କେତେ ସୁରକ୍ଷିତ ଆମଦେଶର କୃଷକ
ଭାରତରେ ମୋଟ କାର୍ଯ୍ୟବଳର ୪୫.୫% କୃଷିକ୍ଷେତ୍ରରେ ନିୟୋଜିତ ଏବଂ ଦେଶର ସାମଗ୍ରିକ ଘରୋଇ ଉତ୍ପାଦକୁ କୃଷିର ଅବଦାନ ୧୫%। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ୨୦୧୮-୧୯ରେ ଦେଶର ମୋଟ ଚାଷୀ ପରିବାର ୯୩.୦୯ ନିୟୁତ ଏବଂ କୃଷକ ସଂଖ୍ୟା ୧୫୦ ନିୟୁତ ବୋଲି ଦର୍ଶାଇଛନ୍ତି। ଏଥିରୁ ପ୍ରାୟ ୮୦% କ୍ଷୁଦ୍ର ଓ ନାମମାତ୍ର କୃଷକ। ଏହି କୃଷକ ସମ୍ପ୍ରଦାୟର ଦେଶର ଅର୍ଥନୀତି ଓ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ହତାଶା […]

ଭାରତରେ ମୋଟ କାର୍ଯ୍ୟବଳର ୪୫.୫% କୃଷିକ୍ଷେତ୍ରରେ ନିୟୋଜିତ ଏବଂ ଦେଶର ସାମଗ୍ରିକ ଘରୋଇ ଉତ୍ପାଦକୁ କୃଷିର ଅବଦାନ ୧୫%। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ୨୦୧୮-୧୯ରେ ଦେଶର ମୋଟ ଚାଷୀ ପରିବାର ୯୩.୦୯ ନିୟୁତ ଏବଂ କୃଷକ ସଂଖ୍ୟା ୧୫୦ ନିୟୁତ ବୋଲି ଦର୍ଶାଇଛନ୍ତି। ଏଥିରୁ ପ୍ରାୟ ୮୦% କ୍ଷୁଦ୍ର ଓ ନାମମାତ୍ର କୃଷକ। ଏହି କୃଷକ ସମ୍ପ୍ରଦାୟର ଦେଶର ଅର୍ଥନୀତି ଓ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ହତାଶା ଭାବ ପରିଲକ୍ଷିତ ହେଉଛି। ପରିଣାମ ସ୍ୱରୂପ କୃଷକ ଆତ୍ମହତ୍ୟା ଦିନକୁଦିନ ବଢ଼଼ିବାରେ ଲାଗିଛି। ନିକଟରେ ଖବର ପ୍ରକାଶ ପାଇଛି ଯେ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଦୈନିକ ଆଠଜଣ କୃଷକ ଆତ୍ମହତ୍ୟା କରୁଛନ୍ତି। ଆମ ଦେଶରେ କୃଷକ ଆତ୍ମହତ୍ୟା ସମସ୍ୟା ଗମ୍ଭୀର। ଏନ୍ସିଆର୍ବି ତଥ୍ୟ ଅନୁଯାୟୀ ୧୯୯୫ରୁ ୨୦୧୪ ମଧ୍ୟରେ ୨, ୯୬, ୪୩୮ କୃଷକ ଆତ୍ମହତ୍ୟା କରିଛନ୍ତି। ଏହି ସଂଖ୍ୟା ୨୦୧୪ ରୁ ୨୦୨୨ ମଧ୍ୟରେ ୧, ୦୦, ୪୭୨। ୨୦୨୨ ରେ ଏହା ଥିଲା ୧୧, ୨୯୦। ଏଥିରୁ ଧରିନେବାକୁ ହେବ ଯେ ଭାରତରେ ବାର୍ଷିକ ଅନ୍ୟୂନ ୧୧, ୦୦୦ କୃଷକ ଆତ୍ମହତ୍ୟା କରୁଛନ୍ତି। ଏପରି ଦୁଃଖଦାୟକ ସମ୍ୱାଦ ପାଇଁ ନାଗରିକମାନେ କେତେ ସଚେତନ ତାହା ଏକ ବଡ଼ ପ୍ରଶ୍ନ।
