କୁଟ୍ଟେ, ଆଶିଷ ସିଂ ଟିକେଟ କଥା ବୁଝୁଥିଲେ: ସୁନନ୍ଦା

ଯାଜପୁର,୩୧ା୧୦(ହର୍ଷବର୍ଦ୍ଧନ ବେହେରା): ଗତ ନିର୍ବାଚନରେ ବିଜୁ ଜନତା ଦଳର ଟିକେଟ କଥା ବରିଷ୍ଠ ଅଫିସର ଡି.ଏସ. କୁଟ୍ଟେ ଓ ଆଶିଷ ସିଂହ ବୁଝୁଥିଲେ। ଏହା କହିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ମଙ୍ଗଳବାର ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ  ସୁନନ୍ଦା କହିଛନ୍ତି, ତାଙ୍କର ଟିକେଟ କଟାଯିବା ଏବଂ ନିର୍ବାଚନ ସରିବାର ୫ ମାସ ପରେ ବି ଶଙ୍ଖ ଭବନ ଓ ନବୀନ ନିବାସରେ ହେଉଥିବା ବୈଠକକୁ ତାଙ୍କୁ […] The post କୁଟ୍ଟେ, ଆଶିଷ ସିଂ ଟିକେଟ କଥା ବୁଝୁଥିଲେ: ସୁନନ୍ଦା appeared first on Dharitri Odia News.

କୁଟ୍ଟେ, ଆଶିଷ ସିଂ ଟିକେଟ କଥା ବୁଝୁଥିଲେ: ସୁନନ୍ଦା
ଯାଜପୁର,୩୧ା୧୦(ହର୍ଷବର୍ଦ୍ଧନ ବେହେରା): ଗତ ନିର୍ବାଚନରେ ବିଜୁ ଜନତା ଦଳର ଟିକେଟ କଥା ବରିଷ୍ଠ ଅଫିସର ଡି.ଏସ. କୁଟ୍ଟେ ଓ ଆଶିଷ ସିଂହ ବୁଝୁଥିଲେ। ଏହା କହିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ମଙ୍ଗଳବାର ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ  ସୁନନ୍ଦା କହିଛନ୍ତି, ତାଙ୍କର ଟିକେଟ କଟାଯିବା ଏବଂ ନିର୍ବାଚନ ସରିବାର ୫ ମାସ ପରେ ବି ଶଙ୍ଖ ଭବନ ଓ ନବୀନ ନିବାସରେ ହେଉଥିବା ବୈଠକକୁ ତାଙ୍କୁ ଡକା ଯାଉନି। କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉ ନାହିଁ। ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କ ଦ୍ୱାରା ମାନସିକ ଆଘାତ ପାଇବା ଓ ଦଳରେ ତାଙ୍କୁ ଅଣଦେଖା କରାଯିବାରୁ ସେ ବାଧ୍ୟ ହୋଇ ବିଜେଡିରୁ ଇସ୍ତଫା ଦେଇଥିବା ସୁନନ୍ଦା କହିଛନ୍ତି। ସେ ଆହୁରି କହିଛନ୍ତ,ି ଟିକେଟ ବଣ୍ଟା ଆଗରୁ ଫୋନ ଆସୁଥିଲା ଯାଆନ୍ତୁ ଆଶିଷ ସିଂହ ଓ ଡି.ଏସ. କୁଟ୍ଟେଙ୍କୁ ଦେଖା କରନ୍ତୁ। ତାଙ୍କ ସହିତ ଆଲୋଚନା କରିବା ପରେ ସେମାନେ ସାନ୍ତ୍ୱନା ଦେଉଥିଲେ ସବୁ ଠିକ୍‌ଠାକ ଅଛି ବ୍ୟସ୍ତ ହୁଅନ୍ତୁନି। ବବି ଡାକି ସବୁ ଠିକ ଅଛି, ବେଷ୍ଟ ଅଫ୍‌ ଲକ୍‌ ବୋଲି ମଧ୍ୟ କହିଥିଲେ। ହେଲେ ସକାଳ ବେଳକୁ ଟିକେଟ ନାହିଁ। ବିଧାୟିକା ଥିବା ସମୟରେ ତାଙ୍କୁ ବହୁତ ମାନସିକ ଯନ୍ତ୍ରଣା ଦିଆଯାଉଥିଲା। ସାଙ୍ଗଠନିକ ସମ୍ପାଦକଙ୍କ ନିର୍ଦ୍ଦେଶରେ ଜିଲାପାଳ ତାଙ୍କୁ ସହଯୋଗ କରୁ ଥିଲେ। ଆଗାମୀ ଦିନରେ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ବୋଲି ପଚାରିବାରୁ  ସେ କହିଛନ୍ତି, ବରୀର ବିକାଶ ତାଙ୍କର ମୂଳ ଲକ୍ଷ୍ୟ। ବିକଶିତ ବରୀ ଗଠନ କ୍ଷେତ୍ରରେ ଯେଉଁ ରାଜନୈତିକ ଦଳ ସହଯୋଗର ହାତ ବଢାଇବ ସେ ଦୁଇ ତିନି ଦିନ ମଧ୍ୟରେ ସେହି ଦଳରେ ଯୋଗ ଦେବେ।
ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ କହିଛନ୍ତି, ସୁନନ୍ଦା କୌଣସି ଦଳରେ ସ୍ଥାୟୀ ସଦସ୍ୟ ହୋଇ ରହିନାହାନ୍ତି। ସେ ବିଧାୟିକା ଥିବାବେଳେ ବରୀର କୌଣସି ବିକାଶ ଠିକ୍‌ ଭାବେ ହୋଇ ପାରିଲାନାହିଁ। ଫଳରେ ତାଙ୍କର ଟିକେଟ୍‌ କଟା ହେଲା। ତେବେ ସୁନନ୍ଦାଙ୍କ ବିଜେଡି ଛାଡିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି  ସେ କହିଛନ୍ତି।
ଯାଜପୁର ଜିଲାରେ ଗତ ୨୪ ବର୍ଷ ମଧ୍ୟରେ ବିଜେଡି ୧ ନମ୍ବର ରାଜନୈତିକ ଦଳ ଭାବେ ଉଭା ହୋଇଥିଲା। ଦଳ ଯୁବ ନେତୃତ୍ୱ ହାତରେ ସଙ୍ଗଠନକୁ ଛାଡି ଦେଇଥିବାବେଳେ ଯୁବନେତାମାନେ ବିଜେଡିକୁ ସକ୍ରିୟ କରାଇଥିଲେ। କିନ୍ତୁ ପିଢି ବଦଳ କରି ସଙ୍ଗଠନକୁ ସୁଦୃଢ କରିବାକୁ ବିଜେଡି ଚାହିଁ ଥିବାବେଳେ ୨୦୨୪ ନିର୍ବାଚନର ଫଳାଫଳ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଏହାବ୍ୟତୀତ ବିଭିନ୍ନ କାରଣରୁ ବହୁ ଯୁବ ଓ ଅଭିଜ୍ଞ ନେତା ବିଜେଡି ଛାଡି ଅନ୍ୟ ଦଳରେ ସାମିଲ ହୋଇଛନ୍ତି। ଦଳ ଛାଡ଼ୁଥିବା ନେତାଙ୍କ ପାଇଁ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡିର କେତେକ ନେତା ମନ୍ତବ୍ୟ ଦେଉଥିଲେ ହେଁ ଜିଲାରେ ବିଜେଡି ଏକ ପ୍ରକାର ଭୁଶୁଡିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି।
ଜିଲା ବିଜେଡି ସଭାପତି ଗୌତମ ରାୟ ଶଙ୍ଖ ଦଳ ଛାଡ଼ି ଏବେ ଭାଜପା ଜିଲା ସଭାପତି ଦାୟିତ୍ୱ ତୁଲାଉଛନ୍ତି। ବଡ଼ଚଣାରେ ବିଜେଡି ନେତୃତ୍ୱ ନେବା ପାଇଁ ବହୁ ବର୍ଷ ସଂଗ୍ରାମ କରି ଯୁବନେତା ଅମର ନାୟକ ଦଳ ଛାଡିଛନ୍ତି। ଏବେ ସେ ଭାଜପାରୁ ବଡ଼ଚଣା ବିଧାୟକ ହୋଇଛନ୍ତି। କୋରେଇ ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ତଥା ଜିଲା ପରିଷଦର ପୂର୍ବତନ ଉପସଭାପତି ଅଶୋକ ବଳ ବିଜେଡି ଛାଡି ଭାଜପାରେ ମିଶିଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ବିଜେଡିକୁ ଫେରି କୋରେଇ ବିଧାୟକ ହୋଇଥିଲେ। ସୁକିନ୍ଦାରେ ବିଜେଡି ନେତା ପ୍ରଦୀପ ବଳ ସାମନ୍ତ(ଟୁଟୁ) ବିଜେଡି ଛାଡି ଭାଜପାରେ ସାମିଲ ହୋଇଛନ୍ତି। ଏବେ ସେ ସୁକିନ୍ଦା ବିଧାୟକ ସହ ମନ୍ତ୍ରୀପଦ ପାଇଛନ୍ତି। ଅଭିନେତା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ବିଜେଡି ଛାଡି ଭାଜପାରେ ଯୋଗଦେଇ ୨୦୨୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବରୀ ନିର୍ବାଚନମଣ୍ଡଳୀର କେତେକ ଯୁବନେତା ବିଜେଡିକୁ ମୁହଁ ବୁଲାଇ ଭାଜପାରେ ସାମିଲ ହୋଇଛନ୍ତି। ବିଜେଡିର ବହୁ ଯୁବ ସମ୍ବଳକୁ ଭାଜପା ଗ୍ରହଣ କରିଥିବାରୁ ବିଜେଡି ଅଡୁଆରେ ପଡି ୨୦୨୪ରେ ପରାଜୟ ବରଣ କରିଛି। ନିର୍ବାଚନ ପରେ ପରେ ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ଦଳ ଛାଡିଛନ୍ତି। ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଦଳ ଛାଡି କଂଗ୍ରେସରୁ ନିର୍ବାଚନ ଲଢିଥିଲେ।

The post କୁଟ୍ଟେ, ଆଶିଷ ସିଂ ଟିକେଟ କଥା ବୁଝୁଥିଲେ: ସୁନନ୍ଦା appeared first on Dharitri Odia News.