ଭବାନୀପାଟଣାରୁ ଅପହରଣ, ଭୁବନେଶ୍ୱରରୁ ମିଳିଲା ଝୁଲନ୍ତା ମୃତଦେହ; ପ୍ରେମିକ ଫେରାର

କୋରାପୁଟ ଦାମନଯୋଡ଼ି ଥାନା ମାଥାଲପୁଟ ଗାଁର ଜ୍ୟୋତିରେଖା ପରିଡ଼ା ଏମ୍‌ସିଏ ପାସ୍‌ କରିଛନ୍ତି। ତାଙ୍କୁ ଭଲ ପାଉଥିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବଣତୁମ୍ୱ ଗାଁର ପ୍ରିୟ ରଞ୍ଜନ ପାତ୍ର। ଉଭୟଙ୍କ ଭଲ ପାଇବା ଦୀର୍ଘ ଦିନର। କିନ୍ତୁ ଏଥିରେ ପରିବାର ଲୋକେ ରାଜି ନଥିଲେ।

ଭବାନୀପାଟଣାରୁ ଅପହରଣ, ଭୁବନେଶ୍ୱରରୁ ମିଳିଲା ଝୁଲନ୍ତା ମୃତଦେହ; ପ୍ରେମିକ ଫେରାର

ଭବାନୀପାଟଣାରୁ ହୋଇଥିଲା ଅପହରଣ। ଆଉ ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟର ଆଉଟ୍‌ହାଉସ୍‌ରୁ ମିଳିଲା ମୃତଦେହ। ହେଲେ ପ୍ରେମିକ ଫେରାର। ମୃତଦେହ ମିଳିବା ପରେ ଯୁବତୀଙ୍କ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଅପହରଣ କରି ଭୁବନେଶ୍ୱରରେ ଝିଅକୁ ମାରିଦେଲା ବୋଲି ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

କୋରାପୁଟ ଦାମନଯୋଡ଼ି ଥାନା ମାଥାଲପୁଟ ଗାଁର ଜ୍ୟୋତିରେଖା ପରିଡ଼ା ଏମ୍‌ସିଏ ପାସ୍‌ କରିଛନ୍ତି। ତାଙ୍କୁ ଭଲ ପାଉଥିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବଣତୁମ୍ୱ ଗାଁର ପ୍ରିୟ ରଞ୍ଜନ ପାତ୍ର। ଉଭୟଙ୍କ ଭଲ ପାଇବା ଦୀର୍ଘ ଦିନର। କିନ୍ତୁ ଏଥିରେ ପରିବାର ଲୋକେ ରାଜି ନଥିଲେ। ଯେଉଁଥିପାଇଁ ଉଭୟଙ୍କ ପ୍ରେମରେ ସାମାନ୍ୟ ଭଟ୍ଟା ପଡ଼ିଥିଲା। ସେଥିପାଇଁ ଜ୍ୟୋତିରେଖାଙ୍କ ପରିବାର ଲୋକଙ୍କୁ ମିଳୁଥିଲା ଧମକ। ଅଭିଯୋଗ ଅନୁସାରେ ଜ୍ୟୋତିରେଖାଙ୍କୁ ତାଙ୍କ ସମ୍ପର୍କୀୟ ଘର ଭବାନୀପାଟଣାରେ ଛାଡ଼ିଥିଲେ ପରିବାର ଲୋକ। ଗତ ଫେବ୍ରୁଆରୀରେ ପ୍ରିୟରଞ୍ଜନ ଓ ତାଙ୍କର ଦୁଇ ଜଣ ସାଥୀ ଭବାନୀପାଟଣା ଯାଇଥିଲେ। ଆଉ ସେଠାରୁ ଜ୍ୟୋତିରେଖାଙ୍କୁ ଅପହରଣ କରିଥିଲେ। ଅପହରଣ ନେଇ ସେତେବେଳେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ଅପହରଣ ପରେ ଜ୍ୟୋତିରେଖାଙ୍କୁ ତାଙ୍କ ନିଜ ଘରକୁ ନେଇନଥିଲେ ପ୍ରିୟ ରଞ୍ଜନ। ରାଜଧାନୀ ଭୁବନେଶ୍ୱରରେ ଏଠି ସେଠି ଘର ଭଡ଼ା ନେଇ ରହୁଥିଲେ। ତେବେ ରାକ୍ଷୀ ପୂର୍ଣ୍ଣିମାଠାରୁ ଉଭୟରେ ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ୍‌ହାଉସରେ ରହୁଥିଲେ। ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ କହିବା ଅନୁସାରେ ଜ୍ୟୋତିରେଖା ଓ ତାଙ୍କ ପ୍ରେମିକ ପ୍ରିୟଙ୍କୁ ଦିନ ବେଳାରେ କେବେ ଦେଖିବାକୁ ପାଆନ୍ତି ନାହିଁ। ତେବେ ଗୁରୁବାର ରାତିରେ ଆପାର୍ଟମେଣ୍ଟ ସୋଶାଇଟି ମେମ୍ୱରମାନେ ଆଉଟ୍‌ହାଉସ୍‌ରେ ଝୁଲନ୍ତା ମୃତଦେହ ଦେଖି ଖଣ୍ଡଗିରି ଥାନା ପୁଲିସ୍‌କୁ ଖବର ଦେଇଥିଲେ।

କମିଶନରେଟ୍‌ ପୁଲିସ୍‌ ଆଉଟ୍‌ହାଉସ୍‌ରେ ପହଞ୍ଚି ଝୁଲନ୍ତା ମୃତଦେହ ଜବତ କରିଥିଲା। ହେଲେ ଘରେ ପ୍ରେମିକ ପ୍ରବର ପ୍ରିୟରଞ୍ଜନଙ୍କୁ ଦେଖିବାକୁ ମିଳିନଥିଲା। ପୁଲିସ୍‌ ଘରୁ ଭିତରୁ ଗୋଟିଏ ଆପିଡେଭିଟ୍‌ ଜବତ କରିଥିଲା। ଯେଉଁ ତଥ୍ୟ ଆଧାରରେ ପୁଲିସ୍‌ ସୁନାବେଡ଼ା ଥାନାକୁ ସୂଚନା ଦେଇଥିଲା। ରାତି ପ୍ରାୟ ୨ଟା ବେଳେ ସୁନାବେଡ଼ା ଥାନା ପୁଲିସ୍‌ ଜ୍ୟୋତିରେଖାଙ୍କ ବାପା ମଙ୍ଗୁଳୁ ପରିଡ଼ାଙ୍କୁ ଝିଅ ମୃତ୍ୟୁ ନେଇ ଖବର ଦେଇଥିଲା। ଝିଅ ମୃତ୍ୟୁ ଖବର ଶୁଣି ମଙ୍ଗୁଳୁ ଓ ତାଙ୍କ ପରିବାର ଲୋକଙ୍କ ଅକଲ୍‌ ଗୁଡୁମ ହୋଇଯାଇଥିଲା।

କାଳ ବିଳମ୍ୱ ନକରି ରାତିରେ ସେମାନେ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ। ଆଉ ଝିଅର ଝିଲନ୍ତା ମୃତଦେହ ଦେଖି ବିଶ୍ୱାସ କରିପାରିଲେ ନାହିଁ। ଜ୍ୟୋତିରେଖାଙ୍କ ବାପାଙ୍କ କହିବା ଅନୁସାରେ ସିଏ(ଜ୍ୟୋତିରେଖା) ଆତ୍ମହତ୍ୟା କରିନି। ତାକୁ ମାରି ଟାଙ୍ଗି ଦିଆଯାଇଛି। ଯିଏ ଝୁଲିକି ଆତ୍ମହତ୍ୟା କରିବ, ସିଏ କ’ଣ ଟେବୁଲ୍‌ ଉପରେ ବସିକି ଆତ୍ମହତ୍ୟା କରିବ କି? ତାକୁ ମାରି ଦିଆଯାଇଛି ବୋଲି ଜ୍ୟୋତିରେଖାଙ୍କ ବାପା ଅଭିଯୋଗ କରିଛନ୍ତି।