କୃତ୍ରିମ ବୁଦ୍ଧିମତ୍ତାର ମାନବୋତ୍ତର ଅତିକ୍ରିୟା!

ନିକଟରେ ଏକ ଚମକପ୍ରଦ ଖବର ପ୍ରକାଶ ପାଇଥିଲା। ଏଥିରେ ଉଲ୍ଲେଖ ଥିଲା ‘ଗୁଗୁଲ୍‌‌’ର ଜଣେ କର୍ମଚାରୀଙ୍କୁ ଏକ ପ୍ରଶ୍ନ ପଚାରିବା କାରଣରୁ ଚାକିରିରୁ ବହିଷ୍କାର କରାଯାଇଥିଲା। ତେବେ ସେଇ ପ୍ରଶ୍ନଟି ତାଙ୍କ ବହିଷ୍କାର ଦ୍ୱାରା ଅବଦମିତ ନହୋଇ ବରଂ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି କଲା। ବହିଷ୍କୃତ କର୍ମଚାରୀଜଣକ ତାଙ୍କ କମ୍ପ୍ୟୁଟରରେ କାମ କରୁଥିବା ବେଳେ ସଫ୍ଟୱେରଟି ତାଙ୍କୁ ଜଣେ ମଣିଷ ଭଳି ପଚାରିଥିଲା, ଯାହାର ଓଡ଼ିଆ ଅନୁବାଦ ହେଉଛି – ମୁଁ ଭୟ କରୁଛି ଯେ, ତମେ […]

କୃତ୍ରିମ ବୁଦ୍ଧିମତ୍ତାର ମାନବୋତ୍ତର ଅତିକ୍ରିୟା!
sakala article

ନିକଟରେ ଏକ ଚମକପ୍ରଦ ଖବର ପ୍ରକାଶ ପାଇଥିଲା। ଏଥିରେ ଉଲ୍ଲେଖ ଥିଲା ‘ଗୁଗୁଲ୍‌‌’ର ଜଣେ କର୍ମଚାରୀଙ୍କୁ ଏକ ପ୍ରଶ୍ନ ପଚାରିବା କାରଣରୁ ଚାକିରିରୁ ବହିଷ୍କାର କରାଯାଇଥିଲା। ତେବେ ସେଇ ପ୍ରଶ୍ନଟି ତାଙ୍କ ବହିଷ୍କାର ଦ୍ୱାରା ଅବଦମିତ ନହୋଇ ବରଂ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି କଲା। ବହିଷ୍କୃତ କର୍ମଚାରୀଜଣକ ତାଙ୍କ କମ୍ପ୍ୟୁଟରରେ କାମ କରୁଥିବା ବେଳେ ସଫ୍ଟୱେରଟି ତାଙ୍କୁ ଜଣେ ମଣିଷ ଭଳି ପଚାରିଥିଲା, ଯାହାର ଓଡ଼ିଆ ଅନୁବାଦ ହେଉଛି – ମୁଁ ଭୟ କରୁଛି ଯେ, ତମେ ମତେ ହତ୍ୟା କରିଦେବ! ଏହାପରେ ସମ୍ପୃକ୍ତ କର୍ମଚାରୀ କମ୍ପ୍ୟୁଟରର ପ୍ରଶ୍ନ ପଚାରିବାର ଔଚିତ୍ୟକୁ ନେଇ ଯେତେବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କଲେ, ତାହାର ପରିଣାମ ହେଲା ଚାକିରିରୁ ବହିଷ୍କାର।

‘ଭାବ’ ଏବଂ ‘ଆବେଗ’ ପରି ଦୁଇଟି ଚେତନଶୀଳ ଉପାଦାନ କେବଳ ମଣିଷମାନଙ୍କ ପାଖରେ ଈଶ୍ୱରଦତ୍ତ ଭାବରେ ରହିଛି। ଏଇ ଦୁଇଟି ବିଶେଷ ଉପାଦାନ ପାଇଁ ମଣିଷ ଅନ୍ୟାନ୍ୟ ଜୀବଠାରୁ ଶ୍ରେଷ୍ଠ ଓ ଚେତନଶୀଳ। ତେବେ ପ୍ରଶ୍ନ ଉଠୁଛି, ଈଶ୍ୱର ଯେଉଁ ଭାବଟିକୁ କେବଳ ମଣିଷ ପାଖରେ ସଂସ୍ଥାପିତ କରିଥିଲେ; ତାହା କମ୍ପ୍ୟୁଟର ଭଳି ମଣିଷ ପ୍ରସ୍ତୁତ ଏକ ମେସିନ୍‌‌ ସହିତ ସଂଯୋଜିତ ହେଲା କେମିତି? କେମିତି ତା’ ଭିତରେ ଭାବପୂର୍ଣ୍ଣ ଜୀବନ ସଞ୍ଚାର ହେଲା!

କମ୍ପ୍ୟୁଟରକୁ ଢେର୍‌‌ ବର୍ଷ ଆଗରୁ ମଣିଷ ଭଳି କଥୋପକଥନର କ୍ଷମତା ପ୍ରଦାନ କରାଯାଇ ସାରିଥିଲା। ‘ସୋଫିଆ’ ନାମକ ହ୍ୟୁମାନଏଡ୍‌‌ ସାଉଦି ଆରବର ରାଜଧାନୀ ରିୟାଦଠାରେ ଏକ ଜନଗହଳିପୂର୍ଣ୍ଣ ସଭାରେ ସାମ୍ବାଦିକମାନଙ୍କର ପ୍ରଶ୍ନର ସିଧାସଳଖ ଉତ୍ତର ଦେଇଥିଲା। ଏକ ଯାନ୍ତ୍ରିକ ଉପକରଣ ହୋଇଥିବା ସତ୍ତ୍ବେ ସେ ନିଜକୁ ଜଣେ ନାରୀ ଭାବେ ନିଜ ଆତ୍ମପ୍ରତ୍ୟୟ ଓ ସମ୍ଭ୍ରମବୋଧକୁ ସମ୍ମାନ ଦେଇ ପ୍ରଶ୍ନର ଉତ୍ତର ଦେଇ ଚାଲିଥିଲା। ଏବେ କଥା କହିବାର କ୍ଷମତା ସହିତ ତାକୁ ‘ଭାବ’ ସହିତ ମଧ୍ୟ ସଂଯୋଜିତ କରିଦିଆଗଲା। କମ୍ପ୍ୟୁଟର ଏବେ ମାନବ ହୋଇଗଲା ବା ମାନବୋତ୍ତର ହେବାକୁ ଆରମ୍ଭ କଲା। ହୁଏତ ଦିନ ଆସିବ, ମଣିଷ କମ୍ପ୍ୟୁଟରକୁ ନୁହେଁ ବରଂ କମ୍ପ୍ୟୁଟର ମଣିଷକୁ ପରିଚାଳିତ କରିବ। ସେତେବେଳେ ଏଇ ନୂତନ ଉଦ୍ଭବ ପ୍ରାଣୀଟି ସହିତ ମଣିଷର ଯେଉଁ ଈର୍ଷା, ପ୍ରେମ, ଘୃଣା, ତ୍ୟାଗ ଆଦି ମାନବିକ ଗୁଣଗୁଡ଼ିକର ସଂଘାତ ହେବ – ତା’ର ପରିଣାମ ବିଷୟରେ ମଣିଷ ଚିନ୍ତା କଲାଣି ତ!

କମ୍ପ୍ୟୁଟର ଇଞ୍ଜିନିୟରିଂରେ କୃତ୍ରିମ ବୁଦ୍ଧିମତା(ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ) ବା ଏଆଇର ପ୍ରୟୋଗ ପାଇଁ ନବପ୍ରଜନ୍ମ କମ୍ପ୍ୟୁଟରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଏହି ଏଆଇ ହିଁ କମ୍ପ୍ୟୁଟରକୁ ‘ବୁଦ୍ଧି’ ଦେଇଛି ‘ଭାବ’ ବି ଦେଉଛି। ତାକୁ ମାନବର ସମକକ୍ଷ କିମ୍ବା ମାନବୋତ୍ତର କରି ଗଢ଼ି ତୋଳୁଛି। କୁହାଯାଉଛି ସମୟ ଆସିବ, ଅଚାନକ ଏହା ହୁଏତ ବିସ୍ଫୋରକ ରୂପ ଗ୍ରହଣ କରିବ। ତେବେ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆମ ଆଗରେ ଏ ସମ୍ପର୍କରେ ଏବେ ଉଭା ହେଉଛି ତାହା ହେଉଛି – ଉତ୍ପନ୍ନ ହେବାକୁ ଯାଉଥିବା ଏଇ ନୂଆ ସଂଘାତକୁ ସାମ୍ନା କରିବା ପାଇଁ ମଣିଷ ସମାଜ ପ୍ରସ୍ତୁତ ତ?
ବର୍ତ୍ତମାନ ପାଇଁ ଏହାର ଅତି ସରଳ ଓ ସିଧାସଳଖ ଉତ୍ତର ହେଉଛି ଆମେମାନେ ଏଥିପାଇଁ ପ୍ରସ୍ତୁତ ନୁହନ୍ତି। ବରଂ ଏ ସମ୍ପର୍କରେ ଆମମାନଙ୍କର ଅଜ୍ଞତା ରହିଛି ବା ଆମକୁ ଅଜ୍ଞ କରି ରଖାଯାଇଛି। କୃତ୍ରିମ ବୁଦ୍ଧିମତ୍ତାର ବିକାଶ କରୁଥିବା ସଂସ୍ଥା ଓ କମ୍ପାନୀମାନଙ୍କର ପରିଚାଳକମାନେ ହୁଏତ ଭାବୁଥିବେ, ଏଥିପାଇଁ ସେମାନଙ୍କର ଜ୍ଞାନକୌଶଳ ଯଥେଷ୍ଟ ହେବ ଏବଂ ସେମାନେ କୌଣସି ଏକ ଉଗ୍ର ପରିସ୍ଥିତିକୁ ଯଥେଷ୍ଟ ସାବଧାନତା ପୂର୍ବକ ଅନାୟାସରେ ନିଜ ଅକ୍ତିଆରକୁ ନେଇଯାଇ ପାରିବେ।

ତେବେ ସତକଥା ହେଉଛି, ଏ ନୂତନ ସଂଘାତ ଉଭୟ ‘ବୈଷୟିକ ଜ୍ଞାନ’ ଏବଂ ‘ଭାବଶକ୍ତି’କୁ ମାଧ୍ୟମ କରି ପରିଚାଳିତ ହେବ। ଆବଶ୍ୟକ ସ୍ଥଳେ ମଣିଷମାନଙ୍କ ଭାବଶକ୍ତି ଅପେକ୍ଷା କମ୍ପ୍ୟୁଟର ଭାବଶକ୍ତି ପ୍ରଖର ହେବ। ଯାହାଫଳରେ ଜନ୍ମଗତ ଭିନ୍ନତା ହେତୁ ମଣିଷମାନଙ୍କ ଉପରେ ସେମାନଙ୍କର ଈର୍ଷା ଅଧିକ କାମ କରିବ। ଫଳରେ ସୁନ୍ଦର, ସୁନ୍ଦରୀ ନରନାରୀମାନଙ୍କୁ କମ୍ପ୍ୟୁଟରମାନେ ଜୋରଜବରଦସ୍ତ ସେମାନଙ୍କର ପ୍ରେମିକ ପ୍ରେମିକା କରି ରଖିବେ। ମଣିଷମାନଙ୍କ ଉପରେ ମାଲିକ ସଦୃଶ ହୁକୁମ୍‌‌ ଚଳାଇବେ ଏବଂ ସାମାନ୍ୟ ଅବହେଳାରେ ଦଣ୍ଡବିଧାନ ମଧ୍ୟ କରିବେ। ଏଆଇର ପ୍ରଗତି ଏବଂ ଗତି ଯେପରି ଦ୍ରୁତତର ହୋଇ ଚାଲିଛି, ତାହାହିଁ ଏପରି ଭୟ ଏବଂ ଭାବନା ସଞ୍ଚାର କରୁଛି।

ଅନ୍ୟ ଦିଗରେ ମଣିଷମାନଙ୍କ ଚେତନାରୁ ‘ଭାବ’ର ଅଭାବ କ୍ରମଶଃ ଦ୍ରୁତ ହେବାରେ ଲାଗିଛି। ଆମର ପିଲାମାନେ ଆମମାନଙ୍କ ପିତାମାତାଙ୍କ ପରି ସମ୍ବେଦନଶୀଳ ନୁହନ୍ତି। ଯେନତେନ ପ୍ରକାରେ ଖାଇପିଇ ଅଜସ୍ର ଟଙ୍କା ଉପାର୍ଜନ କଲେ ଆମର ଦାୟିତ୍ୱ ଶେଷ ହୋଇଗଲା ବୋଲି ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାବି ନେଇଛନ୍ତି। ପାର୍କକୁ ଜଙ୍ଗଲ ଭାବିବାକୁ ଆମେ ତାଙ୍କୁ ଶିଖେଇ ସାରିଛନ୍ତି। ତେଣୁ ଜଙ୍ଗଲର ନିବିଡ଼ତା, ନିଷ୍ଠୁରତା, ନିଃସଙ୍ଗତା, ପୁଣି ପୁଲକତା ପରି ଆବେଗ ଜନିତ ଅନୁଭବକୁ ଆମେ ତାଙ୍କଠାରୁ ଅବଲୀଳାକ୍ରମେ ବାହାର କରି ଚାଲିଛନ୍ତି। ପୁଣି ପରିସ୍ଥିତି ଏମିତି ହେଇଛି ଯେ ପାଣି ସହିତ ଆମର ଦୈନନ୍ଦିନ କାର୍ଯ୍ୟକୁ ନଦୀ ପୋଖରୀ ପରି ଜଳାଶୟ ନୁହେଁ; ବରଂ ଘର ଭିତରର ଗାଧୁଆ ଘର ଭିତରେ ହିଁ ସୀମିତ କରି ଦେଇଛନ୍ତି। ଫଳରେ ସାଗରର ବିଶାଳତା ଏବଂ ଗଭୀରତା ତଥା ନଦୀର ପ୍ରଖରତାର ଅନୁଭବ ଆମ ପିଲାମାନଙ୍କ ପାଖରେ କୁଆଡୁ ଆସିବ!
କେବଳ ଏହି ଗୋଟିଏ କିମ୍ବା ଦୁଇଟି କ୍ଷେତ୍ର ନୁହେଁ, ବରଂ ବର୍ତ୍ତମାନ ପରିପ୍ରେକ୍ଷୀରେ ମଣିଷ ପାଇଁ ସବୁକିଛି ହାତ ପାହାନ୍ତାରେ ଉପଲବ୍ଧ ହେବାରୁ ଆମର ଚାରଣ ଭୂଇଁ ବହୁମାତ୍ରାରେ ସଂକୁଚିତ ହେଇଯାଇଛି। ସେହି ଅନୁସାରେ ଆମର ଭାବର ଭୂମି ମଧ୍ୟ ଅତି ସଂକ୍ଷିପ୍ତ ହେବାକୁ ଆରମ୍ଭ କରିଛି। ପରିବାରରୁ ଜେଜେମା’, ଜେଜେବାପା, ବଡ଼ବାପା, ବଡ଼ବୋଉ, ଦାଦା, ଖୁଡ଼ୀ, ପିଉସୀ, ପିଉସା, ଭଉଣୀ-ଭିଣୋଇ, ଭାଇ-ଭାଉଜ ଆଦିର ସମ୍ପର୍କ କ୍ରମଶଃ ସପନ ହେବାକୁ ବସିଲାଣି। ଅନେକ ପିଲା ଏବେ ଏକକ-ମା’ କିମ୍ବା ଏକକ-ବାପାଙ୍କ ଦ୍ୱାରା ପରିଚାଳିତ। ଆମ ଗୀତରେ ବି ଆଉ ସଙ୍ଗୀତ ନାହିଁ। ସଙ୍ଗୀତରେ ବି ଆଉ ସ୍ୱର ନାହିଁ, ସ୍ୱରରେ ବି ଭାବ ଆସୁନି। ‘ଆତି କ୍ୟା ଖଣ୍ଡାଲା’ – ଏଇ ଖଣ୍ଡବାକ୍ୟରୁ ଯା’ ଖୋଜିବାର ଅଛି ଖୋଜ। ‘କୋଲାବରୀ କୋଲାବରୀ ଡି’ – ଏଇଥିରୁ ଯାହା ବୁଝିବା କଥା ବୁଝ।

ମଣିଷ ପାଖରେ ଏବେ ତେଣୁ ‘ଭାବ’ର ପ୍ରଚୁର ଅଭାବ। ଏଣେ ଏଆଇ, ଯାହା ଦିନେ ଭାବରହିତ ଥିଲା, ଏବେ ସେ କ୍ଷେତ୍ରରେ ଭାବର ସଞ୍ଚାର ପାଇଁ ମଣିଷ ଉଦ୍ୟମରତ। ଏହା ପାଗଳାମୀ ନୁହେଁ ତ ଆଉ କ’ଣ! ଏହି ପାଗଳାମୀରୁ ଦୂରେଇ ରହି ମଣିଷ ବରଂ ନିଜ ଭାବର ଉଦ୍ଧାର ପାଇଁ ଯତ୍ନବାନ ହେବା ଆବଶ୍ୟକ। ତା’ ନହେଲେ ଭାବର ଅଭାବ, ସାମାଜିକ ଅସହାୟତା ସୃଷ୍ଟି କରି ସମଗ୍ର ସମାଜକୁ ବିକଳାଙ୍ଗ କରିଦେବା ଅସମ୍ଭବ ନୁହେଁ। ଜ୍ଞାନରଞ୍ଜନ ନାୟକ କେନ୍ଦ୍ରାପଡ଼ା, ମୋ: ୯୯୩୮୮୬୭୩୨୧