ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି ଅତି ଉନ୍ନତ। କ୍ରମଶଃ ମୋର ଶିକ୍ଷକ ରୂପେ ଦାୟିତ୍ୱବୋଧ ବଢ଼ିଲା। ମୋର ଅନୁଭବ ହେଲା, ଶିକ୍ଷକ ହେବା ଏବଂ ଶିକ୍ଷାଦାନ କରିବା ଏକ ଭିନ୍ନ ଓ ଗୁରୁତ୍ୱପୂର୍ଣ୍ଣ କଥା। ସେହି ବିଦ୍ୟାଳୟରେ ମୋର ପ୍ରଥମ ରୋଜଗାର ଥିଲା ମାତ୍ର ପାଞ୍ଚଶହ ଟଙ୍କା; ଯାହାକୁ ଆଣି ମୁଁ ମୋ ମା’ଙ୍କ ହାତରେ […] The post ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା appeared first on Dharitri Odia News.

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି ଅତି ଉନ୍ନତ। କ୍ରମଶଃ ମୋର ଶିକ୍ଷକ ରୂପେ ଦାୟିତ୍ୱବୋଧ ବଢ଼ିଲା। ମୋର ଅନୁଭବ ହେଲା, ଶିକ୍ଷକ ହେବା ଏବଂ ଶିକ୍ଷାଦାନ କରିବା ଏକ ଭିନ୍ନ ଓ ଗୁରୁତ୍ୱପୂର୍ଣ୍ଣ କଥା। ସେହି ବିଦ୍ୟାଳୟରେ ମୋର ପ୍ରଥମ ରୋଜଗାର ଥିଲା ମାତ୍ର ପାଞ୍ଚଶହ ଟଙ୍କା; ଯାହାକୁ ଆଣି ମୁଁ ମୋ ମା’ଙ୍କ ହାତରେ ଦେଇଥିଲି। କିଛିଦିନ ସେଇ ବିଦ୍ୟାଳୟରେ ଶିକ୍ଷାଦାନ କଲାପରେ ଓଡ଼ିଶା ସରକାରଙ୍କ ଶିକ୍ଷକ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଜୟପୁରରେ ସରକାରୀ ଶିକ୍ଷକ ତାଲିମ୍‌ ପାଇଁ ମୁଁ ଯୋଗ୍ୟ ବିବେଚିତ ହେଲି। ବିଷମକଟକ ଭାୟା ସୁନାବେଡ଼ା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନରେ ତାଲିମ୍‌ ନେବା ପରେ କିଛିଦିନ ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗଦେଲି। ପରେ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ କିଛିଦିନ ଶିକ୍ଷକତା କଲି। ଆଉ ବର୍ତ୍ତମାନ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ କାଶୀପୁରଠାରେ ଏଗ୍ରିକଲ୍‌ଚର ଅଫିସର(ଏଓ) ରୂପେ ଅବସ୍ଥାପିତ। ସେତେବେଳର ପାଞ୍ଚଶହ ଟଙ୍କା ବର୍ତ୍ତମାନ ରୋଜଗାରଠାରୁ କମ୍‌ ହୋଇପାରେ କିନ୍ତୁ ପ୍ରଥମ ରୋଜଗାର ମନରେ ନିଆରା ପୁଲକ ଭରିଦେଇଥିଲା। ଏହା ମୋତେ ଆଗକୁ ବଢ଼ିବାର ପ୍ରେରଣା ଯୋଗାଇଥିଲା; ଯାହାର ଫଳସ୍ବରୂପ ଆଜି ମୁଁ ଏହି ସ୍ଥାନରେ ଆସି ପହଞ୍ଚତ୍ପାରିଛି। ତେବେ ବୃତ୍ତି ମୋର ସରକାରୀ ଚାକିରି ହେଲେ ହେଁ ପ୍ରବୃତ୍ତି କିନ୍ତୁ ଲେଖାଲେଖି। ମୋ ଅଜା ସ୍ବର୍ଗତ ଘାସିରାମ ନାୟକ ଟିକିରି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ। ତାଳପତ୍ର ପୋଥିରେ ଅଜାଙ୍କ ଲିଖିତ ବିଭିନ୍ନ ଉପାଦେୟ ଲେଖା ଆମ ଘରେ ସାହିତ୍ୟ ଲେଖିବାର ପରିବେଶ ସୃଷ୍ଟି କରିଥିଲା। ଏହାସହ ମା’ ଭଗବତୀଙ୍କ ଆଶୀର୍ବାଦରୁ ନବମ ଶ୍ରେଣୀରୁ ମୁଁ କବିତା ମନସ୍କ ହେଲି। ବିଦ୍ୟାଳୟର ପାଠ୍ୟପୁସ୍ତକ, ମୋର ଶିକ୍ଷକ, କାଶୀପୁର ମାଟିର ପ୍ରକୃତିକୋଳ, ବରିଷ୍ଠ ସାହିତି୍ୟକମାନଙ୍କର ପ୍ରେରଣା ସହ ମୋ ମା’ବାପାଙ୍କ ସହଯୋଗ ମୋତେ ଲେଖାଲେଖି ଦିଗରେ ଆଗେଇନେଲା। କ୍ରମଶଃ ମୋର କବିତା, ଫିଚର, ସ୍ତମ୍ଭ, ଗଳ୍ପଗୁଡ଼ିକ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହେଲା। କାଶୀପୁର ଭଳି ଉପାନ୍ତ ଅଞ୍ଚଳରେ ସାହିତ୍ୟର ପରିବେଶ ସୃଷ୍ଟି କରିବା କାଠିକର ପାଠ, ତଥାପି ଯେ ଅସମ୍ଭବ ନୁହେଁ ଏହା ମୁଁ ଅନୁଭବ କଲି। ଏଠାକାର ଦିଗନ୍ତ ବିସ୍ତାରିତ ମାଳଭୂମି, ସୌନ୍ଦର୍ଯ୍ୟ ବିମଣ୍ଡିତ ପ୍ରକୃତିକୋଳ କବିପ୍ରାଣ ମନକୁ ଆନମନା କରିଦିଏ। ଏହାଛଡ଼ା ଜଣେ ଚାହିଁଲେ ଜନଜାତିଙ୍କ ଉପରେ ଗବେଷଣା ବି କରିପାରିବେ। ମୋର ଏ ଜନଜାତିଙ୍କ ସମ୍ପର୍କରେ ଲିଖିତ ପ୍ରଥମ ପୁସ୍ତକ ହେଉଛି ‘ପେଙ୍ଗ ପରଜା’। ସବୁବେଳେ ମୁଁ ମୌଳିକ ଲେଖାକୁ ଗୁରୁତ୍ୱ ଦେଇଆସିଛି। କିଛି ନୂଆ କରିବା ଦିଗରେ ଅଧିକ ଯତ୍ନଶୀଳ ହୋଇଛି।

The post ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା appeared first on Dharitri Odia News.