କେନ୍ଦ୍ରାପଡ଼ାରେ ଗଡ଼ିବ ପ୍ରଥମ ଯାତ୍ରୀବାହୀ ରେଳ

କେନ୍ଦ୍ରାପଡ଼ା,୫ା୩ (ଜଗନ୍ନାଥ ଧଳ)”କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ ଥର ପାଇଁ ଯାତ୍ରୀବାହୀ ରେଳ ମଙ୍ଗଳବାର ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରେଳକୁ ସବୁଜ ପତାକା ଦେଖାଇବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାଜପୁର ଜିଲା ଗସ୍ତ ସୂଚୀରେ ଏହି କାର୍ଯ୍ୟକ୍ରମ ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ପଡିଛି। ଦୀର୍ଘ ୨୬ ବର୍ଷର ସ୍ବପ୍ନ ପୂରଣ ହେଉଥିବାରୁ ଜିଲାବାସୀଙ୍କ ମନରେ ଅଫୁରନ୍ତ ଉତ୍ସାହ ଦେଖିବାକୁ ମିଳିଛି। ଆର୍ଥିକ ପ୍ରଗତି ସହ ଜୀବନ ବିକାଶର ମାର୍ଗ ଖୋଲିବ ବୋଲି ସ୍ଥାନୀୟ […] The post କେନ୍ଦ୍ରାପଡ଼ାରେ ଗଡ଼ିବ ପ୍ରଥମ ଯାତ୍ରୀବାହୀ ରେଳ appeared first on Dharitri Odia News.

