କାଲି ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ: ପ୍ରବଳ ବର୍ଷା ପାଇଁ ସ୍କୁଲ ବନ୍ଦ, ଜାରି ହେଲା ଆଲର୍ଟ

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ବୁଧବାର ବେଙ୍ଗାଲୁରୁରେ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ସହରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

କାଲି ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ: ପ୍ରବଳ ବର୍ଷା ପାଇଁ ସ୍କୁଲ ବନ୍ଦ, ଜାରି ହେଲା ଆଲର୍ଟ

ଆସନ୍ତାକାଲି ବେଙ୍ଗାଲୁରୁରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବ। ଏମ ଚିନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ମ୍ୟାଚ ଉପରେ ବର୍ଷାର କଳାବାଦଲ ଘୋଟାଇ ଆସିଛି। ମଙ୍ଗଳବାର ଠାରୁ ବେଙ୍ଗାଲୁରୁରେ ବର୍ଷା ଆରମ୍ଭ ହୋଇଯାଇଛି।

ଆସନ୍ତାକାଲି ବେଙ୍ଗାଲୁରୁରେ ଆହୁରି ପ୍ରବଳ ବର୍ଷାର ଆଶଙ୍କା ରହିଛି। ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିବା ପରେ ଆସନ୍ତାକାଲି ବେଙ୍ଗାଲୁରୁରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ସେହିପରି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ବିଭିନ୍ନ କମ୍ପାନୀର କର୍ମଚାରୀଙ୍କୁ ଅଫିସ ବଦଳରେ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ତେଣୁ ଆସନ୍ତାକାଲି ମ୍ୟାଚ୍‌ ହେବ କି ନାହିଁ, ତା’କୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ବୁଧବାର ବେଙ୍ଗାଲୁରୁରେ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ସହରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମଙ୍ଗଳବାର ମଧ୍ୟ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି।

ପ୍ରବଳ ବର୍ଷା ଯୋଗୁ ଭରଥୁର, ହେବ୍ବାଲ ଓ କାଡୁବେସାନାହାଲିରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। କେଆର ପୁରମକୁ ସଂଯୋଗ କରୁଥିବା ହେବ୍ବାଲ ଫ୍ଲାଏଓଭରକୁ ଟ୍ରାଫିକ ସମସ୍ୟା ପାଇଁ କିଛି ସମୟ ବନ୍ଦ କରାଯାଇଥିଲା।

ସରକାର କହିଛନ୍ତି ଯେ ଆସନ୍ତାକାଲି ସ୍କୁଲ ଓ ଅଙ୍ଗନୱାଡିକୁ ଛୁଟି ଘୋଷଣା କରାଯାଇଥିବା ବେଳେ କଲେଜନଗୁଡ଼ିକ ଖୋଲା ରହିବ। ତେବେ କଲେଜର ପ୍ରିନ୍ସିପାଲଙ୍କୁ ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି।

ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନଲାଇନ କ୍ଲାସ ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ପ୍ରାଥମିକ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ପିଲାମାନଙ୍କୁ ଦିଆଯାଇଥିବା ପାଠକୁ ଘରେ ରହି ଶେଷ କରିବାକୁ କୁହାଯାଇଛି।

ବର୍ଷାକୁ ଦୃଷ୍ଟିରେ ରଖି ବିବିଏମପି ତା’ର ୮ଟି ଯାକ ଜୋନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି। ଏଥିସହ ୧୫୩୩ ହେଲଲାଇନ ନମ୍ବର ଜାରି କରିଛି। ଆଜି ବର୍ଷା ଯୋଗୁ ଏକାଧିକ ସ୍ଥାନରେ ଗଛ ମଧ୍ୟ ଉପୁଡ଼ି ପଡ଼ିଛି।