କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା
ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି ହେଉଥିବାବେଳେ ଶୁକ୍ରବାର କାର୍ତ୍ତିକ ମାସ ଆରମ୍ଭ ହେଉଛି। ଏହାର ଅବ୍ୟବହିତ ପୂର୍ବରୁ ଓଡ଼ିଶା ବଜାରରେ ପନିପରିବା ଦରଦାମରେ ଅହେତୁକ ବୃଦ୍ଧି ଘଟିଛି। ବିଶେଷକରି ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ପରିବାରର ରୋଷେଇ ଘରୁ ପରିବା ଏକରକମ ଉଭାନ ହୋଇଯାଇଛି। ଓଡ଼ିଶାରେ ଆବଶ୍ୟକ ପରିମାଣର ପରିବା ଉତ୍ପାଦନ ହେଉ ନ ଥିବାରୁ […] The post କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା appeared first on Dharitri Odia News.
ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି ହେଉଥିବାବେଳେ ଶୁକ୍ରବାର କାର୍ତ୍ତିକ ମାସ ଆରମ୍ଭ ହେଉଛି। ଏହାର ଅବ୍ୟବହିତ ପୂର୍ବରୁ ଓଡ଼ିଶା ବଜାରରେ ପନିପରିବା ଦରଦାମରେ ଅହେତୁକ ବୃଦ୍ଧି ଘଟିଛି। ବିଶେଷକରି ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ପରିବାରର ରୋଷେଇ ଘରୁ ପରିବା ଏକରକମ ଉଭାନ ହୋଇଯାଇଛି। ଓଡ଼ିଶାରେ ଆବଶ୍ୟକ ପରିମାଣର ପରିବା ଉତ୍ପାଦନ ହେଉ ନ ଥିବାରୁ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେବେ ମହାରାଷ୍ଟ୍ର, କର୍ନାଟକ, ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁ ସେଠାରୁ ଓଡ଼ିଶାକୁ ପରିବା ଯୋଗାଣ ବିଶେଷ ପ୍ରଭାବିତ ହୋଇଛି। ରାଜ୍ୟ ସରକାର ତୁରନ୍ତ ଏହି ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ସହ ଶୀତଳଭଣ୍ଡାର ପ୍ରତିଷ୍ଠା ଭଳି ଦୀର୍ଘକାଳୀନ ପଦକ୍ଷେପ ନେଇପାରିଲେ ସ୍ଥିତି ସୁଧୁରିପାରନ୍ତା।
କାର୍ତ୍ତିକ ମାସ ଆରମ୍ଭ ହୋଇଗଲାଣି। ମାସ ସାରା ଖାଉଟି ନିରାମିଷ ଭୋଜନ ଉପରେ ନିର୍ଭର କରିବେ। ପନିପରିବା ହିଁ ଏକମାତ୍ର ଭରସା। ତେବେ ମାସ ଆରମ୍ଭରୁ ପରିବା ଦର ଖାଉଟିଙ୍କୁ ଅଣନିଃଶ୍ୱାସୀ କଲାଣି। ଦର ଏତେ ହେଲାଣି ଯେ ପରିବାରେ ହାତମାରିବାକୁ ଖାଉଟିଙ୍କୁ ଡର ଲାଗୁଛି। ପିଆଜ କନ୍ଦାଇବା ପରେ ଏବେ ପନିପରିବା ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ଗରିବ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଦରବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଛନ୍ତି। ମାସ ସାରା କେମିତି ଚଳିବେ ସମସ୍ତଙ୍କୁ ସେଇ ଚିନ୍ତା ଘାରିଛି।
ଖୁଚୁରା ବଜାରରେ କୌଣସି ପନିପରିବା ଦର କିଗ୍ରା ପିଛା ୫୦ ଟଙ୍କା ତଳକୁ ନାହିଁ। ବିଭିନ୍ନ ସ୍ଥାନରେ ଦେଖାଯାଇଥିବା ହାରାହାରି ମୂଲ୍ୟ ଅନୁସାରେ ବାଇଗଣ କିଲୋଗ୍ରାମ୍
