କିସ୍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ, ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଅତିଥି
ଭୁବନେଶ୍ୱର : ସର୍ବବୃହତ ଜନଜାତି ବିଶ୍ୱବିଦ୍ୟାଳୟ କିସ୍ର ୪ର୍ଥ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହରିକୃଷ୍ଣ ଏକ୍ସପୋର୍ଟସ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ପଦ୍ମଶ୍ରୀ ସାବଜୀ ଢ଼ୋଲକିଆ, ଡ. ବାତ୍ରା ଗ୍ରୁପ୍ ଅଫ୍ କମ୍ପାନୀସମୂହର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିଳ୍ପପତି ପଦ୍ମଶ୍ରୀ ଡା. ମୁକେଶ ବାତ୍ରା ଏବଂ ବିଶିଷ୍ଟ ଶିଳ୍ପପତି ଏସ୍ ଏନ୍ ଗ୍ରୁପ୍ ଅଫ୍ କମ୍ପାନୀର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ […] The post କିସ୍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ, ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଅତିଥି appeared first on KNews Odisha.

ଭୁବନେଶ୍ୱର : ସର୍ବବୃହତ ଜନଜାତି ବିଶ୍ୱବିଦ୍ୟାଳୟ କିସ୍ର ୪ର୍ଥ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହରିକୃଷ୍ଣ ଏକ୍ସପୋର୍ଟସ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ପଦ୍ମଶ୍ରୀ ସାବଜୀ ଢ଼ୋଲକିଆ, ଡ. ବାତ୍ରା ଗ୍ରୁପ୍ ଅଫ୍ କମ୍ପାନୀସମୂହର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିଳ୍ପପତି ପଦ୍ମଶ୍ରୀ ଡା. ମୁକେଶ ବାତ୍ରା ଏବଂ ବିଶିଷ୍ଟ ଶିଳ୍ପପତି ଏସ୍ ଏନ୍ ଗ୍ରୁପ୍ ଅଫ୍ କମ୍ପାନୀର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଢ଼ୋଲକିଆ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ସଫଳତାର ୫ଟି ମନ୍ତ୍ର ପ୍ରଦାନ କରିଥିଲେ । ସବୁବେଳେ ନିଜକୁ ଶ୍ରେଷ୍ଠ ଭାବେ ବିବେଚନା କରିବା, ସବୁ କାର୍ଯ୍ୟ ମୋ ଦ୍ୱାରା ସମ୍ଭବ ହୋଇପାରିବ ବୋଲି ଭାବିବା, ଭଗବାନ ମୋ ସହ ସବୁବେଳେ ଅଛନ୍ତି, ମୁଁ ବିଜୟୀ ହୋଇପାରିବି ଓ ଆଜି ହେଉଛି ମୋ ପାଇଁ ନୂଆ ଦିନ- ଏହି ୫ଟି ମନ୍ତ୍ରକୁ ଛାତ୍ରଛାତ୍ରୀମାନେ ନିଷ୍ଠାର ସହ ପାଳନ କରିବାକୁ ସେ କହିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରିଟେନ୍ର ପ୍ରାକ୍ତନ ସାଂସଦ ତଥା ପ୍ରାକ୍ତନ ମନ୍ତ୍ରୀ ନିକ ଗିବ୍ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି କହିଲେ, ଶିକ୍ଷା ହିଁ ପରିବର୍ତ୍ତନର ମାଧ୍ୟମ । ପିଲାମାନଙ୍କ ଉଦ୍ଦେଶ୍ୟରେ ସେ କହିଲେ, ତୁମ ଇଚ୍ଛା ଅନୁସାରେ ତୁମେ ତୁମର ଲକ୍ଷ୍ୟପଥ ସ୍ଥିର କର । ତୁମ ପାଇଁ ବ୍ୟାପକ ସୁଯୋଗ ରହିଛି । କିସ୍ର ସଫଳତା ପ୍ରଶଂସନୀୟ ଓ ପ୍ରେରଣାଦାୟୀ । ସମାଜ ଉପରେ ସକରାତ୍ମକ ପ୍ରଭାବ ପକାଇବାରେ କିସର ଗୌରବମୟ ଯାତ୍ରା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଥିଲେ। ସମ୍ମାନୀୟ ଅତିଥି ଭାବେ ବ୍ରିଟେନର ସାଂସଦ ଆଲାନ୍ ଗେମେଲ କହିଲେ, ଭାରତ ଓ ବ୍ରଟେନ୍ର ସମ୍ପର୍କ ଅତି ପୁରାତନ ।
