ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ନିଆଁ, ଜଳିଗଲା ପୂର୍ବତନ IAS ଅଧିକାରୀଙ୍କ ଘର

ପୂର୍ବତନ ଆଇଏଏସ୍ ଅଧିକାରୀଙ୍କ ଘରର ଦୂରତା ସିଏମ୍ ବାସଭବନରୁ ପ୍ରାୟ ୧୦୦ମିଟର। ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ସିଏମ୍ ବାସଭବନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ନିଆଁ, ଜଳିଗଲା ପୂର୍ବତନ IAS ଅଧିକାରୀଙ୍କ ଘର

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନକଟରେ ଭୟଙ୍କର ଅଗ୍ନିକାଣ୍ଡ। ହୁ ହୁ ହୋଇ ଜଳି ଉଠିଲା ରାଜଧାନୀ ଇମ୍ଫାଲରେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କ ସରକାରୀ ଆବାସ ପାଖରେ ଥିବା ଏକ ଖାଲି ଘର। ଶନିବାର ସନ୍ଧ୍ୟାରେ ଏହିଁ ନିଆଁ ଲାଗିଛି। ଏଥିରେ ଜଣେ ପୂର୍ବତନ ଆଇଏଏସ୍‌ ଅଧିକାରୀଙ୍କ ଘର ଜଳି ଯାଇଥିବା ସୂଚନା ମିଳିଛି।

ପୁଲିସ ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଥିବା ଏହି ଖାଲି ଘର ଗୋଆର ପୂର୍ବତନ ମୁଖ୍ୟ ସଚିବ ଥାଙ୍ଗଖୋପାଓ କିପଗେନଙ୍କର ଅଟେ। ପୂର୍ବତନ ଆଇଏଏସ୍ ଅଧିକାରୀ କିପଗେନଙ୍କ ୩ ମାର୍ଚ୍ଚ ୨୦୦୫ ରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ସଦସ୍ୟ ଏହି ଘରେ ରହୁଥିଲେ। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଏଥିସହ ପୁଲିସ କହିଛି ଯେ ଏହି ଘର କୁକି ଇନ୍ କମ୍ପ୍ଲେକ୍ସ ପାଖରେ ଅବସ୍ଥିତ, ଯାହା ଇମ୍ଫାଲର ବାବୁପାରାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଅଛି। ପୂର୍ବତନ ଆଇଏଏସ୍ ଅଧିକାରୀଙ୍କ ଘରର ଦୂରତା ସିଏମ୍ ବାସଭବନରୁ ପ୍ରାୟ ୧୦୦ମିଟର। ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ସିଏମ୍ ବାସଭବନ ନିକଟରେ ଅଗ୍ନିକାଣ୍ଡ ଘଟିଥିଲା।

ସୂଚନା ମିଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସେ ନେଇ କୌଣସି ସୂଚନା ମିଳିନାହିଁ। ସଟ୍‌ ସର୍କିଟ୍‌ ଯୋଗୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଇଛି। ପୂରା ଘଟଣାର ତଦନ୍ତ ଜାରି ରହିଛି।