କେନ୍ଦ୍ରାପଡ଼ାରେ ଗଡ଼ିବ ପ୍ରଥମ ଯାତ୍ରୀବାହୀ ରେଳ

କେନ୍ଦ୍ରାପଡ଼ା,୫ା୩ (ଜଗନ୍ନାଥ ଧଳ)”କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ ଥର ପାଇଁ ଯାତ୍ରୀବାହୀ ରେଳ ମଙ୍ଗଳବାର ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରେଳକୁ ସବୁଜ ପତାକା ଦେଖାଇବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାଜପୁର ଜିଲା ଗସ୍ତ ସୂଚୀରେ ଏହି କାର୍ଯ୍ୟକ୍ରମ ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ପଡିଛି। ଦୀର୍ଘ ୨୬ ବର୍ଷର ସ୍ବପ୍ନ ପୂରଣ ହେଉଥିବାରୁ ଜିଲାବାସୀଙ୍କ ମନରେ ଅଫୁରନ୍ତ ଉତ୍ସାହ ଦେଖିବାକୁ ମିଳିଛି। ଆର୍ଥିକ ପ୍ରଗତି ସହ ଜୀବନ ବିକାଶର ମାର୍ଗ ଖୋଲିବ ବୋଲି ସ୍ଥାନୀୟ ଜିଲାବାସୀଙ୍କ ମତ ରଖିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ମାର୍ଚ୍ଚ ୫ ଏକ ଐତିହାସିକ ଦିନ ହୋଇ ରହିବ। ଏହି ଜିଲାରେ ଯାତ୍ରୀବାହୀ ରେଳ ଗଡ଼ିବା ଏକ ସ୍ବପ୍ନ ଥିଲା। ୧୯୯୮ ଡିସେମ୍ବରରେ ରେଳପଥ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଅଦ୍ୟାବଧି ଏହା ସାକାର ହୋଇ ନ ଥିଲା। ଜିଲାର ଆର୍ଥିକ ବିକାଶ ପାଇଁ ଆଗାମୀ ଦିନରେ ରେଳ ଏକ ମାଧ୍ୟମ ହୋଇପାରିବ। ଓଡ଼ିଶା ସୂଚନା ଅଧିକାର ଆଇନ ଅଭିଯାନ (ଓସା)ର ଜିଲା ଆବାହକ ପ୍ରତାପ କୁମାର ମହାନ୍ତି କହିଛନ୍ତି, ସାଢ଼େ ୩ ବର୍ଷ ହେବ ଏହି ରେଳପଥରେ ମାଲବାହୀ ରେଳ ପ୍ରତ୍ୟହ ୨୫ରୁ ଊର୍ଦ୍ଧ୍ୱ ଥର ଯାତାୟାତ କରୁଛି। ତେବେ ଏହି ପଣ୍ୟ ସାମଗ୍ରୀ ବ୍ୟବହାର କରି କ୍ଷୁଦ୍ରଠାରୁ ବୃହତ୍‌ ଶିଳ୍ପ ଜିଲାରେ ପ୍ରତିଷ୍ଠା ହୋଇପାରିଲା ନାହିଁ। ଯାତ୍ରୀବାହୀ ରେଳ ଚଳାଚଳ ହେଉ ନ ଥିବାରୁ ଶିଳ୍ପୋଦ୍ୟୋଗୀମାନେ ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିଲେ। ଏବେ ଯାତ୍ରୀବାହୀ ରେଳ ଚଳାଚଳ ଯୁବ ଶିଳ୍ପୋଦ୍ୟୋଗୀଙ୍କ ପାଇଁ ବରଦାନ ହେବ। ସାମଗ୍ରୀ ପରିବହନ ବ୍ୟବସ୍ଥା ସହ ବିତରଣର ସୁବିଧା ହେବ। କୃଷକ ନେତା ବିଧୂ ଭୂଷଣ ମହାନ୍ତି ଜିଲାରେ ରେଳ ଚଳାଚଳକୁ ସ୍ବାଗତ କରିଛନ୍ତି। ଏଥିସହ ରେଳପଥ ପାଇଁ ଅଧିଗ୍ରହଣ ହୋଇଥିବା ଚାଷୀଙ୍କ ଦୁଃଖ ସେ ବଖାଣିଛନ୍ତି। ସେ କହିଛନ୍ତି, ହରିଦାସପୁର- ପାରାଦୀପ ୮୨ କିମି ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାର ୩୯ କି.ମି.ରେ ରେଳପଥ ଅଛି। ଏଥିପାଇଁ ଡେରାବିଶ, କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ୪୭ଟି ଗ୍ରାମର ୮୨୭.୬୨୦ ଏକର ଜମି ଅଧିଗ୍ରହଣ ହୋଇଛି। ଫାଟକବିହୀନ ପାଇଁ ଭୂମିସ୍ତରଠାରୁ ପ୍ରାୟ ୧୫ ଫୁଟ ଉଚ୍ଚ ରେଳପଥ ନିର୍ମାଣ ହୋଇଛି। ମାତ୍ର ନିୟମିତ ସାଇଫନ ନ ଥିବାରୁ ଚାଷୀଙ୍କ ଜଳ ନିଷ୍ପାସନ ଓ ସେଚନ ଏକ ସମସ୍ୟା ହୋଇଛି।
ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି, ଉପଯୁକ୍ତ ସମୟରେ ରେଳପଥ ନିର୍ମାଣ ନ ହେବା କାରଣରୁ ଏହି ଜିଲାରେ ହେବାକୁ ଥିବା ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ହୋଇପାରିଲା ନାହିଁ। ସେହିପରି କ୍ଷୁଦ୍ର, ମଧ୍ୟମ ଓ ବୃହତ୍‌ ଶିଳ୍ପ ଏବେ ବି ସ୍ବପ୍ନ ହୋଇଛି। ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହେବ। ତେବେ ଏହା ପାରାଦୀପଠାରୁ କେନ୍ଦୁଝର ମଧ୍ୟରେ ସୀମିତ। ଏହି ରେଳପଥରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, କୋଲକାତା, କେରଳ, ସୁରଟ ଓ ଦିଲ୍ଲୀ ଯାତ୍ରା ପାଇଁ ନୂତନ ରେଳ ଚାଲିବା ଆବଶ୍ୟକ। ଶିକ୍ଷାବିତ୍‌ ଅଧ୍ୟାପକ କ୍ଷିତୀଶ କୁମାର ସିଂ କହିଛନ୍ତି, ବହୁଦିନର ସ୍ବପ୍ନ ଯାତ୍ରୀବାହୀ ରେଳ ଚଳାଚଳ ପରେ ପୂରଣ ହେଉଛି। କେନ୍ଦ୍ରାପଡ଼ା ଜିଲାର ତ୍ୱରିତ ଆର୍ଥିକ ବିକାଶ ପାଇଁ ଏହା ବେଶୀ ସହଯୋଗ ଦେଇପାରିବ ନାହିଁ। ଜିଲାରେ ଧାର୍ମିକ ଓ ପ୍ରାକୃତିକ ପର୍ଯ୍ୟଟନସ୍ଥଳ ଅଛି। ଶ୍ରୀବଳଦେବଜୀଉ, ଶ୍ରୀଲଛମନଜୀଉଠାରୁ ଆରମ୍ଭ କରି କେରଡାଗଡ଼ର ଶ୍ରୀଜଗନ୍ନାଥ ମନ୍ଦିର, ସାତଭାୟାର କେବଳ ମହିଳାଙ୍କ ଦ୍ୱାରା ପୂଜିତ ମା’ ପଞ୍ଚୁବରାହୀ ପୀଠ, ଆଳିର ଲକ୍ଷ୍ମୀବରାହ ମନ୍ଦିର, ହୁକିଟୋଲା ଆଦିର ଉନ୍ନତୀକରଣ କରିବାକୁ ପଡ଼ିବ। ସେହିପରି ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତାକୁ ଆହୁରି ଶୃଙ୍ଖଳିତ କରିବା ସହ ବିକଶିତ କରିବାକୁ ପଡିବ। କେନ୍ଦ୍ରାପଡ଼ାରୁ ଭାୟା ଭିତରକନିକା ମଧ୍ୟ ଦେଇ ଧାମରାକୁ ରେଳପଥ ଛୁଇଁଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଯିବ ବୋଲି ସେ ମତ ଦେଇଛନ୍ତି।

The post କେନ୍ଦ୍ରାପଡ଼ାରେ ଗଡ଼ିବ ପ୍ରଥମ ଯାତ୍ରୀବାହୀ ରେଳ appeared first on Dharitri Odia News.