କୃଷକ ଆତ୍ମହତ୍ୟାର କାରଣ ବିଷୟରେ ବହୁ ଅନୁଷ୍ଠାନ, ଗବେଷକ ଓ ସାମାଜିକ କର୍ମୀ ଅନୁଧ୍ୟାନ କରିଛନ୍ତି। ମତ ପ୍ରକାଶ ପାଇଛି ଯେ କୃଷକ ଆତ୍ମହତ୍ୟାର ପ୍ରମୁଖ କାରଣଗୁଡ଼ିକ ହେଲା ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ହାନି, ଋଣବୋଝ, ଫସଲର ଅଭାବୀ ବିକ୍ରି, ଅଧିକ ଚାଷ ଖର୍ଚ୍ଚ, ରାସାୟନିକ କୃଷିର ବିଫଳତା ଏବଂ କୃଷି ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧି। ଅନେକଚାଷୀ ବିହନ, ସାର ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଆନୁଷ୍ଠାନିକ କିମ୍ୱା ମହାଜନଙ୍କଠାରୁ ଋଣ ନିଅନ୍ତି। କିନ୍ତୁ ଅଭାବୀ ବିକ୍ରି ଯୋଗୁଁଁ ଠିକ୍ ସମୟରେ ଋଣ ପରିଶୋଧ କରିପାରନ୍ତି ନାହିଁ। ବିଶ୍ୱବ୍ୟାଙ୍କ୍ ତଥ୍ୟ ଅନୁଯାୟୀ ଉପଭୋକ୍ତା ଯେଉଁ ମୂଲ୍ୟରେ ପନିପରିବା ଓ ଫଳ କିଣେ ତାହାର ମାତ୍ର ୩୫% ଚାଷୀଙ୍କ ହାତକୁ ଯାଏ।
କୃଷି ମୁଖ୍ୟତଃ ମୃତ୍ତିକା, ଜଳବାୟୁ, ଜଳ ଓ ବଜାର ଉପରେ ନିର୍ଭରଶୀଳ। ଯେତେବେଳେ ମରୁଡ଼ି, ବନ୍ୟା, କୀଟ ଉପଦ୍ରବ ଓ ବାତ୍ୟା ଇତ୍ୟାଦି ସମସ୍ୟା ଉପୁଜେ ସେତେବେଳେ ଚାଷୀ ଅନେକ କ୍ଷତି ସହେ। ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ହୁଏତ ସେ କରଜ କରେ କିମ୍ୱା ଦେଶାନ୍ତରୀ ହୁଏ। ଭଲ ଫସଲ ଅମଳ ହେଲେ ବି ଚାଷୀର ଦୁଃଖ ଲାଘବ ହୋଇ ନ ପାରେ ଯଦି ତା’କୁ ଉପଯୁକ୍ତ ବଜାର ମୂଲ୍ୟ ନ ମିଳେ। କେତେକ ଚାଷୀ ଫସଲ ଅମଳ ନ କରି ମାଟିରେ ମିଶାଇବା କିମ୍ୱା ଗାଈ ଗୋରୁଙ୍କୁ ଖୁଆଇବା ସମ୍ୱାଦ ପ୍ରକାଶ ପାଏ। ଏପରି ସ୍ଥଳେ ଆବଶ୍ୟକ ପଡ଼େ ଚାଷୀଙ୍କୁ ସୁବିଧାରେ କୃଷିସାମଗ୍ରୀ, କୃଷିଋଣ, ଜଳସେଚନ, ରାସାୟନିକ ସାର ଯୋଗାଣ, ଲାଭଜନକ ମୂଲ୍ୟ ଓ ଫସଲ ବୀମା। ଯେତେବେଳେ ଚାଷୀଟିଏ ଏଥିରୁ ବଞ୍ଚିତ ହୁଏ ଏବଂ ଘର ଚଳାଇବା ପାଇଁ ଅସମର୍ଥ ହୁଏ ସେତେବେଳେ ତା’ପାଇଁ ହୁଏତ ଆତ୍ମହତ୍ୟା ଏକ ବାଧ୍ୟବାଧକତା ହୋଇଯାଏ। ଏହାକୁ ଅଧିକ ଦୃଢ଼ୀଭୂତ କରେ ତାହାର ଦୁର୍ବଳ ମାନସିକତା ଓ ନିରାଶା ଭାବ।