ପିଛା ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଭେଣ୍ଡି ୮୦, କଲରା ୬୦, ଗାଜର ୫୦, କାକୁଡ଼ି ୬୦, ଟମାଟୋ ୪୦, ଝୁଡ଼ଙ୍ଗ ୧୦୦ ଟଙ୍କା, ବିନ ଛୁଇଁ ଭଳି ପରିବା ୧୦୦ ଟଙ୍କାରେ ବିକ୍ରି ହେଉଛି। କାର୍ତ୍ତିକ ମାସକୁ ଦେଖି ଖୁଚୁରା ବ୍ୟବସାୟୀ ମଧ୍ୟ ଦି’ ପଇସା ମୁନାଫା କମାଇବା ପାଇଁ ଦର କଷି ଦେଉଛନ୍ତି। ଖାଉଟି ନିରୁପାୟ ହୋଇ ଚଢ଼ାଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗରେ ବର୍ଷା ଯୋଗୁ ପନିପରିବା ଚାଷ ପ୍ରଭାବିତ ହୋଇଛି। ଓଡ଼ିଶାରେ ମଧ୍ୟ ବର୍ଷା ଯୋଗୁ ସ୍ଥାନୀୟ ଉତ୍ପାଦନ କମିଛି, ଯାହାର ପ୍ରଭାବ ପରିବା ବଜାର ଉପରେ ପଡ଼ିଛି।
ପରିବା ବ୍ୟବସାୟୀ ଲମ୍ବୋଦର ନାୟକ କହିଛନ୍ତି, ଦୀର୍ଘ ୧୫ ବର୍ଷ ହେବ ୧ ନମ୍ବର ହାଟରେ ପରିବା ବ୍ୟବସାୟ କରୁଛି। ପନିପରିବା କେବେ ୧୦୦ ଟଙ୍କା ଛୁଇଁବ ମୋର ଧାରଣା ନ ଥିଲା। ଆଗକାଳେ ସମସ୍ତେ ନିଜ ବାଡ଼ିବଗିଚାରେ ପନିପରିବା ଚାଷ କରୁଥିଲେ। କିଛି ଜଣାପଡୁ ନ ଥିଲା। ଏବେ ମାଗଣା ଚାଉଳ ପାଇବା ପରେ ଲୋକମାନେ ଚାଷବାସ ଛାଡ଼ି ଦେଲେଣି। ସମସ୍ତେ ଯଦି କିଣି ଖାଇବେ ଆସିବ କେଉଁଠୁ। ପରିବାର ଚାଷ ଖର୍ଚ୍ଚ ମଧ୍ୟ ବଢ଼ିଗଲାଣି। ଦି ପଇସା ଲାଭ ମିଳୁ ନ ଥିବାରୁ ପରିବା ଚାଷ କମିଗଲାଣି। ପଡ଼ୋଶୀ ରାଜ୍ୟ ଯାହା ଦେବେ ଓ ଯେଉଁ ଦର ନେବେ ଆମେ ବାଧ୍ୟହୋଇ କିଣିବୁ। ସେହି ଅନୁଯାୟୀ ବଜାର ଦର ଚାଲିବ। ସେହିପରି ଦିନ ମଜୁରିଆ ନଟବର ହୋତା କହିଛନ୍ତି, ଆମେ ଗରିବ ଲୋକ। ମଜୁରି ଲାଗି ପେଟ ପୋଷୁଛୁ। ଆଳୁ, ବାଇଗଣ ଟିକେ ହେଲେ କାମ ଚଳନ୍ତା। ଦର ଏତେ ବଢ଼ିଯାଇଛି ଯେ ୫ ପ୍ରାଣୀ ପରିବାର କେମିତି ଚଳିବୁ କିଛି ବୁଦ୍ଧିବାଟ ଦିଶୁନି।
କୃଷି ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ମାତ୍ର ୬.୮୮ ଲକ୍ଷ ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ବର୍ଷକୁ ୯୪.୭୦ ଲକ୍ଷ ମେଟ୍ରିକ ଟନ ପନିପରିବା ଉତ୍ପାଦନ ହେଉଛି। ସଂରକ୍ଷଣ ଅଭାବରୁ ଚାଷୀମାନେ ସେମାନଙ୍କ ଉତ୍ପାଦନ ମୂଲ୍ୟ ପାଉନାହାନ୍ତି। ଚାଷୀ ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପାଉ ନ ଥିବାରୁ ପନିପରିବା ଚାଷ ପ୍ରତି ସୋମନଙ୍କ ଆଗ୍ରହ ଦେଖିବାକୁ ମିଳୁନାହିଁ। ଏଥିଯୋଗୁ ଆଳୁ ପିଆଜଠାରୁ ଆରମ୍ଭକରି ପନିପରିବା ଉପରେ ପଡ଼ୋଶୀ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରିବାକୁ ପଡୁଛି। ପଡ଼ୋଶୀ ରାଜ୍ୟର ଉତ୍ପାଦନ ଓ ପାଣିପାଗ ଉପରେ ଓଡ଼ିଶାର ବଜାର ଦର ନିର୍ଭର କରୁଛି। ସରକାରୀ ପ୍ରୋତ୍ସାହନ ନ ଥିବାରୁ ଚାଷୀମାନେ ଉତ୍ପାଦିତ ଫସଲର ସଂରକ୍ଷଣ ଓ ବିକ୍ରି ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
The post କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା appeared first on Dharitri Odia News.