କାଲିଠୁ ବିଧାନସଭାର ବଜେଟ ଅଧିବେଶନ : ମୁତୟନ ହେବେ୩୦ ପ୍ଲାଟୁନ ଫୋର୍ସ, ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ DGP

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ଥିବାବେଳେ ଜୁଲାଇ ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ମୋହନ ମାଝୀ ସରକାରଙ୍କର ଏହା ପ୍ରଥମ ବିଧାନସଭା ଅଧିବେଶନ। ତେବେ ବିଧାନସଭା ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ। ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର […]

କାଲିଠୁ ବିଧାନସଭାର ବଜେଟ ଅଧିବେଶନ : ମୁତୟନ ହେବେ୩୦ ପ୍ଲାଟୁନ ଫୋର୍ସ, ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ DGP
3-Tier Security Ring Thrown Around Odisha Assembly For Budget Session From Tomorrow

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ଥିବାବେଳେ ଜୁଲାଇ ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ମୋହନ ମାଝୀ ସରକାରଙ୍କର ଏହା ପ୍ରଥମ ବିଧାନସଭା ଅଧିବେଶନ।

ତେବେ ବିଧାନସଭା ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ। ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିଶନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ବିଭାଗ ଆଇଜି ଅନୁପ ସାହୁ, ଡିସିପି ପ୍ରତୀକ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏହି ଅଧିବେଶନ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯିବ।

ବଜେଟ ଅଧିବେଶନ ସମୟରେ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଏସ୍‌ଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ୍‌ ସ୍କ୍ୱାଡ, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ର ମଣ୍ଡପ ଛକ ଓ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜା ଯାଇଛି। ଆନ୍ଦୋଳନକାରୀଙ୍କଠାରୁ ଆରମ୍ଭ କରି ସନ୍ଦିଗ୍ଧ, ସମସ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ। ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍‌, ରବୀନ୍ଦ୍ର ମଣ୍ଡପ ଗେଟ୍‌, ଲୋୟର ପିଏମ୍‌ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି।‌

ଏହା ସହ ଡିସିପି ଙ୍କ ନେତୃତ୍ୱରେ ୬ ଜଣ ଅତିରିକ୍ତ ଡିସିପି,୧୯ ଜଣ ଏସିପି,୨୪ ଇନ୍ସପେକ୍ଟର, ୮୫ ଜଣ ସବ୍‌-ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିବେ। ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଆହୋରାତ୍ର ଜଗିବେ। ବିଧାନସଭା ଛାତ ଉପରେ ରୁଫ-ଟଫ ପୁଲିସ ରହିବେ। ପ୍ରବେଶ ପଥରେ ଚେକପୋଷ୍ଟ କରାଯିବା ସହିତ ବିଧାନସଭାକୁ ସଂଯୋଗ କରୁଥିବା ରୁଟକୁ ଡାଇଭର୍ଟ କରାଯିବ ।

ଏଥି ସହିତ ଧାରଣା ସ୍ଥଳର ଅତି ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଆବାସ ରହିଥିବା କାରଣରୁ ତାର ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଧିକ ଫୋର୍ସ ସୁରକ୍ଷା ଦା୍ୱିତ୍ୱ ରେ ରହିବେ। ଏହା ସହ ଧାରଣା ସ୍ଥଳ କିମ୍ୱା ବିଧାନସଭା ପାରିପାର୍ଶ୍ଵରେ ଆତ୍ମହତ୍ୟା ଉଦ୍ୟମ ପାଇଁ ଆସିଛି ସ୍ଵତନ୍ତ୍ର ଅପରାଧ ଆଇନ। ଏହା ଲାଗୁ କରାଯିବ। ବିଧାନସଭା ଭିତର ଓ ବାହାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେପଟେ ବଜେଟ ଅଧିବେଶନ ପୂର୍ବରୁ ଆଜି ବସିଥିଲା ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ। ସେହିପରି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ।