କାହିଁକି କୁମାର ପୂର୍ଣ୍ଣିମାରେ ଦେଖାଗଲା ବର୍ଷର ସବୁଠୁ ବଡ଼ ଏବଂ ଉଜ୍ଜ୍ୱଳମୟ ଜହ୍ନ?

ଗତକାଲିର ଜହ୍ନ ସାଧାରଣ ଅପେକ୍ଷା ପ୍ରାୟ ୧୪% ବଡ଼ ଏବଂ ୩୦% ଅଧିକ ଉଜ୍ଜ୍ୱଳ ଦେଖାଯାଇଥିଲା।

କାହିଁକି କୁମାର ପୂର୍ଣ୍ଣିମାରେ ଦେଖାଗଲା ବର୍ଷର ସବୁଠୁ ବଡ଼ ଏବଂ ଉଜ୍ଜ୍ୱଳମୟ ଜହ୍ନ?

ଅକ୍ଟୋବର ୧୭ରେ ଅର୍ଥାତ୍ କୁମାର ପୂର୍ଣ୍ଣିମା ବା ଶରତ ପୂର୍ଣ୍ଣିମା ରାତିରେ ଚନ୍ଦ୍ରର ଚମତ୍କାର ଦୃଶ୍ୟରେ ବିଭୋର ହୋଇଛନ୍ତି ପୃଥିବୀବାସୀ। ଗତକାଲି ରାତିର ଜହ୍ନ ଏତେ ଉଜ୍ଜ୍ୱଳ ଥିଲା ଯେ, ରାତି ଦିନର ଭ୍ରମ ସୃଷ୍ଟି କରିଥିଲା। ଅନେକ ଲୋକ ଜ୍ୟୋସ୍ନାଲୋକର ଏହି ସୁନ୍ଦର ଦୃଶ୍ୟକୁ କ୍ୟାମେରାରେ ସାଇତି ରଖିଛନ୍ତି।

ତେବେ ଚନ୍ଦ୍ରମା ଏପରି ଉଜ୍ଜ୍ୱଳମୟ ହେବା ପଛରେ ବୈଜ୍ଞାନିକ କାରଣ ରହିଛି। ଗତକାଲି ଚନ୍ଦ୍ର ପୃଥିବୀର ନିକଟତର ହୋଇଥିବାରୁ ଅଧିକ ଉଜ୍ଜ୍ୱଳମୟ ଦେଖା ଯାଇଥିଲା। ଏହାକୁ ହଣ୍ଟର ମୁନ୍ ବୋଲି କୁହାଯାଏ। 

ବୈଜ୍ଞାନିକଙ୍କ କହିବା ଅନୁସାରେ, ଗୁରୁବାର ରାତିରେ ଚନ୍ଦ୍ର ପୃଥିବୀଠାରୁ ମାତ୍ର ୩,୫୧,୫୧୯ କିଲୋମିଟର ଦୂରରେ ଥିଲା। ଫଳରେ ଜହ୍ନ ସାଧାରଣ ଅପେକ୍ଷା ପ୍ରାୟ ୧୪% ବଡ଼ ଏବଂ ୩୦% ଅଧିକ ଉଜ୍ଜ୍ୱଳ ଦେଖାଯାଇଥିଲା।

ଭାରତର ବିଭିନ୍ନ ପ୍ରାନ୍ତରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ଭାରତ ନୁହେଁ ପୃଥିବୀର ଅନ୍ୟ ରାଷ୍ଟ୍ର ଯେପରି ନ୍ୟୁଜିଲ୍ୟାଣ୍ଡ, ଜାପାନ ଏବଂ ଅଷ୍ଟ୍ରେଲିଆ ସମେତ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଜହ୍ନର ଉଜ୍ଜ୍ୱଳମୟ ଦୃଶ୍ୟ ଦେଖାଯାଇଛି।

କାହିଁକି ଏହି ଜହ୍ନକୁ ହଣ୍ଟର ମୁନ୍ କୁହାଯାଏ?
ଗୁରୁବାର ଦେଖାଯାଇଥିବା ସୁପରମୁନକୁ ହଣ୍ଟର୍ ମୁନ୍ ମଧ୍ୟ କୁହାଯାଏ। କାରଣ ଏହି ସମୟରେ ଗଛରୁ ପତ୍ରଝଡ଼ା ଦେଇଥାଏ, ଯାହାକୁ ଶୀତ ଆରମ୍ଭର ସଙ୍କେତ ବୋଲି ବିବେଚନା କରାଯାଏ। ପ୍ରାଚୀନ କାଳର ଲୋକମାନେ ଏହି ସମୟରେ ଶିକାର କରିବାକୁ ଯାଆନ୍ତି। ସେଥିପାଇଁ ଏହି ସମୟର ଜହ୍ନକୁ ହଣ୍ଟର ମୁନ୍ କୁହାଯାଏ।