ବେଳେବେଳେ ସରକାରୀ ନୀତି ଚାଷୀଙ୍କ ହିତରେ ଯାଇ ନ ଥାଏ। ଆଉ ମଧ୍ୟ କେତେକ କ୍ଷେତ୍ରରେ ପାରିବାରିକ ସମସ୍ୟା ହିସାବରେ ପିଲାମାନଙ୍କ ବିବାହ, ଚିକିତ୍ସା ଓ ଋଣଗ୍ରସ୍ତତା ଚାଷୀକୁ ବିବ୍ରତ କରେ। ଭାରତରେ ପ୍ରାୟ ୪୮.୬% ଚାଷୀ ଋଣଗ୍ରସ୍ତ ଓ ଋଣଗ୍ରସ୍ତ ପରିବାର ପିଛା ଋଣ ବୋଝ ୨୬୯୮୧ ଟଙ୍କା। ୨୦୧୯ ତଥ୍ୟ ଅନୁସାରେ ପ୍ରତି ଋଣଗ୍ରସ୍ତ ପରିବାର ହାରାହାରି ୧, ୭୦, ୫୩୫ ଟଙ୍କା ଋଣ ନେଇଥିଲେ। ଅପରପକ୍ଷରେ କୃଷି ଆଉ ଏକ ଲାଭଦାୟକ ପେସା ହୋଇପାରୁନାହିଁ। ସ୍ୱାମୀନାଥନ କମିଶନ ରିପୋର୍ଟ ୨୦୦୬ ଅନୁଯାୟୀ ବିକଳ୍ପ ପାଇଲେ ୪୦% କୃଷକ ଚାଷକାର୍ଯ୍ୟ ଛାଡ଼ିବାକୁ ପ୍ରସ୍ତୁତ ବୋଲି କହିଥିଲେ। ଭାରତରେ କୃଷକଙ୍କ ମାସିକ ଆୟ ୨୦୧୮-୧୯ ରେ ମାତ୍ର୍ ୧୦, ୨୧୮ ଟଙ୍କା, ଯାହାକି ପରିବାର ଚଳାଇବା ପାଇଁ ଯଥେଷ୍ଟ ନୁହଁ। ରାଜ୍ୟୱାରୀ ମଧ୍ୟ ଏହି ଆୟରେ ବହୁ ତାରତମ୍ୟ ରହିଛି। ପଞ୍ଜାବରେ ଏହା ୨୬, ୭୦୧ ଟଙ୍କା ଥିବା ବେଳେ ଝାଡ଼ଖଣ୍ଡରେ ୪, ୮୯୫ ଟଙ୍କା।
କୃଷକଙ୍କ ଆୟ ୭ ବର୍ଷରେ ଦ୍ୱିଗୁଣିତ କରିବା ପାଇଁ ସରକାର ଅଶୋକ ଦଲବାଇ କମିଟି ରିପୋର୍ଟ କାର୍ଯ୍ୟକାରୀ କରିଥିଲେ ମଧ୍ୟ ଏହା ୨୦୨୩ ସୁଦ୍ଧା ସଫଳ ହୋଇ ପାରିନାହିଁ। ଅନ୍ତର୍ଜାତୀୟ ପରିବେଶ ଉନ୍ନୟନ ଅନୁଷ୍ଠାନ ଗବେଷଣାରୁ ଜଣାପଡ଼ିଛି ଯେ ବୃଷ୍ଟିହାନି ସହିତ କୃଷକ ଆତ୍ମହତ୍ୟାର ସମ୍ପର୍କ ଅଛି। ଏହି ଅନୁଷ୍ଠାନ ତଥ୍ୟରୁ ଆହୁରି ମଧ୍ୟ ଜଣାଯାଏ ଯେ ଏମ୍ନରେଗା ଯୋଜନାରେ କାର୍ଯ୍ୟଦିବସ ୫୦ ନିୟୁତରୁ ୧୫୦ ନିୟୁତକୁ ବୃଦ୍ଧି କଲେ କୃଷକ/କୃଷି ଶ୍ରମିକ ମୃତ୍ୟୁ ସଂଖ୍ୟା ବାର୍ଷିକ ୧୮୦୦ ରୁ ୩୯୮କୁ ହ୍ରାସ ପାଇବ। ଯେହେତୁ କୃଷକଙ୍କ ଅପେକ୍ଷା କୃଷିଶ୍ରମିକ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରନ୍ତି ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବିକଳ୍ପ କର୍ମଯୋଗାଣ ଏବଂ କୃଷକମାନଙ୍କୁ ଫସଲ ବୀମା ସହିତ ଅନ୍ୟାନ୍ୟ ଆର୍ଥିକ ସହାୟତା ଆବଶ୍ୟକ। କୃଷକ ବା କୃଷି ଶ୍ରମିକ ଆତ୍ମହତ୍ୟା କଲେ ସାରା ପରିବାର କ୍ଷତିଗ୍ରସ୍ତ ହୁଅନ୍ତି। ଗାଁ ମହାଜନ ଦାଉ ସାଧନ୍ତି।
