କାଲିଠୁ ଆରମ୍ଭ ଧନୁଯାତ୍ରା: ଚାଲିବ କଂସ ମହାରାଜାଙ୍କ ଶାସନ

ବରଗଡ଼,୧୪।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ହେବ ଏବଂ ଏହି ସମୟ ଅବଧିରେ ବରଗଡ଼ରେ କଂସ ରାଜୁତି ଚାଲିବ। ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। କଳାକାରଙ୍କ ପୂର୍ବାଭ୍ୟାସ ଶେଷ ହୋଇଥିବା ବେଳେ ମାହୁନ୍ତଙ୍କ ସହିତ ହାଟି, ୫ ଘୋଡ଼ା ଏବଂ ୪ଟି ଓଟ ପହଞ୍ଚି ସାରିଛନ୍ତି । ସେହିପରି ବରଗଡ଼ ଏବଂ ଅମ୍ବାପାଲି ମଧ୍ୟରେ ପ୍ରବାହିତ […] The post କାଲିଠୁ ଆରମ୍ଭ ଧନୁଯାତ୍ରା: ଚାଲିବ କଂସ ମହାରାଜାଙ୍କ ଶାସନ appeared first on Dharitri Odia News.

କାଲିଠୁ ଆରମ୍ଭ ଧନୁଯାତ୍ରା: ଚାଲିବ କଂସ ମହାରାଜାଙ୍କ ଶାସନ

ବରଗଡ଼,୧୪।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ହେବ ଏବଂ ଏହି ସମୟ ଅବଧିରେ ବରଗଡ଼ରେ କଂସ ରାଜୁତି ଚାଲିବ। ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। କଳାକାରଙ୍କ ପୂର୍ବାଭ୍ୟାସ ଶେଷ ହୋଇଥିବା ବେଳେ ମାହୁନ୍ତଙ୍କ ସହିତ ହାଟି, ୫ ଘୋଡ଼ା ଏବଂ ୪ଟି ଓଟ ପହଞ୍ଚି ସାରିଛନ୍ତି ।

ସେହିପରି ବରଗଡ଼ ଏବଂ ଅମ୍ବାପାଲି ମଧ୍ୟରେ ପ୍ରବାହିତ ଜୀରାନଦୀ ଯମୁନା ନଦୀ ହେବ। ମଥୁରାନଗରୀର ୧୫ ଏବଂ ଗୋପପୁରର ୯ଟି ଖୋଲାମଞ୍ଚରେ ଧନୁଯାତ୍ରା ଦୃଶ୍ୟାଭିନୟ ଅଭିନୀତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଯାଇଛି। ବରଗଡ଼ ହାଟପଦାରେ ରାଜ ଦରବାର ଏବଂ ସ୍ଥାନୀୟ ନିଶାମଣି ସ୍କୁଲ ସମ୍ମୁଖ ସୁଦୃଶ୍ୟ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ମଞ୍ଚ ପ୍ରସ୍ତୁତ ହୋଇସାରିଛି । ବିଗତବର୍ଷ ଭଳି ଏଥର ମଧ୍ୟ ହାଟପଦା ମଞ୍ଚରେ ମହୋତ୍ସବର ପ୍ରଥମ ୭ଦିନ ପାଇଁ ରାଜ ଦରବାର ଏବଂ ଶେଷ ୪ଦିନ ପାଇଁ ରଙ୍ଗ ମହଲ ଦୃଶ୍ୟାଭିନୟ ଅଭିନୀତ ହେବ। ସେହିପରି ଅନ୍ତିମ ୪ଦିନ ନିଶାମଣି ହାଇସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡ଼ିଆ ରାଜ ଦରବାର ସାଜିବ। ତେବେ ସୋମବାରରୁ ମଥୁରାନଗରୀ ଏବଂ ବୁଧବାରରୁ ଗୋପପୁର ଦୃଶ୍ୟାଭିନୟ ଅଭିନୀତ ହେବ।
ପରମ୍ପରା ଦୃଷ୍ଟିରୁ ଅନ୍ୟବର୍ଷ ଭଳି ଏଥର ମଧ୍ୟ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସୋମବାର ସନ୍ଧ୍ୟା ୭ଟାରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୨ଟାରୁ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀଛକ କଲ୍ୟାଣ ମଣ୍ଡପରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହିତ ତଳିପଡ଼ା ସମଲେଶ୍ୱରୀ ମନ୍ଦିର ଅଭିମୁଖେ ଯିବ । ସେଠାରୁ ଶୋଭାଯାତ୍ରା ପୁଣି ହାଟପଦାସ୍ଥିତ ରାଜ ଦରବାରକୁ ଯିବ ଏବଂ ଉଦଘାଟନ ପରେ ଧନୁଯାତ୍ରା ଦୃଶ୍ୟାଭିନୟ ଆରମ୍ଭ ହେବ । ତେବେ ଏଥର ରାଜ ମହଲ ପରିବର୍ତ୍ତନ ହୋଇଛି । ଦୀର୍ଘବର୍ଷ ଧରି ମାରୱାଡ଼ି ଧର୍ମଶାଳା ଧନୁଯାତ୍ରା ସମୟରେ ରାଜ ମହଲ ହେଉଥିଲା । ସେଠାରେ କଂସଙ୍କ ସମେତ ଅନ୍ୟ ପାର୍ଶ୍ୱ କଳାକାର ରହୁଥିଲେ ଏବଂ ବେଶଭୂଷା ହୋଇ ଦୃଶ୍ୟାଭିନୟ ପାଇଁ ମଞ୍ଚ ଅଭିମୁଖେ ବାହାରୁଥିଲେ । କିନ୍ତୁ ଏଥର ସ୍ଥାନୀୟ ଲମ୍ବା ବିଲଡ଼ିଂ ରାସ୍ତାପାର୍ଶ୍ୱରେ ରହିଥିବା ଜି.ଡ଼ି ଗୋୟଲ ଧର୍ମଶାଳା ରାଜ ମହଲ ପାଲଟିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ ସୂଚନା ଦେଇଛନ୍ତି।

The post କାଲିଠୁ ଆରମ୍ଭ ଧନୁଯାତ୍ରା: ଚାଲିବ କଂସ ମହାରାଜାଙ୍କ ଶାସନ appeared first on Dharitri Odia News.