କାହିଁକି ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ହୋଇପାରିବେ ନାହିଁ ଧୋନି? ଜାଣନ୍ତୁ କାରଣ

ଧୋନି ଚାହିଁଲେ ମଧ୍ୟ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ।

କାହିଁକି ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ହୋଇପାରିବେ ନାହିଁ ଧୋନି? ଜାଣନ୍ତୁ କାରଣ

ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍‌ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଜୁନ ୨ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ ଶେଷ ହେବା ପରେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳରେ ମଧ୍ୟପୂର୍ଣ୍ଣଚ୍ଛେଦ ପଡ଼ିବ। ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ମୁଖ୍ୟ କୋଚ୍ ପଦ ପାଇଁ ବିସିସିଆଇ ଦରଖାସ୍ତ ଆହ୍ୱାନ କରିଥିଲା। ମେ’ ୨୭ ଆବେଦନର ଶେଷ ତାରିଖ ରହିଥିଲା।

ବିସିସିଆଇ ପାଖକୁ ପ୍ରାୟ ୩ ହଜାରରୁ ଅଧିକ ଆବେଦନପତ୍ର ଆସିଛି। ଏହା ମଧ୍ୟରୁ ଅଧିକାଂଶ ଫେକ ନାଁରେ ଆସିଥିବା ଜଣାପଡ଼ିଛି। ତେବେ ବିସିସିଆଇ କେତୋଟି ବୈଧ ଆବେଦନପତ୍ର ପାଇଛି, ସେକଥା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସୋଶାଲ ମିଡିଆରେ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଟିମର ମୁଖ୍ୟ କୋଚ୍‌ ସମ୍ଭାଳନ୍ତୁ ବୋଲି ଗୋଟିଏ ଟ୍ରେଣ୍ଡ ଆରମ୍ଭ ହୋଇଛି।

ତେବେ ଧୋନି ଚାହିଁଲେ ମଧ୍ୟ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ। ବିସିସିଆଇର ନିୟମ କହୁଛି ଯେ ମୁଖ୍ୟ କୋଚ୍‌ ପାଇଁ ଆବେଦନ କରୁଥିବା ବ୍ୟକ୍ତି ପ୍ରଥମେ କ୍ରିକେଟର ସବୁ ପ୍ରକାରର ଫର୍ମାଟରୁ ଅବସର ନେଇଥିବା ଦରକାର।

ଧୋନି ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। କିନ୍ତୁ ସେ ଏବେ ବି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଛନ୍ତି। ତେଣୁ ସେ କେବେ ହେଲେ ବି ମୁଖ୍ୟ କୋଚ୍‌ ପଦ ପାଇଁ ଚୟନ ହୋଇପାରିବେ ନାହିଁ।

ମୁଖ୍ୟ କୋଚ୍‌ ନ ହେଲେ ମଧ୍ୟ ଧୋନି ଟିମ ଇଣ୍ଡିଆ ସହ ଯୋଡ଼ି ହୋଇପାରିବେ। କାରଣ ପୂର୍ବରୁ ମଧ୍ୟ ଏମିତି ଘଟିଥିଲା। ୨୦୨୧ ଟି-୨୦ ବିଶ୍ୱକପ ସମୟରେ ଧୋନିଙ୍କୁ ଟିମ ଇଣ୍ଡିଆର ମାର୍ଗଦର୍ଶକ ଭାବେ ନିଯୁକ୍ତ କରାଯାଇଥିଲା। ହେଲେ ଭାରତୀୟ ଟିମ ଗ୍ରୁପ ଷ୍ଟେଜରୁ ହିଁ ବିଶ୍ୱକପରୁ ବିଦାୟ ନେଇଥିଲା।

କୁହାଯାଉଥିଲା ଯେ ୨୦୨୪ ଆଇପିଏଲ ପରେ ଧୋନି ଅବସର ନେଇଯିବେ। କିନ୍ତୁ ୨୦୨୪ ଆଇପିଏଲରେ ଧୋନିଙ୍କ ପ୍ରଦର୍ଶନ ଦମଦାର ଥିଲା। ସେ ୧୧ଟି ଇନିଂସରେ ମାତ୍ର ୩ ଥର ଆଉଟ ହୋଇଛନ୍ତି।

ସେହିପରି ସେ ୨୨୦ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଥିଲେ। ୨୦୨୪ ଆଇପିଏଲ ପରେ ମଧ୍ୟ ସେ ଅବସର ଘୋଷଣା କରି ନାହାନ୍ତି। ତେଣୁ ୨୦୨୫ରେ ସେ ଆଇପିଏଲ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଧୋନି ଆଇପିଏଲରୁ ଅବସର ନ ନେବା ପର୍ଯ୍ୟନ୍ତ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବାକୁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ।