାଇଲ ଓ ରାଫେଲ ଜେଟ ମାତ ଦେଇଥିଲା, ସେ ସମ୍ପର୍କରେ ସୂଚନା ଦେଇଥିଲେ। ପାକିସ୍ତାନ ପିଏଲ-୧୫ ଓ ତୁର୍କୀ ନିର୍ମିତ ଡ୍ରୋନ ଦ୍ୱାରା ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ହେଁ ଏହାକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଥିଲା।

ଏହି ସଂଘର୍ଷ ପାକିସ୍ତାନ ଓ ଏହାର ସହଯୋଗୀ ରାଷ୍ଟ୍ରଙ୍କ ସବୁ ଚକ୍ରାନ୍ତର ପର୍ଦ୍ଦାଫାସ କରିଥିଲା। ଭାରତ ଆତଙ୍କବାଦୀ ଆକ୍ରମଣର ବଦଲା କେମିତି ନିଏ ଓ ପୂର୍ଣ୍ଣ ଯୁଦ୍ଧ ଠାରୁ କେମିତି ଦୂରେଇ ରୁହେ, ସେକଥା ପୂରା ବିଶ୍ୱ ଦେଖିଥିଲା।

K20ସିନ୍ଦୂର ମହିଳାଙ୍କ ସମ୍ମାନ ପାଇଁ

ଭାରତର ଷ୍ଟ୍ରାଇକ ପରେ ସୀମା ସେପଟେ ପାକିସ୍ତାନ ତା’ର କ୍ଷତରେ ମଲମ ଲଗାଇବା ସହ ନିଜର ଆତଙ୍କବାଦୀମାନଙ୍କୁ ଆପଣାଇଥିଲା ଓ ସେନାର ଅସଲ ମୁଖା ଖୋଲି ଯାଇଥିଲା। ହେଲେ ପାକିସ୍ତାନର ନେତୃବୃନ୍ଦ କ୍ଷୟକ୍ଷତିକୁ ଆଦୌ ସ୍ୱୀକାର କରି ଦେଇଥିଲେ। ଅନେକ କ୍ଷତି ପରେ ଯୁଦ୍ଧ ବିରତି ପାଇଁ ନେହୁରା ହୋଇଥିବା ପାକିସ୍ତାନ ବିଜୟ ଘୋଷଣା କରିବା ଗୋଟିଏ ହ୍ୟାସ୍ପଦ ଘଟଣା ଠାରୁ ଆଉ କିଛି ନଥିଲା।

ପହଲଗାମର କ୍ଷତ ଏବେ ବି ତାଜା ରହିଛି। କିନ୍ତୁ ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ଗୋଟିଏ ଜୋରଦାର ବାର୍ତ୍ତା ଦେଛି। ଭାରତର ପ୍ରମାଣ କରି ଦେଇଛି ଯେ ଆତଙ୍କବାଦ ପ୍ରସଙ୍ଗରେ ନ୍ୟାୟ ପାଇଁ ସେନା କେବଳ ସମୟକୁ ଅପେକ୍ଷା କରିବ ନାହିଁ। ବରଂ ଘର ଭିତରେ ପଶି ତତକ୍ଷଣାତ ଜବାବ ଦେବ।

ଆତଙ୍କବାଦ ପ୍ରସଙ୍ଗରେ କୂଟନୀତିକ ଲଢ଼େଇର ସମୟ ଶେଷ ହୋଇଯାଇଛି। ବିବାହିତ ମହିଳାଙ୍କ ମଥାରେ ଦାଉ ଦାଉ ହୋଇ ଜଳୁଥିବା ସିନ୍ଦୂର ନାଁରେ ନାମିତ କରାଯାଇଥିବା ଏହି ଅପରେସନ ଭାରତର ଆଭିମୁଖ୍ୟକୁ ନୂଆ ରୂପ ଦେଇଛି। ଆତଙ୍କବାଦୀ ହମଲାର ଜବାବ ନିଶ୍ଚିତ ମିଳିବ ବୋଲି ଭାରତ ସ୍ପଷ୍ଟ କରି ଦେଇଛି।

ଅପରେସନ ସିନ୍ଦୂର ପରେ କଶ୍ମୀର ରେ ଶାନ୍ତି କାଏମ ରହିଛି। ଏବେ ପାକିସ୍ତାନକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। କଶ୍ମୀର କୁ ହାସଲ କରିବାର ସ୍ୱପ୍ନ କେବେ ବି ପାକିସ୍ତାନର ସତ ହେବନି। ଅବଶ୍ୟ ପାକିସ୍ତାନ ସ୍ୱପ୍ନ ଦେଖି ପାରିବ ଓ ଏହା ଦ୍ୱାରା ପ୍ରାୟୋଜିତ ଆତଙ୍କବାଦୀମାନେ ନିଜର ଅସ୍ଥିତ୍ୱ ବଜାୟୀ ରଖିବା ପାଇଁ ଏହାକୁ ପ୍ରସଙ୍ଗ କରି ପାରନ୍ତି।

ହେଲେ ସେମାନଙ୍କୁ ମନେ ରଖିବାକୁ ହେବ ଯେ ଭାରତ ଆଉ ଚୁପ ରହିବ ନାହିଁ। ପାକିସ୍ତାନ କଶ୍ମୀର କୁ ମୁଖ୍ୟ ପ୍ରସଙ୍ଗ କରୁଥିବା ବେଳେ ଭାରତ ଆତଙ୍କବାଦ ପ୍ରତି ନିଜର ସହନଶୀଳତା ସମୟ କ୍ରମେ ହ୍ରାସ କରିବାରେ ଲାଗିଛି।

K21ପାକିସ୍ତାନ

କ’ଣ ଏବେ ଶାନ୍ତି ବଜାୟୀ ରହିବ? କ’ଣ ପାକିସ୍ତାନ ପୁଣି ଥରେ କୌଣସି ଭୟାନକ ଷଡ଼ଯନ୍ତ୍ର ସହ ଭାରତର ପରୀକ୍ଷା ନେବ? ୮୦ ଦଶକରୁ ଆରମ୍ଭ ହୋଇଥିବା ହିଂସା, ଆତଙ୍କ ଓ ଯୁଦ୍ଧ ପରେ କଶ୍ମୀର ରେ ଏବେ ନୂଆ ଆଶା ସୃଷ୍ଟି ହୋଇଛି। ଏହାକୁ ପାକିସ୍ତାନ ନିଜର ପରାଜୟ ବୋଲି ବିବେଚନା କରି ଆଗକୁ ବଢ଼ୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର।

କଶ୍ମୀରରେ ଆତଙ୍କବାଦର ଇତିହାସ ସିରିଜ ଏହି ଠାରେ ହିଁ ଶେଷ ହେଉଛି।