ଶିକ୍ଷା ହେଉଛି ନିଜକୁ ସଶକ୍ତ କରିବାର ଉପଯୁକ୍ତ ମାଧ୍ୟମ । କିସ୍ରେ ଛାତ୍ରଛାତ୍ରୀଙ୍କ ପାଇଁ ନିଜର ଲକ୍ଷ୍ୟ ପୂରଣ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଛାତ୍ରଛାତ୍ରୀମାନେ ଏହାର ବିନିଯୋଗ କରି ନିଜର ଲକ୍ଷ୍ୟ ପୂରଣ କରିପାରିବେ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ହାର୍ଭାର୍ଡ଼ କେନେଡ଼ି ସ୍କୁଲ୍ ପବ୍ଲିକ ପଲିସି ପ୍ରଫେସର ଡ. ଜେଫ୍ରେ ବି ଲାଏବମାନ କହିଲେ, ସାମଗ୍ରିକ ଶିକ୍ଷା କ୍ଷେତ୍ରରେ କିସ୍ ହେଉଛି ଏକ ଅନନ୍ୟ ପ୍ରୟାସ । ସମାଜର ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରାଇବାରେ କିସ୍ର ପ୍ରୟାସ ପ୍ରଶଂସନୀୟ ବୋଲି ସେ କହିଥିଲେ।
ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ଗ୍ରହଣ କରି ଡା. ବାତ୍ରା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଲେ, ଦୁଇଟି ‘ଡି’ ଦ୍ୱାରା ଜୀବନରେ ସବୁକିଛି ହାସଲ କରିପାରିବ । ଗୋଟିଏ ହେଉଛି ଡିସିପ୍ଲିନ୍ ବା ଶୃଙ୍ଖଳା ଓ ଅନ୍ୟଟି ହେଉଛି ଡିଟରମିନେସନ୍ ବା ପ୍ରତିବଦ୍ଧତା । ଏହି ଦୁଇଟି ଥିଲେ ଜୀବନରେ ସଫଳତା ପାଇବାକୁ ସହଜ ହୋଇଥାଏ ବୋଲି କହିଥିଲେ । ଶ୍ରୀ ମହାନ୍ତି କହିଲେ, କିସ୍ରେ ସବୁ ବ୍ୟବସ୍ଥା ରହିଥିବାରୁ ଆଗକୁ ବଢ଼ିବା ପାଇଁ ତୁମମାନଙ୍କ ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏହି ସମ୍ମାନ ଆହୁରି ଅଧିକ କାର୍ଯ୍ୟ କରିବା ପାଇଁ ମୋତେ ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ ।
ଏହି ଅବସରରେ କିସ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ରୋଜାଲିନ୍ ପ୍ରଧାନଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ୭ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ଏବଂ ୭ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ୮ଜଣଙ୍କୁ ପିଏଚ୍ଡି ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ୪୨୬ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ଓ କିସ୍ ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍ ଦାସ, କୁଳାଧିପତି ସତ୍ୟ ଏସ୍ ତ୍ରିପାଠୀ, ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା ଉପସ୍ଥିତ ଥିଲେ । କୁଳପତି ପ୍ରଫେସର ଦୀପକ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ ଓ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
The post କିସ୍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ, ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଅତିଥି appeared first on KNews Odisha.