କାମ ଦେଉନି ରଜନୀକାନ୍ତଙ୍କ ଜାଦୁ; 'ଲାଲ୍ ସଲାମ୍' ତିନି ଦିନରେ ଛୁଇଁଲା ନାହିଁ ୧୦ କୋଟି
ଫିଲ୍ମରେ ରଜନୀକାନ୍ତ ଥିବେ ଆଉ ସେ ଫିଲ୍ମ ଚାଲିବ ନାହିଁ, ଏହା ପ୍ରାୟ ଦେଖାଯାଏ ନାହିଁ। ଲୋକଙ୍କ ମନରେ ଥିବା ଏହି ଭାବନା ଏବେ କିନ୍ତୁ ଭୁଲ ପ୍ରମାଣିତ ହୋଇଛି। ଆଉ ବୋଧେ କାମ ଦେଉନି ତାଙ୍କ ଅଭିନୟର ଜାଦୁ। କାରଣ ଏହି ଫିଲ୍ମ ରିଲିଜ୍ ହେବାର ୩ ଦିନ ହୋଇଯାଇଥିଲେ ବି ଛୁଇଁଲା ନାହିଁ ୧୦ କୋଟି ଟଙ୍କା।
ସାଉଥ୍ ସୁପର୍ଷ୍ଟାର୍ ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାଲ୍ ସଲାମ୍' ୦୯ ଫେବୃଆରୀରେ ପ୍ରେକ୍ଷାଳୟକୁ ଆସିଛି। କିନ୍ତୁ ଆଶା କରାଯାଉଥିବା ପରି ଏହି ଚଳଚ୍ଚିତ୍ର ଏହାର ଯାଦୁ ଦେଖାଇବାରେ ବିଫଳ ହେଉଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସ୍ରେ ବହୁତ କମ୍ ଆୟ ସହିତ ଓପେନିଂ କରିଥିଲା। ଆଶ୍ଚର୍ଯ୍ୟଜନକ ଯେ 'ଲାଲ୍ ସଲାମ୍' ତିନି ଦିନ ମଧ୍ୟରେ ମାତ୍ର ୧୦ କୋଟି ଟଙ୍କା ବ୍ୟବସାୟ ମଧ୍ୟ କରିପାରି ନାହିଁ।
ରଜନୀକାନ୍ତଙ୍କ ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକ ପ୍ରେକ୍ଷାଳୟକୁ ଆସୁ ନାହାଁନ୍ତି। ସାଧାରଣତଃ ଫିଲ୍ମଗୁଡ଼ିକ ସପ୍ତାହ ଶେଷରେ ଅଧିକ ରୋଜଗାର କରେ, କିନ୍ତୁ 'ଲାଲ ସଲାମ'ର ଅବସ୍ଥା ଖୁବ୍ ଖରାପ ମନେହୁଏ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତଙ୍କ ଫିଲ୍ମ 'ଲାଲ ସଲାମ' ରବିବାର ଅର୍ଥାତ୍ ତୃତୀୟ ଦିନରେ ମାତ୍ର ୩ କୋଟି ଟଙ୍କା ଆୟ କରିଛି।
ଅଧିକ ପଢ଼ନ୍ତୁ: କ୍ୟାନ୍ସେଲ୍ ହେଲା ରଜନୀକାନ୍ତଙ୍କ ଏହି ଫିଲ୍ମ; ଦର୍ଶକଙ୍କୁ ଫେରେଇଦିଆଗଲା ଟଙ୍କା
ଏହି ଚଳଚ୍ଚିତ୍ର ପ୍ରଥମ ଦୁଇ ଦିନରେ ୩.୩୩ ଏବଂ ୩.୨୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ଏହିପରି ଭାବରେ ରଜନୀକାନ୍ତଙ୍କ ଫିଲ୍ମ 'ଲାଲ୍ ସଲାମ୍' ଏପର୍ଯ୍ୟନ୍ତ ଭାରତରେ ମାତ୍ର ୯.୭୦ କୋଟି ଟଙ୍କା ସଂଗ୍ରହ କରିବାରେ ସକ୍ଷମ ହୋଇଛି।
‘ଲାଲ୍ ସଲାମ୍’ ହେଉଛି ଏକ କ୍ରୀଡା-ଡ୍ରାମା ଚଳଚ୍ଚିତ୍ର ଯେଉଁଥିରେ ବିଷ୍ଣୁ ବିଶାଲ ଏବଂ ବିକ୍ତାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ରଜନୀକାନ୍ତଙ୍କୁ କମ୍ ସ୍ଥାନ ମିଳିଛି, କିନ୍ତୁ ମୋଇଦୀନ ଭାଇଙ୍କ ଚରିତ୍ର ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ। ଚଳଚ୍ଚିତ୍ର 'ଲାଲ୍ ସଲାମ୍' ଦୁଇଟି ଧର୍ମ ମଧ୍ୟରେ ଭାଇଚାରାର ବାର୍ତ୍ତା ଦେଇଥାଏ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ସଂଗୀତ ରଚନା କରିଛନ୍ତି ଏ.ଆର୍ ରହମାନ।
ପୂର୍ବରୁ ରଜନୀକାନ୍ତଙ୍କ ଫିଲ୍ମ 'ଲାଲ୍ ସଲାମ୍' ମକର ସଙ୍କ୍ରାନ୍ତୀ ସମୟରେ ରିଲିଜ ହେବାର ଥିଲା। ସେତେବେଳେ କିନ୍ତୁ ଅନେକ ଚଳଚ୍ଚିତ୍ର ପରଦାକୁ ଆସିବାକୁ ଯାଉଥିଲା, ତେଣୁ ନିର୍ମାତା ରିଲିଜ୍କୁ ସ୍ଥଗିତ ରଖିଥିଲେ। ପ୍ରକାଶ ଥାଉକି, ରିଲିଜ ହେବା ପରେ ମଧ୍ୟ 'ଲାଲ୍ ସଲାମ' ବକ୍ସ ଅଫିସରେ ଭଲ ବ୍ୟବସାୟ କରୁନାହିଁ।
ତେବେ ରଜନୀକାନ୍ତଙ୍କୁ ଶେଷ ଥର ପାଇଁ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଜେଲର'ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ରୋଜଗାର କ୍ଷେତ୍ରରେ ବକ୍ସ ଅଫିସରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା। 'ଜେଲର୍' ବକ୍ସ ଅଫିସରେ ହିଟ୍ ହୋଇ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା।