କେତେ ସମ୍ପତ୍ତିର ମାଲିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି?

ସତ୍ୟପାଠରେ କୁହାଯାଇଛି ଯେ ମୋଦିଙ୍କ ପାଖରେ ଏବେ ନଗଦ ୫୨,୯୨୦ ଟଙ୍କା ରହିଛି। ତେବେ ତାଙ୍କ ମାଲିକାନାରେ କୌଣସି କାର, ଜମି କିମ୍ବା ଘର ନାହିଁ।

କେତେ ସମ୍ପତ୍ତିର ମାଲିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବାରାଣସୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ସେ ତାଙ୍କ ସମ୍ପତ୍ତି ବିବରଣୀ ମଧ୍ୟ ସାର୍ବଜନୀନ କରିଛନ୍ତି। ସତ୍ୟପାଠ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ୩.୦୨ କୋଟି ଟଙ୍କାର ମାଲିକ। ୨୦୧୪ ଓ ୨୦୧୯ ଅପେକ୍ଷା ମୋଦିଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି।

୨୦୧୯ରେ ମୋଦିଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨.୫୧ କୋଟି ରହିଥିଲା। ସେହିପରି ୨୦୧୪ ସତ୍ୟପାଠରେ ମୋଦି ୧.୬୬ କୋଟି ଟଙ୍କାର ମାଲିକ ‍ବୋଲି ଉଲ୍ଲେଖ କରିଥିଲେ। 

୨୦୨୪ରେ ମୋଦିଙ୍କ ସମ୍ପତ୍ତିର ମୂଲ୍ୟ ୩.୦୨ କୋଟି ଟଙ୍କାରେ ପହଞ୍ଚିଛି। ମୋଦିଙ୍କ ପାଖରେ ୪ଟି ସୁନା ମୁଦି ରହିଛି। ଏହାର ମୂଲ୍ୟ ୨.୬୭ ଲକ୍ଷ ଟଙ୍କା। ସେହିପରି ସେ ନ୍ୟାଶନାଲ ସେଭିଙ୍ଗ୍ସ ସାର୍ଟିଫିକେଟରେ ୯.୧୨ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ୨୦୧୯ରେ ଏନଏସ୍‌ସିରେ ମୋଦିଙ୍କୁ ନିବେଶ ପରିମାଣ ୭.୬୧ ଲକ୍ଷ ଟଙ୍କା ଥିଲା। ୫ ବର୍ଷ ଭିତରେ ଏଥିରେ ୨ ଲକ୍ଷ ଟଙ୍କାର ଅଭିବୃଦ୍ଧି ହୋଇଛି।

ସତ୍ୟପାଠରେ କୁହାଯାଇଛି ଯେ ମୋଦିଙ୍କ ପାଖରେ ଏବେ ନଗଦ ୫୨,୯୨୦ ଟଙ୍କା ରହିଛି। ତେବେ ତାଙ୍କ ମାଲିକାନାରେ କୌଣସି କାର, ଜମି କିମ୍ବା ଘର ନାହିଁ।

ମୋଦି ତାଙ୍କ ପତ୍ନୀଙ୍କ ନାଁ ଯଶୋଦାବେନ ବୋଲି ଉଲ୍ଲେଖ କରିଛନ୍ତି। ମୋଦି ଗୁଜରାଟ ବିଶ୍ୱବିଦ୍ୟାଳୟରୁ ସେ ଏମଏ ଡିଗ୍ରୀ ହାସଲ କରିଥିବା ସତ୍ୟପାଠରେ କହିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ଆର୍ଟସ ଡିଗ୍ରୀ ୧୯୭୮ରେ ହାସଲ କରିଛନ୍ତି। ୧୯୬୭ରେ ମୋଦି ଗୁଜରାଟ ବୋର୍ଡରୁ ଏସଏସସି ପରୀକ୍ଷା ପାସ କରିଥିଲେ।

ବ୍ୟାଙ୍କରେ ରଖିଥିବା ଜମାରୁ ମିଳୁଥିବା ସୁଧ ଓ ସରକାରଙ୍କ ତରଫରୁ ମୁଳିଥିବା ଦରମା ହିଁ ମୋଦି ତାଙ୍କର ଆୟ ଭାବେ ଦର୍ଶାଇଛନ୍ତି। ସେ ପତ୍ନୀଙ୍କ ଆୟ ସମ୍ପର୍କରେ କିଛି ଜାଣି ନଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ପତ୍ନୀଙ୍କ ପ୍ରଫେସନ ସମ୍ପର୍କରେ ମୋଦି ଜାଣି ନାହାନ୍ତି। ମୋଦିଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ କିମ୍ବା କୌଣସି ଋଣ ତାଙ୍କୁ ମୁଣ୍ଡରେ ନାହିଁ।

ପ୍ରଧାନମନ୍ତ୍ରୀ ସତ୍ୟପାଠରେ ଆହୁରି କହିଛନ୍ତି ଯେ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ରେ ତାଙ୍କ ଟିକସ ଯୁକ୍ତ ଆୟର ପରିମାଣ ଦୁଇ ଗୁଣ ହୋଇଛି। ୨୦୧୮-୧୯ରେ ଏହା ୧୧ ଲକ୍ଷ ଟଙ୍କା ଥିବା ବେଳେ ୨୦୨୨-୨୩ରେ ୨୩.୦୫ ଲକ୍ଷ ଟଙ୍କା ହୋଇଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ମୋଦିଙ୍କ ଦୁଇଟି ଆକାଉଣ୍ଟ ରହିଛି। ଗାନ୍ଧିନଗର ବ୍ରାଞ୍ଚରେ ମୋଦିଙ୍କ ନାଁରେ ୭୩,୩୦୪ ଟଙ୍କା ଓ ବାରାଣସୀ ଆକାଉଣ୍ଟରେ ତାଙ୍କ ଜମା ପରିମାଣ ୭,୦୦୦ ଟଙ୍କା। ଏସ୍‌ବିଆଇରେ ସେ ୨,୮୫,୬୦,୩୩୮ ଟଙ୍କା ସ୍ଥାୟୀ ଜମା ଆକାରରେ ରଖିଛନ୍ତି।