କୃଷକ ଆତ୍ମହତ୍ୟା ସମସ୍ୟାର ସମାଧାନ ପାଇଁ ୨୦୦୬ ରିଲିଫ ପ୍ୟାକେଜ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳ ପାଇଁ ସ୍ୱତନ୍ତ୍ର ଭାବରେ କରାଯାଇଥିଲା। ବିଧର୍ଭ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କୃଷିଋଣ ବଣ୍ଟନ ମଧ୍ୟ କରାଯାଇଥିଲା। ୨୦୦୮ ମସିହାରେ ଭାରତ ସରକାର ଋଣଛାଡ଼ ଘୋଷଣା କଲେ। ଏହାପରେ ମହାରାଷ୍ଟ୍ର ରିଲିଫ ପ୍ୟାକେଜ ୨୦୧୦ ଓ କେରଳ ଫାର୍ମଋଣ ରିଲିଫ୍ ୨୦୧୨ ମସିହାରେ ଘୋଷଣା କରାଗଲା। ଏହାସତ୍ତ୍ବେ କୃଷକ ଆତ୍ମହତ୍ୟା ବିଶେଷ ହ୍ରାସ ପାଇଲା ନାହିଁ। ଜାତୀୟ କୃଷକ କମିଶନ ୨୦୦୬ (ସ୍ୱାମୀନାଥନ କମିଶନ) ରିପୋର୍ଟ ଅନୁଯାୟୀ ସରକାର ହାରାହାରି ଚାଷଖର୍ଚ୍ଚର ଦେଢ଼ଗୁଣ ହିସାବରେ ୨୩ଟି ମୁଖ୍ୟ କୃଷିଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଉଭୟ ଖରିଫ୍ ଓ ରବି ଋତୁ ପୂର୍ବରୁ ଘୋଷଣା କରିବା ସହିତ ଏହି ମୂଲ୍ୟରେ ଚାଷୀଙ୍କଠାରୁ ସଂଗ୍ରହ କରୁଛନ୍ତି। ସିଧାସଳଖ ଚାଷୀଙ୍କୁ ଉପକୃତ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷିସିଞ୍ଚାଇ ଯୋଜନା, କିଷାନ କ୍ରେଡିଟକାର୍ଡ, ସମନ୍ୱିତ ଉଦ୍ୟାନ ବିକାଶ ମିଶନ୍, ଜୈବିକ କୃଷି ମିଶନ୍, କୃଷି ଭିତ୍ତିଭୂମି ପାଣ୍ଠି, ରାସାୟନିକ ସାର ଉପରେ ରିହାତି, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଇତ୍ୟାଦି ଯୋଜନା କରିଛନ୍ତି। ଏହାସତ୍ତ୍ବେ କୃଷକ ଆତ୍ମହତ୍ୟା ସମସ୍ୟା ସମାଧାନ ହେଉନାହିଁ।
ବିଭିନ୍ନ ଗବେଷଣା ସଂସ୍ଥା ଓ ବିଶେଷଜ୍ଞଙ୍କ ମତ ସମେତ କ୍ଷେତ୍ର ଅନୁଧ୍ୟାନ ଅନୁଭୂତି ଆଧାରରେ ଏହି ସମସ୍ୟାର ସମାଧାନ ପାଇଁ କେତେକ ପରାମର୍ଶ ଗ୍ରହଣ କରାଯାଇପାରେ। କୃଷକ ଆତ୍ମହତ୍ୟାର ବଡ଼ କାରଣ ଋଣବୋଝ ହୋଇଥିବାରୁ ଋଣଛାଡ଼, ଋଣ ପରିଶୋଧ ସ୍ଥଗିତ ରଖିବା, ସ୍ୱଳ୍ପ ସୁଧରେ କୃଷି ଋଣ ଯୋଗାଣ ଏବଂ କୃଷିବୀମାର ନିଶ୍ଚିତତା ଅନେକାଂଶରେ ସମସ୍ୟାର ସମାଧାନ କରିପାରିବ। ଏହାଛଡ଼ା ଅଭାବୀ ବିକ୍ରି ସମସ୍ୟାର ସମାଧାନ ନିମନ୍ତେ ଫସଲର ବିବିଧିକରଣ, ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହଣ, ସରକାରୀ ଶୀତଳଭଣ୍ଡାର ସ୍ଥାପନ, ପ୍ରକ୍ରିୟାକରଣ ଓ ରପ୍ତାନୀ ପାଇଁ ପଦକ୍ଷେପ ଜରୁରୀ। ବିଭିନ୍ନ ଅଞ୍ଚଳରେ କୃଷି ଉତ୍ପାଦନ ପୁଞ୍ଜ ଗଠନ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅମଳ ପରବର୍ତ୍ତୀ ପରିଚାଳନା କାର୍ଯ୍ୟକ୍ରମରେ ନିୟୋଜିତ କରିବାକୁ ହେବ। ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ କୃଷିକୁ ସୁରକ୍ଷିତ ରଖିବା ପାଇଁ ଜଳସେଚନ, ଶୁଷ୍କାଞ୍ଚଳ କୃଷି ବିକାଶ, ବର୍ଷାଜଳ ଅମଳ, ଫାର୍ମ ପୋଖରୀ ଓ ଆଡ଼ିବନ୍ଧ ନିର୍ମାଣ, ଭୂପୃଷ୍ଠ ଓ ଭୂତଳ ଜଳର ଏକୀକରଣ ଏବଂ ଜଳବାୟୁ ଅନୁକୂଳ କୃଷିକୌଶଳ ପ୍ରୟୋଗ ଉପରେ ଧ୍ୟାନ ଦେବା ଆବଶ୍ୟକ। ଉତ୍ତମ ବିହନ, ଜୈବ ଓ ରାସାୟନିକ ସାର, କୃଷି ଯନ୍ତ୍ରପାତି ଉଚିତ ମୂଲ୍ୟରେ ଯୋଗାଇବାକୁ ହେବ। ସମବାୟ ସଂସ୍ଥା ମାଧ୍ୟମରେ କୃଷି ବେପାର ବଣିଜ ଅଧିକ ସୁରକ୍ଷିତ। କୃଷକ ଉତ୍ପାଦନ ସଂଗଠନ କୃଷକ ଗୋଷ୍ଠୀମାନଙ୍କୁ ସହାୟତା ଯୋଗାଇ ପାରିବେ ଯେପରି ମହାରାଷ୍ଟ୍ରର ଶେଷାଦ୍ରୀ କୃଷକ ଉତ୍ପାଦନ ସଂଗଠନ ଏକ ଅଗ୍ରଣୀ ଭୂମିକା ନେଉଛି। କୃଷକ ଓ କୃଷିଶ୍ରମିକମାନେ ବର୍ଷସାରା କାମ ପାଉ ନ ଥିବାରୁ ସେମାନଙ୍କୁ କୌଶଳ ବିକାଶ ପ୍ରଶିକ୍ଷଣ ଦେଇ ବିକଳ୍ପ କର୍ମନିଯୁକ୍ତି ବ୍ୟବସ୍ଥା କଲେ ସେମାନଙ୍କ ମନୋବଳ ବୃଦ୍ଧି ହେବ। ଏଥିପାଇଁ ସମ୍ପ୍ରସାରଣ ଅଧିକାରୀ ଓ ଗବେଷକମାନେ ଚାଷୀଙ୍କ ନିକଟକୁ ଯାଇ ସେମାନଙ୍କୁ ନୂତନ ଚାଷକୌଶଳ ସମେତ ବିଭିନ୍ନ ଅର୍ଥକରୀ ଫସଲ ସମ୍ୱନ୍ଧରେ ପରାମର୍ଶ ଓ ପ୍ରଶିକ୍ଷଣ ଏବଂ ମନସ୍ତାତ୍ତ୍ୱିକ ସ୍ତରରେ ସହାୟତା ଦେବା ବିଧେୟ। ଭୂସଂସ୍କାର ଓ ଭାଗଚାଷୀ ଆଇନ୍କୁ ସମ୍ପୂର୍ଣ୍ଣ କରିବା ଦାୟିତ୍ୱ ସରକାରଙ୍କର। ଯେହେତୁ ମୋଟ କୃଷକ ଆତ୍ମହତ୍ୟାର ୭୫% କ୍ଷୁଦ୍ର ଓ ନାମମାତ୍ର ଚାଷୀ, ସେମାନଙ୍କୁ ସୁହାଇବା ଭଳି କୃଷି ନୀତି ପ୍ରବର୍ତ୍ତନ ହେବା ବାଞ୍ଛନୀୟ।
ସରକାର, ବେସରକାରୀ ସଂସ୍ଥା, କୃଷକ ଗୋଷ୍ଠୀ, କୃଷକ ଉତ୍ପାଦନ ସଂଗଠନ ଓ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଏପରି ସମସ୍ୟାର ସମାଧାନ ସହଜ ହେବ। ‘ଚାଷ ଅଛି ଯାହାର କି ଆନନ୍ଦ ତାହାର, ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର’ ବାସ୍ତବ ରୂପ ନେବ। ଏହା ନିଶ୍ଚିତ କରିବା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ।
ବିଦ୍ୟାଧର ମହାରଣା
ଭୁବନେଶ୍ୱର, ମୋ: ୯୪୩୭୦୭୧୧୯୦