କିଡ୍‌ନୀ ରୋଗରେ ଆକ୍ରାନ୍ତ ମାନସଙ୍କ ଚିକିତ୍ସାରେ ଅର୍ଥ ବାଧକ, ସହାୟତା ପାଇଁ ସ୍ତ୍ରୀଙ୍କ ନିବେଦନ

କାଏମା,୧୪ା୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ମୁରତପୁର ଗଁାର ମାନସ ଦଳାଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ଅର୍ଥ ନ ଥିବାରୁ ତାଙ୍କର ଚିକିତ୍ସା ହୋଇ ପାରୁନାହିଁ। ୩୫ ବର୍ଷୀୟ ମାନସଙ୍କ ସ୍ତ୍ରୀ ଓ ଚାରି ଝିଅଙ୍କୁ ନେଇ ପରିବାର। ବଡ଼ ଝିଅଙ୍କୁ ୯ବର୍ଷ ବୟସ ହୋଇଥିବାବେଳେ ସାନଙ୍କୁ ମାତ୍ର ୫ ବର୍ଷ। ମାନସ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ପିଲାଙ୍କ ପାଠ ପଢ଼ା ମଧ୍ୟହୁଏ। ଏପରି […] The post କିଡ୍‌ନୀ ରୋଗରେ ଆକ୍ରାନ୍ତ ମାନସଙ୍କ ଚିକିତ୍ସାରେ ଅର୍ଥ ବାଧକ, ସହାୟତା ପାଇଁ ସ୍ତ୍ରୀଙ୍କ ନିବେଦନ appeared first on Dharitri Odia News.

କିଡ୍‌ନୀ ରୋଗରେ ଆକ୍ରାନ୍ତ ମାନସଙ୍କ ଚିକିତ୍ସାରେ ଅର୍ଥ ବାଧକ, ସହାୟତା ପାଇଁ ସ୍ତ୍ରୀଙ୍କ ନିବେଦନ

କାଏମା,୧୪ା୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ମୁରତପୁର ଗଁାର ମାନସ ଦଳାଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ଅର୍ଥ ନ ଥିବାରୁ ତାଙ୍କର ଚିକିତ୍ସା ହୋଇ ପାରୁନାହିଁ। ୩୫ ବର୍ଷୀୟ ମାନସଙ୍କ ସ୍ତ୍ରୀ ଓ ଚାରି ଝିଅଙ୍କୁ ନେଇ ପରିବାର। ବଡ଼ ଝିଅଙ୍କୁ ୯ବର୍ଷ ବୟସ ହୋଇଥିବାବେଳେ ସାନଙ୍କୁ ମାତ୍ର ୫ ବର୍ଷ। ମାନସ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ପିଲାଙ୍କ ପାଠ ପଢ଼ା ମଧ୍ୟହୁଏ। ଏପରି ସବୁ ଠିକ୍‌ଠାକ୍‌ ଚାଲିଥିବାବେଳେ ହଠାତ୍‌ ମାନସଙ୍କ ଗୋଡ଼ ଫୁଲିବା ଆରମ୍ଭ ହୋଇଥିଲା। ସେ ଡାକ୍ତରଙ୍କ ପରାମର୍ଶ କରିବା ପରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ। ତାଙ୍କର ଦୁଇଟି କିଡ୍‌ନୀ ନଷ୍ଟ ହୋଇଯାଇଛି। ୪ ମାସ ହେଲା ମାନସ ବିଛଣାରେ ପଡ଼ି ଛଟପଟ ହେଉଛନ୍ତି। ତାଙ୍କର ଚିକିତ୍ସା ପାଇଁ ଜମି, ସୁନାଗହଣା ବିକ୍ରି ହୋଇ ସାରିଲାଣି। ହେଲେ ରୋଗ ଭଲ ହେଉନି।
ସ୍ବାମୀଙ୍କ ଏଭଳି ଅବସ୍ଥାରେ ଦେଖି ତାଙ୍କ ସ୍ତ୍ରୀ ଜ୍ୟୋତି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେ କୌଣସିମତେ ସ୍ବାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏପରି କି ତାଙ୍କର ଗୋଟିଏ କିଡ୍‌ନୀ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ହେଲେ ଟଙ୍କା ଅଭାବରୁ ତାହା ହୋଇପାରୁନାହିଁ। ସ୍ବାମୀଙ୍କୁ ସେ ନିଜେ କାନ୍ଧରେ ବୋହି ଡାକ୍ତରଖାନା ନେଉଛନ୍ତି। ଘର ଚଳାଇବାକୁ ବାର ଦୁଆର ଯାଇ ଭିକ ମାଗୁଛନ୍ତି। ଆବଶ୍ୟକ ଔଷଧ ଯୋଗାଡ଼ କରିବା ପାଇଁ ଜ୍ୟୋତି ନିତିଦିନ ସଂଘର୍ଷ କରୁଛନ୍ତି। ମାନସଙ୍କ ଦେହରେ ଜ୍ୟୋତି ଓ ମାନସଙ୍କ ଭଉଣୀଙ୍କ କିଡ୍‌ନୀ ଲାଗି ପାରିବ ବୋଲି ଡାକ୍ତର କହିଥିବାବେଳେ ବିଭିନ୍ନ ପରୀକ୍ଷା ବି ସରିଛି। ହେଲେ ଏଥିପାଇଁ ଆବଶ୍ୟକ ଥିବା ଟଙ୍କା ଯୋଗାଡ଼ ଜ୍ୟୋତିଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ତେଣୁ ଜ୍ୟୋତି ସରକାର ଓ ବିଭିନ୍ନ ସଙ୍ଗଠନକୁ ସାହାଯ୍ୟ ପାଇଁ ନେହୁରା ହୋଇଛନ୍ତି। ରାଜ୍ୟ ସରକାର କିଛି ଆର୍ଥିକ ସହାୟତା ଯୋଗାଇଦେଲେ ମାନସଙ୍କ ଜୀବନ ବଞ୍ଚିପାରିବ ବୋଲି ଜ୍ୟୋତି କହିଛନ୍ତି। ଅନ୍ୟପକ୍ଷରେ ଏହି ଗଁାରେ ପାଖାପାଖି ୨୦୦ରୁ ଊଦ୍ଧର୍‌ବ ଲୋକ ରହୁଥିବାବେଳେ ଗୋଟାଏ ନଳକୂପ ଉପରେ ନିର୍ଭର କରିଥାନ୍ତି। ଏହି ପାଣି ପିଇବା ଦ୍ୱାରା ଗଁାର ପାଞ୍ଚରୁ ଅଧିକ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

The post କିଡ୍‌ନୀ ରୋଗରେ ଆକ୍ରାନ୍ତ ମାନସଙ୍କ ଚିକିତ୍ସାରେ ଅର୍ଥ ବାଧକ, ସହାୟତା ପାଇଁ ସ୍ତ୍ରୀଙ୍କ ନିବେଦନ appeared first on Dharitri Odia News.