କାଲି ହାତ ଛାଡ଼ି ଥିଲେ, ଆଜି ପଦ୍ମ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୋହୂ

ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ବଂଶୀଲାଲଙ୍କ ବୋହୂ କିରଣ ଚୌଧୁରୀ ଆଜି ବିଜେପିରେ ସାମିଲ ହୋଇଛନ୍ତି।

କାଲି ହାତ ଛାଡ଼ି ଥିଲେ, ଆଜି ପଦ୍ମ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୋହୂ

ହରିଆଣାରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହଳଚଲ ବଢ଼ିଛି। କଂଗ୍ରେସର ବରିଷ୍ଟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ବଂଶୀଲାଲଙ୍କ ବୋହୂ କିରଣ ଚୌଧୁରୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ପୂର୍ବତନ ସାଂସଦ ତଥା ଝିଅ ଶ୍ରୁତି ଚୌଧୁରୀ ମଧ୍ୟ ପଦ୍ମ ଧରିଛନ୍ତି। ଉଭୟ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ବୁଧବାର ରାଜଧାନୀ ଦିଲ୍ଲୀରେ ଉଭୟ ବିଜେପି ସାଂସଦ ମନୋହର ଲାଲ ଖଟ୍ଟର ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ସାଇନିଙ୍କ ଉପସ୍ଥିତିରେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଏହା ସହିତ ହରିଆଣାର ତିନି ଲାଲ ଦେବୀ ଲାଲ, ଭଜନ ଲାଲ ଏବଂ ବଂଶିଲାଲଙ୍କ ପରିବାର ବିଜେପିରେ ଯୋଗ ଦେଇଛନ୍ତି।

କିରଣ ଚୌଧୁରୀ ଏବଂ ଶ୍ରୁତି ଚୌଧୁରୀ ବିଜେପିରେ ଯୋଗଦେବା ପରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଆଜି ରାଜ୍ୟ ପାଇଁ ଏକ ଐତିହାସିକ ଦିନ। ରାଜ୍ୟର ଦୁଇଜଣ ବିଶିଷ୍ଟ ବ୍ୟକ୍ତି କିରଣ ଏବଂ ଶ୍ରୁତି ବିଜେପିର ସଦସ୍ୟ ଭାବରେ ଯୋଗ ଦେଇଛନ୍ତି।

ସେ କହିଛନ୍ତି ଯେ ଆମେ ବଂଶୀଲାଲଙ୍କ ସହ କାମ କରିବା ପରଠାରୁ ମୁଁ କିରଣ ଚୌଧୁରୀଙ୍କୁ ଜାଣିଛି। ଯଦିଓ ଆମେ ସାଧାରଣତଃ ବିଧାନସଭାରେ ପରସ୍ପର ମୁହାଁମୁହିଁ ବସିଥିଲୁ, କିନ୍ତୁ ସମୟ ସହିତ ଆମେ କ’ଣ କହିବାକୁ ଚାହୁଁଥିଲୁ ଏବଂ କ’ଣ କରିବାକୁ ଚାହୁଁଥିଲୁ ତାହା ବୁଝିଲୁ।