କିଙ୍ଗପିନଙ୍କ ସମେତ ୫ ଲୁଟେରାଙ୍କୁ ବାନ୍ଧିଲା ପୁଲିସ୍‌

ଲୁଟେରାମାନେ ଲୁଟ୍‌ କରିଥିବା ସୁନାକୁ ନିଶ୍ଚିନ୍ତକୋଇଲିରେ ଥିବା ଏକ ସୁନା ଦୋକାନୀକୁ ବିକି ଦେଇଥିଲେ। ତା’ପରେ ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ

କିଙ୍ଗପିନଙ୍କ ସମେତ ୫ ଲୁଟେରାଙ୍କୁ ବାନ୍ଧିଲା ପୁଲିସ୍‌

ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ ମାମଲାରେ କଟକ ଜଗତପୁର ଥାନା ପୁଲିସ୍‌ ମୁଖ୍ୟଅଭିଯୁକ୍ତଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରିଛି। ଏବେ ମଦ୍ୟ ଜଣେ ଫେରାର ଅଛି। ତାକୁ ଗିରଫ କରିବା ପାଇଁ ଉଦ୍ୟମ ଚଲିଥିବା କଟକ ଡିସିପି ପ୍ରକାଶ ଆର କହିଛନ୍ତି।

ଜଗତପୁର ଥାନା ପାଗା ଅଞ୍ଚଳ ଜୁଏଲେରୀ ବ୍ୟବସ୍ୟାୟୀ ଗତ ୯ ତାରିଖ ରାତି ପ୍ରାୟ ୯ଟା ବେଳେ ଦୋକାନ ବନ୍ଦ କରି ଅଳଙ୍କାର ଧରି ସ୍କୁଟିରେ ଘରକୁ ଫେରୁଥିଲେ। ଠିକ୍‌ ସେହି ସମୟରେ ୩ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ଆଉ ବ୍ଲାଙ୍କ ଫାୟାରିଂ କରିଥିଲେ। ତା’ପରେ ବ୍ୟବସାୟୀଙ୍କ ସ୍କୁଟି ଓ ୭୦୦ ଗ୍ରାମ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ଲୁଟେରାମାନେ ଲୁଟ୍‌ କରିଥିବା ସୁନାକୁ ନିଶ୍ଚିନ୍ତକୋଇଲିରେ ଥିବା ଏକ ସୁନା ଦୋକାନୀକୁ ବିକି ଦେଇଥିଲେ। ତା’ପରେ ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ।

ସେପଟେ ଗହଣା ବ୍ୟବସାୟୀ ଜଣକ ଏନେଇ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଗତକାଲି ରାତିରେ ଲୁଟେରାମାନେ ଭୁବନେଶ୍ୱରରେ ଏକ ହୋଟେଲ୍‌ରେ ମୌଜ ମଜଲିସ୍‌ କରୁଥିଲେ। ଏ ସମ୍ପର୍କରେ ଜାଣିପାରି ପୁଲିସ୍‌ ହୋଟେଲ୍‌ ଚଢ଼ଉ କରି ଲୁଟ୍‌ର ମାଷ୍ଟରମାଇଁଣ୍ଡ ସଞ୍ଜୟ ନାୟକକୁ ଗିରଫ କରିଥିଲା। ତା’ ବୟାନ୍‌ ଆଧାରରେ ପୁଲିସ୍‌ ଅନ୍ୟମାନଙ୍କୁ ଗିରଫ କରିଥିଲା। ଏଥିସହ ୧୭୦ ଗ୍ରାମ ସୁନା ଜବତ କରିଥିଲା ପୁଲିସ୍‌। ଏଥିସହ ଲୁଟ୍‌ ହୋଇଥିବା ସ୍କୁଟ୍‌ ଏବଂ ଲୁଟ୍‌ରେ ବ୍ୟବହାର ହୋଇଥିବା ବାଇକ୍‌ ଜବତ କରିଛି ପୁଲିସ୍‌। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରକାଶ ଆର।

ଡିସିପିଙ୍କ କହିବା ଅନୁସାରେ ଏହି ଲୁଟ୍‌ରେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ତାକୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ବହୁ ଶୀଘ୍ର ତାକୁ ଧରାଯିବ। ସମ୍ପୃକ୍ତ ଅଭିଯୁକ୍ତ ଧରାପଡ଼ିଲେ ବାକି ସୁନା ସମ୍ପର୍କରେ ସୂଚନା ମିଳିବ। ତେବେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ନାଁରେ କଟକ, ଭୁବନେଶ୍ୱର ଓ ପୁରୀରେ ବହୁ ଲୁଟ୍‌ ମାମଲା ରହିଛି। କିନ୍ତୁ ଗତ କିଛି ଦିନ ହେଲା ସଞ୍ଜୟ ଲୁଟ୍‌ ଶୈଳୀ ପଦଳାଇଥିଲା। କେବଳ ଗହଣା ଦୋକାନୀଙ୍କୁ ଟାର୍ଗେଟ କରୁଥିଲା ବୋଲି ଡିସିପି କହିଛନ୍ତି।